ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ଗତ ବର୍ଷର ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ବିଜୟ ପଥକୁ ଫେରିଛି। ମଙ୍ଗଳବାର ଅଜିଙ୍କ୍ୟ ରାହାଣେଙ୍କ ଦଳ ଦିଲ୍ଲୀରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪ ରନ୍‌ରେ ହରାଇ ଦେଇଛି। ବିଜୟ ସତ୍ତ୍ବେ କେକେଆର୍‌ ସପ୍ତମ ସ୍ଥାନରୁ ଉପରକୁ ଉଠିପାରିନାହିଁ। ଦିଲ୍ଲୀ କ୍ୟାପିଟାଲ୍ସ ଦଶମରୁ ଚତୁର୍ଥ ପରାଜୟ ବରଣ କରିଥିଲେ ବି ଚତୁର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛି। କେକେଆର୍‌ ସମାନ ୧୦ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ପାଇ ପ୍ଲେ ଅଫ୍ ଆଶାକୁ କେବଳ ଉଜ୍ଜୀବିତ ରଖିଛି। 

Advertisment

ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ କେକେଆର୍‌ ପ୍ରଥମ ୩ ଓଭରରେ ୪୮ ରନ୍ ସଂଗ୍ରହ କରି ନେଇଥିଲା। ଆଫଗାନିସ୍ତାନ ୱିକେଟ୍‌ରକ୍ଷକ ବ୍ୟାଟର୍‌ ରହମାନୁଲ୍ଲା ଗୁରବାଜ ୧୨ ବଲ୍‌ରୁ ୨୬ ଏବଂ ସାଥୀ ପ୍ରାରମ୍ଭିକ ବ୍ୟାଟର୍‌ ସୁନୀଲ ନାରାୟଣ ୧୬ ବଲ୍‌ରୁ ୨୭ ରନ୍ କରିବା ପରେ ଫେରିଯାଇଥିଲେ। ପ୍ରଥମ ପାୱାର ପ୍ଲେରେ ଦଳ ଗୋଟିଏ ୱିକେଟ୍ ହରାଇ ୭୯ ରନ୍ ସଂଗ୍ରହ କରିଥିଲେ ମଧ୍ୟ କୌଣସି ବ୍ୟାଟର୍ ଲମ୍ବା ଖେଳିନପାରିବାରୁ ଦଳ ଆଶାଠାରୁ ୨୦/୨୫ ରନ୍ ଯୋଡ଼ିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ (୧୪ ବଲ୍‌ରୁ ୨୬ ରନ୍), ଅଙ୍ଗକ୍ରିସ୍ ରଘୁବଂଶୀ (୩୨ ବଲ୍‌ରୁ ୪୪ ରନ୍) ଏବଂ ରିଙ୍କୁ ସିଂହ (୨୫ ବଲ୍‌ରୁ ୩୬ ରନ୍)ଙ୍କ ପାଇଁ ଦଳ କିନ୍ତୁ ୨୦୦ ଅତିକ୍ରମ କରିଯାଇଥିଲା। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ସର୍ବାଧିକ ୩ ୱିକେଟ୍‌ ନେଇଥିଲେ।

ଅରୁଣ ଜେଟଲୀ ଷ୍ଟାଡିୟମ୍‌ର ବ୍ୟାଟିଂ ବୋଲିଂ ସନ୍ତୁଳିତ ପିଚ୍‌ରେ ୨୦୫ ରନ୍ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ଘରୋଇ ଦିଲ୍ଲୀ ପାଇଁ କେବଳ ଫାପ ଡୁ ପ୍ଲେସିସ୍ (୬୨) ଏବଂ ଆହତ ଅଧିନାୟକ ଅକ୍ଷର ପଟେଲ୍ (୪୩) ଭଲ ଖେଳିଥିଲେ ମଧ୍ୟ ଦଳକୁ ଜିତାଇପାରିନଥିଲେ। ଯୁବ ଅଲରାଉଣ୍ଡର୍ ବିପ୍ରଜ ନିଗମ (୨/୪୧ ଓ ୧୯ ବଲ୍‌ରୁ ୩୮ ରନ୍)ଙ୍କ ଅଲରାଉଣ୍ଡ୍ ପ୍ରୟାସ ମଧ୍ୟ ବେକାର ଯାଇଥିଲା। ଶେଷକୁ ଦଳ ମାତ୍ର ୧୪ ରନ୍ ଦୂରରେ ଅଟକିଯାଇଥିଲା।
ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୨୦୪/୯ (ଅଙ୍ଗକ୍ରିସ୍ ରଘୁବଂଶୀ-୪୪, ରିଙ୍କୁ ସିଂହ-୩୬, ସୁନୀଲ ନାରାୟଣ-୨୭, ରହମାନୁଲ୍ଲା ଗୁର୍‌ବାଜ-୨୬, ଅଜିଙ୍କ୍ୟ ରାହାଣେ-୨୬, ଆନ୍ଦ୍ରେ ରସେଲ-୧୭, ମିଚେଲ ଷ୍ଟାର୍କ-୩/୪୩, ଅକ୍ଷର ପଟେଲ୍‌-୨/୨୭, ବିପ୍ରଜ ନିଗମ-୨/୪୧, ଦୁଷ୍ମନ୍ତ ଚାମିରା-୧/୪୬)। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୯୦/୯ (ଫାପ୍ ଡୁ ପ୍ଲେସିସ୍‌-୬୨, ଅକ୍ଷର ପଟେଲ୍‌-୪୩, ବିପ୍ରଜ ନିଗମ-୩୮, ସୁନିଲ ନାରାୟଣ-୩/୨୯, ବରୁଣ ଚକ୍ରବର୍ତ୍ତୀ-୨/୩୯, ବୈଭବ ଅରୋରା-୧/୧୯, ଆନ୍ଦ୍ରେ ରସେଲ-୧/୨୨, ଅନୁକଳ ରୟ-୧/୨୭)।