ଡିସେମ୍ବର ୮ରୁ କୋଣାର୍କ ଅନ୍ତର୍ଜାତୀୟ ସାଇକ୍ଲୋଥନ୍‌

ଦୂତି, ମାନସ ଓ ଅମ୍ରିତ ଦୂତ

ଭୁବନେଶ୍ୱର: ଭାରତର ଟୁର୍‌ ଡି’ ଫ୍ରାନ୍ସ ଭାବେ ପରିଚିତ କୋଣାର୍କ ଅନ୍ତର୍ଜାତୀୟ ସାଇକ୍ଲୋଥନ୍‌ ଡିସେମ୍ବର ୮ ତାରିଖରୁ ଆରମ୍ଭ ହେବ। ଏହି ଅବସରରେ ପାଖାପାଖି ୧,୦୦୦ ସାଇକ୍ଲିଷ୍ଟ ଭୁବନେଶ୍ୱରରୁ ଭାୟା କୋଣାର୍କ ହୋଇ ସାତପଡ଼ାରେ ପହଞ୍ଚିବେ। ସେମାନଙ୍କ ମଧ୍ୟରୁ ବଛାବଛା ୪୦ ଜଣ ସାଇକ୍ଲିଷ୍ଟ ପେସାଦାରଙ୍କ ତତ୍ତ୍ୱାବଧାନ ଏବଂ ମାର୍ଗଦର୍ଶନରେ ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସାଇକ୍ଲିଂ ଅଭିଯାନରେ ସାମିଲ ହେବେ। ଟୁର୍‌ ଡି’ କଳିଙ୍ଗ ନାମରେ ପରିଚିତ ଏହି ଅଭିଯାନରେ ଭାରତ ଏବଂ ଭାରତ ବାହାରର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିବେ। ଏହାକୁ ଅଧିକ ଲୋକପ୍ରିୟ କରାଇବା ଲାଗି ଚଳିତବର୍ଷ ଆୟୋଜକମାନେ ଧାବିକା ଦୂତି ଚାନ୍ଦ, ବାଲୁକା କଳା ଶିଳ୍ପୀ ମାନସ ସାହୁ ଏବଂ ଟ୍ରାନ୍ସ-ସାଇବେରିଆନ୍‌ ଏକଷ୍ଟ୍ରିମ୍‌ ସାଇକ୍ଲିଂ ରେସ୍‌ରେ ଅଂଶ ଗ୍ରହଣ କରିଥିବା ଏସିଆ ମହାଦେଶର ଏକମାତ୍ର ସାଇକ୍ଲିଷ୍ଟ ଅମ୍ରିତ ସାମର୍ଥଙ୍କୁ ଦୂତ ନିଯୁକ୍ତ କରିଛନ୍ତି। ଶନିବାର ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଣାର୍କ ଅନ୍ତର୍ଜାତୀୟ ସାଇକ୍ଲୋଥନ୍‌ (କେଆଇସି) ଏବଂ ରୁଟ୍ସ ପ୍ରତିଷ୍ଠାନ ତରଫରୁ ପ୍ରତିଯୋଗିତା ନେଇ ସବିଶେଷ ବିବରଣୀ ଦିଆଯାଇଥିଲା। କନଷ୍ଟିଚ୍ୟୁସନ୍‌ କ୍ଲବ୍‌ରେ ଆୟୋଜିତ ସମ୍ମିଳନୀରେ ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦେଶକ ସୁଧୀର ଦାଶ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ଆନିମେସନ୍‌ ଚଳଚ୍ଚିତ୍ରର ଉନ୍ମୋଚନ ମଧ୍ୟ କରାଯାଇଥିଲା। ଦୂତି ଏବଂ ମାନସଙ୍କୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର