ଜମ୍ମୁ: ଚଳିତ ଲିଜେଣ୍ଡ୍‌ସ କ୍ରିକେଟ୍‌ ଲିଗ୍‌ରେ ଶୁକ୍ରବାର‌ ରୋମାଞ୍ଚକ ବିଜୟ ସହ କୋଣାର୍କ ସୂର୍ଯ୍ୟାସ୍‌ ଓଡ଼ିଶା ପଞ୍ଚମ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଛି। ଫଳରେ ୬ ପଏଣ୍ଟ ସହ ଟେବୁଲ୍‌ର ଦ୍ବିତୀୟ ସ୍ଥାନକୁ ଫେରିଛି। ମୌଲାନା ଆଜାଦ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏକ ଲୋ ସ୍କୋରିଂ ମୁକାବିଲାରେ ଶୁକ୍ରବାର ଏହି ଓଡ଼ିଶା ଭିତ୍ତିକ ଫ୍ରାଞ୍ଚାଇଜ୍ ମାତ୍ର ୫ ରନ୍‌ରେ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାସ୍ତ କରିଛି। କୋଣାର୍କ ସୂର୍ଯ୍ୟାସ୍‌ ଓଡ଼ିଶା ମାତ୍ର ୧୨୭ ରନ୍ କରିଥିଲା। ଚତୁର୍ଥ ଓଭର ବେଳକୁ ଦଳ ୧୨/୨ରେ ସଂଘର୍ଷ କରୁଥିବାବେଳେ କେଭିନ୍ ଓ’ବ୍ରାଏନ୍ (୪୬ ବଲ୍‌ରୁ ୫୫ ରନ୍*, ୬ ଚୌକା, ୧ ଛକା) ଏବଂ ଦିଲସାନ ମୁନାବୀରା (୪୪ ବଲ୍‌ରୁ ୩୩ ରନ୍, ୩ ଚୌକା) ‌‌‌ଧୈର୍ଯ୍ୟପୂର୍ଣ୍ଣ ପାଳି‌ ଖେଳି ୬୭ ରନ୍‌ର ଭାଗୀଦାରି ଗଢ଼ିଥିଲେ। ୟୁସୁଫ୍ ପଠାନ୍‌ ୧୨ ରନ୍ ଏବଂ ରସ୍ ଟେଲର୍ ୩* ରନ୍ କରିଥିଲେ। 

Advertisment

ପ୍ରାରମ୍ଭିକ ଯୋଡ଼ି ରିଚାର୍ଡ ଲେଭି (୧) ଓ ଜେସେ ରାଇଡର୍ (୩) ବିଫଳ ହୋଇଥିଲେ। ଇଣ୍ଡିଆ କ୍ୟାପିଟାଲ୍ସ ପକ୍ଷରୁ ଇକ୍‌ବାଲ୍ ଅବଦୁଲ୍ଲା (୪-୦-୧୬-୩) ଓ ଧବଲ୍ କୁଲକର୍ଣ୍ଣି (୪-୦-୨୨-୧) ସଫଳ ବୋଲର ଥିଲେ। ଜବାବରେ ଇଣ୍ଡିଆ କ୍ୟାପିଟାଲ୍ସ ମଧ୍ୟ ୧୨ ରନ୍‌ରେ ୨ ୱିକେଟ୍ ହରାଇଥିଲା। ଡ୍ବାନ୍ ସ୍ମିଥ୍‌, ଅଧିନାୟକ ଇଆନ୍ ବେଲ୍‌, ‌ଫୈଜ ଫଜଲ୍‌ ସଅଳ ଫେରିଯାଇଥିଲେ। ଗୋଟିଏ ପଟରୁ ଭରତ ଚିପଲି (୪୮ ବଲ୍‌ରୁ ୬୧* ରନ୍, ୩ ଚୌକା, ୫ ଛକା) ଶେଷ ପ୍ରୟାସ କରିଥିଲେ ମଧ୍ୟ ଓଡ଼ିଶା ସ୍ପିନର୍‌ ନିୟନ୍ତ୍ରିତ ବୋଲିଂ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ଶେଷ ଦୁଇ ଓଭରରୁ ୨୩ ରନ୍ ଆବଶ୍ୟକ ଥିବାବେଳେ ୧୯ତମ ଓଭରରେ କେଭନ୍ କୁପର୍ ମାତ୍ର ୫ ରନ୍ ବ୍ୟୟ କରିବା ନିର୍ଣ୍ଣାୟକ ‌ହୋଇଥି‌ଲା। ଶେଷ ଓଭରରୁ ୧୮ ରନ୍ ଆବଶ୍ୟକ ପଡ଼ିଥିଲା। ଦିବେଶ ପଠାନିଆ ୧୨ ରନ୍ ଦେଇଥିଲେ। ଫଳରେ ଇଆନ୍ ବେଲ୍‌ଙ୍କ ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ଇର୍ଫାନ୍ ପଠାନଙ୍କ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ୫ ରନ୍‌ରେ ବିଜୟ ଛଡ଼ାଇ ନେଇଥିଲା। ଆୟର୍ଲାଣ୍ଡ୍‌ କ୍ରିକେଟର୍‌ କେଭିନ୍ ଓ’ବ୍ରାଏନ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।