ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡ୍ସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ମହିଳା ଏକକ ବର୍ଗରେ ସପ୍ତମ ମାନ୍ୟତାପ୍ରାପ୍ତ ସ୍ଲୋଆନେ ଷ୍ଟିଫାନ୍ସଙ୍କ ଅଭିଯାନ କ୍ବାର୍ଟର ଫାଇନାଲ୍ରୁ ଶେଷ ହୋଇଯାଇଛି। ଆମେରିକୀୟ ଲଳନା ଷ୍ଟିଫାନ୍ସଙ୍କୁ ସିଧାସଳଖ ସେଟ୍ ୬-୧ ଓ ୬-୪ରେ ପରାସ୍ତ କରି ୨୬ତମ ମାନ୍ୟତାପ୍ରାପ୍ତ ବ୍ରିଟେନ୍ର ଜୋହାନା କୋଣ୍ଟା ବିଦାୟ ରାସ୍ତା ଦେଖାଇଦେବା ସହିତ ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଏଥି ସହିତ କୋଣ୍ଟା ଦୀର୍ଘ ୩୬ ବର୍ଷ ପରେ ରୋଲାଁ ଗ୍ୟାରସ୍ରେ ସେମିଫାଇନାଲ୍ ପହଞ୍ଚିବାରେ ପ୍ରଥମ ବ୍ରିଟେନ୍ ମହିଳା ଖେଳାଳି ହୋଇଛନ୍ତି। ଶେଷ ଥର ପାଇଁ ବ୍ରିଟେନ୍ ମହିଳା ଭାବେ ଜୋ ଦୁରି ୧୯୮୩ ଫ୍ରେଞ୍ଚ୍ ଓପନ୍ ସେମିଫାଇନାଲ୍ ପ୍ରବେଶ କରିଥିଲେ। ମଙ୍ଗଳବାରର ଅନ୍ୟ ଏକ କ୍ବାର୍ଟର ଫାଇନାଲ୍ ଲଢ଼େଇରେ ଚେକ୍ ଗଣରାଜ୍ୟର ମର୍କେଟା ଭଣ୍ଡ୍ରୋସୋଭା ଓ ୩୧ତମ ମାନ୍ୟତାପ୍ରାପ୍ତ କ୍ରୋଏସିଆର ପେଟ୍ରା ମାର୍ଟିକ୍ ମୁହାଁମୁହିଁ ହେବେ।
ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲ ଏବଂ ତୃତୀୟ ମାନ୍ୟତାପ୍ରାପ୍ତ ରୋଜର ଫେଡେରର୍ ସେମିଫାଇନାଲ୍ ପହଞ୍ଚିଯାଇଛନ୍ତି। ବର୍ଷା ବାଧାପ୍ରାପ୍ତ ମଙ୍ଗଳବାର କ୍ବାର୍ଟର ଫାଇନାଲ୍ରେ ସ୍ପେନ୍ ତାରକା ନାଦାଲ ସପ୍ତମ ମାନ୍ୟତାପ୍ରାପ୍ତ ଜାପାନର କେଇ ନିଶିକୋରିଙ୍କୁ ସିଧାସଳଖ ୬-୧, ୬-୧ ଓ ୬-୩ ସେଟ୍ରେ ପରାସ୍ତ କରି ଦେଇଥିଲେ। ଅନ୍ୟପକ୍ଷରେ ସ୍ବିଜରଲାଣ୍ଡ୍ ତାରକା ଫେଡେରର୍ କ୍ବାର୍ଟର ଫାଇନାଲ୍ ଜିତିବା ପାଇଁ ସାମାନ୍ୟ କଷ୍ଟ କରିଥିଲେ। ସେ ୨୪ତମ ମାନ୍ୟତାପ୍ରାପ୍ତ ଷ୍ଟାନ୍ ୱାରିଙ୍କାଙ୍କୁ ୭-୬, ୪-୬, ୭-୬ ଓ ୬-୪ ସେଟ୍ରେ ପରାସ୍ତ କରିଦେଇଥିଲେ। ଅନ୍ୟପକ୍ଷରେ ସୋମବାର ଏକ ପ୍ରିକ୍ବାର୍ଟର ଫାଇନାଲ୍ ହାରି ଜୁଆନ୍ ମାର୍ଟିନ୍ ଡେଲ୍ ପୋଟ୍ରୋ ବିଦାୟ ନେଇଛନ୍ତି। ୨ ଥର ଫ୍ରେଞ୍ଚ୍ ଓପନ୍ ସେମିଫାଇନାଲ୍ ଖେଳିଥିବା ପୋଟ୍ରୋଙ୍କୁ ୭-୫, ୬-୩, ୩-୬ ଓ ୬-୩ ସେଟ୍ରେ ପରାସ୍ତ କରି ଦଶମ ମାନ୍ୟତା କାରେନ୍ କାଚାନୋଭ୍ ପ୍ରଥମ ଥର ଲାଗି ଗ୍ରାଣ୍ଡ୍ସ୍ଲାମ୍ କ୍ବାର୍ଟର ଫାଇନାଲ୍ ପ୍ରବେଶ କରିଛନ୍ତି। ଏଥି ସହିତ କାଚାନୋଭ୍ ପ୍ରଥମ ରୁଷୀୟ ତାରକା ଭାବେ ୨୦୧୦ (ମିଖାଇଲ୍ ୟୁଝ୍ନୀ) ପରେ ରୋଲାଁ ଗ୍ୟାରସ୍ରେ କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିବାର ଗୌରବ ପାଇଛନ୍ତି।
ସେମିରେ କୋଣ୍ଟା
ସେମିଫାଇନାଲ୍ରେ ନାଦାଲ ଓ ଫେଡେରର୍
/sambad/media/post_attachments/wp-content/uploads/2019/06/Britains-Johanna-Konta-greets-the-crowd-after-winning-her-quarter-final-match-against-Sloane-Stephens-of-the-US..jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)