ଚମତ୍କାର ଖେଳିଲା ପୂର୍ବତଟ ରେଳବାଇ

କୋରିଆକୁ ୩-୩ରେ ରୋକିଲେ ଓଡ଼ିଆ

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ଭୁବନେଶ୍ୱରରେ ଆୟୋଜିତ ହେବ ବିଶ୍ୱ ହକି ଲିଗ୍‌ ଫାଇନାଲ୍‌। ଏହା ପୂର୍ବରୁ ମାହୋଲକୁ ଜୋରଦାର କରିଛି କୋରିଆ ଏବଂ ପୂର୍ବତଟ ରେଳବାଇ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌। ବିଶ୍ୱ ଲିଗ୍‌ ପୂର୍ବରୁ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବାକୁ କୋରିଆ ଦଳ ଶୁକ୍ରବାର ଭୁବନେଶ୍ୱର ପହଞ୍ଚି ରବିବାର ପ୍ରଥମ ମ୍ୟାଚ୍‌ ଖେଳଛି। ରବିବାର କଳିଙ୍ଗ ଷ୍ଟାଡିୟମର ଅଭ୍ୟାସ ପଡ଼ିଆରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଅନଭିଜ୍ଞ ରେଳବାଇ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଏପରିକି ଶକ୍ତିଶାଳୀ କୋରିଆ ସହ ମ୍ୟାଚ୍‌କୁ ୩-୩ ଗୋଲ୍‌ରେ ଅମୀମାଂସିତ ରଖି ଦର୍ଶକଙ୍କ ହୃଦୟ ଜିତି ନେଇଥିଲା।

ରବିବାର ଅନୁଷ୍ଠିତ ଏହି ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର୍‌ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟର୍‌ର ପ୍ରଥମ ମିନିଟ୍‌ରେ ରେଳବାଇକୁ ପ୍ରଥମ ପେନାଲ୍ଟି ମିଳିଥିଲା। ନୀଲମ ସଂଜୀବ ଖେସ୍‌ ଏହାକୁ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ଏହାପରେ କୋରିଆ ଦଳ ଘନ ଘନ ଆକ୍ରମଣ କରିଥିଲା ଏବଂ ୪ ପେନାଲ୍‌ଟି ସୁଯୋଗ ମଧ୍ୟ ପାଇଥିଲା। ହେଲେ ସବୁ ସୁଯୋଗକୁ ରେଳବାଇ ଗୋଲ୍‌ ରକ୍ଷକ ଜିଟି ରାଓ ନିଷ୍ଫଳ କରିଦେଇଥିଲେ। ତୃତୀୟ କ୍ୱାର୍ଟର୍‌ରେ କୋରିଆ ପକ୍ଷରୁ ଲି ସୁନ୍‌ ହୁ (୩୭ ମିନିଟ୍‌) ଏବଂ ୟୁ ସାନ୍‌ ଜୁ (୪୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ସ୍ଥିତି (୨-୧) ନିଜ ସପକ୍ଷକୁ ନେଇ ଯାଇଥିଲେ। ଶେଷ କ୍ୱାର୍ଟର୍‌ରେ ଜାଙ୍ଗ୍‌ ଚୁ ହା (୪୭ ମିନିଟ୍‌)ଙ୍କ ଗୋଲ୍‌ କୋରିଆକୁ ୩-୧ର ଅଗ୍ରଣୀ ଦେଇଥିଲା। ଏପରିକି କୋରିଆର ବିଜୟ ମଧ୍ୟ ନିଶ୍ଚିତ ଲାଗୁଥିଲା। ମାତ୍ର ୫୧ ଏବଂ ୫୯ତମ ମିନିଟ୍‌ରେ ରେଳବାଇକୁ ମିଳିଥିବା ଦୁଇଟି ପେନାଲ୍‌ଟିକୁ ସୁମନ କୁଜୁର ଗୋଲ୍‌ରେ ରୂପାନ୍ତରିତ କରି ଦଳକୁ ପରାଜୟରୁ ରକ୍ଷା କରିଥିଲେ। ଶେଷରେ ମ୍ୟାଚ୍‌ ୩-୩ ଗୋଲ୍‌ରେ ଅମୀମାଂସିତ ରହିଥିଲା।

ସମ୍ବନ୍ଧିତ ଖବର