କ୍ରିକେଟ୍ ଷ୍ଟାଡିୟମ୍ ‘ଫିରୋଜ ଶାହ କୋଟ୍‌ଲା’ ପାଲଟିଛି ‌କୋଭିଡ୍‌ କେନ୍ଦ୍ର

ନୂଆଦିଲ୍ଲୀ: ଦିଲ୍ଲୀର ସୁପରିଚିତ କ୍ରିକେଟ୍ ଷ୍ଟାଡିୟମ୍ ‘ଫିରୋଜ ଶାହ କୋଟ୍‌ଲା’କୁ ଅରବିନ୍ଦ କେଜ୍ରିୱାଲ ସରକାର ଗତ ତିନି-ଚାରି ଦିନ ହେବ କୋଭିଡ୍-୧୯ କେନ୍ଦ୍ର ଭାବେ ବ୍ୟବହାର କରୁଛି। ଷ୍ଟାଡିୟମ୍‌ ପରିସରକୁ ଉତ୍ତର ପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶର ପ୍ରବାସୀ ଶ୍ରମିକଙ୍କ ବାସସ୍ଥଳୀ ଭାବେ ବ୍ୟବହାର କରାଯାଉଥିଲା ବେଳେ ସେଠାରୁ ବସ୍ ଯୋଗେ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଯାଉଛି। ଷ୍ଟାଡିୟମ୍‌ରେ ଏବେ ୨୦୦୦ରୁ ୨୫୦୦ ଶ୍ରମିକଙ୍କୁ ରଖା ଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ରେଳ ଷ୍ଟେସନ୍ ମଧ୍ୟ ପଠାଯାଇଛି। ସେଠାରୁ‌ ସେମାନେ ଶ୍ରମିକ ରେଳ ଯୋଗେ ନିଜ ନିଜ ରାଜ୍ୟ ଓ ସହରକୁ ଯାଉଛନ୍ତି। ସ୍ବାଗତଯୋଗ୍ୟ କଥା ‌ହେଲା ଶ୍ରମିକମାନେ ଯିବା ପରେ ଷ୍ଟାଡିୟମ୍ ପରିସରରକୁ ଭଲ ଭାବରେ ବିଶୋଧନ କରାଯାଉଛି। ତେବେ ଆଗାମୀ ସମୟରେ ଆହୁରି ଅଧିକ ଶ୍ରମିକଙ୍କୁ ଏଠାରେ ରଖାଯିବାର ଯୋଜନା ରହିଛି। ହେଲେ ଦିଲ୍ଲୀ ସରକାରଙ୍କ ଏଭଳି ପଦକ୍ଷେପକୁ ପୂର୍ବତନ କ୍ରିକେଟରମାନେ ପସନ୍ଦ କରିନାହାନ୍ତି।

୧୯୫୯ରୁ ୧୯୭୨ ମସିହା ପର୍ଯ୍ୟନ୍ତ ଦିଲ୍ଲୀ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିବା କର୍ନେଲ ବିଜୟ ଭୂଷଣ କହିଛନ୍ତି ଯେ ଦେଶ ବିଭାଜନ ବେଳେ ମଧ୍ୟ ଫିରୋଜ ଶାହ କୋଟ୍‌ଲା ଷ୍ଟାଡିୟମରେ ପ୍ରବାସୀ ଶ୍ରମିକଙ୍କୁ ରଖା ଯାଇ ନଥିଲା। ମୁଁ ପ୍ରଥମ ଥର ଏଭଳି କୌଣସି କଥା ଶୁଣୁଛି। ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)ର ଯୁଗ୍ମ ସଂପାଦକ ରଞ୍ଜନ ମନଚନ୍ଦା କହିଛନ୍ତି ଯେ ଦିଲ୍ଲୀ ସରକାର ଆମକୁ ମାତ୍ର ୧୫ ମିନିଟ୍‌ର ନୋଟିସ୍ ଦେଇଥିଲେ। ଏହା ପରେ ଶେଯ ଓ ଅନ୍ୟନ୍ୟା ସାମଗ୍ରୀ ଆଣି ଷ୍ଟାଡିୟମକୁ କବଜା କରି ନେଇଥିଲେ। ପ୍ରଥମ ଦିନ ସକାଳେ ୧୦ଟି ବସ୍‌ରେ ୫୦୦ ଶ୍ରମିକ ଆସିଥିଲେ। ଏହା ପରେ ଆହୁରି ୧୫ ବସ୍ ଆସିଥିଲା। ଡିଡିସିଏ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ ଲକ୍ଷ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୧ ଲକ୍ଷ ଟଙ୍କା ଦାନ କରି ସାରିଛି। ଆମର ସମସ୍ତ କର୍ମଚାରୀ ଏବେ କାମରେ ଲାଗିଛନ୍ତି। ତେବେ ଆମେ ଡ୍ରେସିଂ ରୁମ୍ ଓ ଏହାର ଆଖପାଖ ଅଞ୍ଚଳ ପରିବର୍ତ୍ତେ ନେଟ୍ସ ଅଞ୍ଚଳକୁ ବ୍ୟବହାର କରିବାକୁ ସରକାରଙ୍କୁ ଅନୁରୋଧ କରିଛୁ।

ସମ୍ବନ୍ଧିତ ଖବର