ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନ୍ର ଶନିବାର ସପ୍ତମ ଦିବସରେ ମହିଳା ଏକକ ବର୍ଗରେ ଦୁଇ ଜଣ ମାନ୍ୟତାପ୍ରାପ୍ତ ଖେଳାଳି ବିଦାୟ ନେଇଛନ୍ତି। ତୃତୀୟ ରାଉଣ୍ଡରେ ପଞ୍ଚମ ମାନ୍ୟତାପ୍ରାପ୍ତ ୟୁକ୍ରେନ୍ର ଇଲିନା ସ୍ବିତୋଲିନା ଏବଂ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭା ପରାଜୟ ବରଣ କରିଛନ୍ତି। ସ୍ବିତୋଲିନାଙ୍କୁ ସିଧାସଳଖ ୬-୩ ଓ ୬-୨ ସେଟ୍ରେ ପରାସ୍ତ କରି ଚେକ୍ ଗଣରାଜ୍ୟର ବାର୍ବୋରା କ୍ରେସିକୋଭା ଏବଂ ମୁଚୋଭାଙ୍କୁ ୬-୩ ଓ ୭-୫ ସିଧାସଳଖ ସେଟ୍ରେ ପୂର୍ବତନ ୟୁଏସ୍ ଓପନ୍ ବିଜୟିନୀ ତଥା ପୂର୍ବତନ ତିନି ନମ୍ବର ଆମେରିକା ଲଳନା ସ୍ଲୋଆନେ ଷ୍ଟିଫେନ୍ସ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ସେହିପରି ଚତୁର୍ଥ ମାନ୍ୟତାପ୍ରାପ୍ତ ଆମେରିକାର ସୋଫିଆ କେନିନ୍ ନିଜ ଦେଶର ଜେସିକା ପେଗୁଲାଙ୍କୁ ୪-୬, ୬-୧ ଓ ୬-୪ରେ ଏବଂ ୟୁକ୍ରେନ୍ର ମାର୍ତା କୋସ୍ତିୟୁକ୍ ୬-୧, ୬-୨ରେ ରୁଷିଆର ବାର୍ବରା ଗ୍ରାଚେଭାଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପହଞ୍ଚିଛନ୍ତି।
ଅନ୍ୟପକ୍ଷରେ ପୁରୁଷ ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍, ତୃତୀୟ ମାନ୍ୟତାପ୍ରାପ୍ତ ସ୍ପେନ୍ ତାରକା ରାଫେଲ ନାଦାଲ, ପଞ୍ଚମ ମାନ୍ୟତାପ୍ରାପ୍ତ ଷ୍ଟିଫାନୋସ୍ ସିସିପାସ୍, ଦଶମ ମାନ୍ୟତାପ୍ରାପ୍ତ ଡିଏଗୋ ସ୍ବାର୍ଜମ୍ୟାନ୍ ଏବଂ ଏବଂ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ଇଟାଲି ତାରକା ଜାନିନ୍ ସିନେର୍ ବିଜୟ ଧାରା ଜାରି ରଖି ଚତୁର୍ଥ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଶନିବାର ତୃତୀୟ ରାଉଣ୍ଡ ମୁକାବିଲାରେ ଜୋକୋଭିକ୍ ୬-୧, ୬-୪, ୬-୧ରେ ଲିଥୁନିଆର ରିକାର୍ଡାସ୍ ବେରାନକିସ୍ଙ୍କୁ, ନାଦାଲ ୬-୩, ୬-୩ ଓ ୬-୩ରେ ଇଂଲଣ୍ଡର କାମେରନ୍ ନୁରିଙ୍କୁ ଏବଂ ସିନେର୍ ୬-୧, ୭-୫ ଓ ୬-୩ରେ ସ୍ବିଡେନ୍ର ମିକାଏଲ୍ ୟେମେର୍ଙ୍କୁ ପରାସ୍ତ କରିଥିଲା ବେଳେ ଗ୍ରିସ୍ ତାରକା ସିସିପାସ୍ ଆମେରିକାର ଜନ୍ ଇଜ୍ନରଙ୍କୁ ୫-୭, ୬-୩, ୭-୬ ଓ ୬-୧ ସେଟ୍ରେ ପରାସ୍ତ କରିଥିଲେ। ସେହିପରି ଆର୍ଜେଣ୍ଟିନା ତାରକା ସ୍ବାର୍ଜମ୍ୟାନ୍ ୬-୪, ୬-୨ ଓ ୬-୧ ସିଧାସଳଖ ସେଟ୍ରେ ଜର୍ମାନିର ଫିଲିପ୍ କୋଲ୍ସ୍ରେଇବରଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡ ସ୍ଥାନ ପକ୍କା କରିଛନ୍ତି। ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ ତୃତୀୟ ରାଉଣ୍ଡ ମୁକାବିଲାରେ ନିଜ ଦେଶର ମାର୍କୋ ସେଚିନାଟୋଙ୍କୁ ୩-୬, ୬-୪, ୬-୩, ୩-୬ ଓ ୬-୩ ସେଟ୍ରେ ପରାସ୍ତ କରି ଇଟାଲିର ଲରେଞ୍ଜୋ ମୁସେଟି ଚତୁର୍ଥ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି।