ଶେଷ କ୍ଷଣରେ ହାରିଲା ଓଡ଼ିଶା ଏଫ୍‌ସି, ଏଟିକେ ମୋହନବାଗାନକୁ ବିଜୟ ଦେଲେ କୃଷ୍ଣ

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଗୁରୁବ‌ାର ଖେଳାଯାଇଥିବ‌ା ପଞ୍ଚଦଶତମ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଇଞ୍ଜୁରି ଟାଇମ୍‌ରେ ପରାଜୟ ବରଣ କରିବାକୁ ବାଧ୍ୟ ହୋଇଛି। କୃଷ୍ଣ ରୟଙ୍କ ଶେଷ ମିନିଟ୍‌ ଗୋଲ୍‌ ବଳରେ ଏଟିକେ ମୋହନବାଗାନ ୧-୦ ଗୋଲ୍‌ରେ ଭୁବନେଶ୍ବରର ଏହି ଦଳକୁ ପରାସ୍ତ କରିଛି। ଗୋଆର ଫାଟୋର୍ଡା ଷ୍ଟାଡିୟମରେ ଖେଳାଯାଇଥିବା ‌ଏହି ମ୍ୟାଚ୍‌ର ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଧ‌ ମଧ୍ୟ ଗୋଲ୍‌ଶୂନ୍ୟ ଆଡ଼କୁ ଗତି କରୁଥିଲା। ହେଲେ ଇଞ୍ଜୁରି ଟାଇମ୍‌ (୯୦+୫ ମିନିଟ୍‌)ରେ ସନ୍ଦେଶ ଝିଙ୍ଗାନଙ୍କ ପାସ୍‌କୁ କୃଷ୍ଣ ହେଡର୍‌ରେ ଓଡ଼ିଶା ଗୋଲ୍‌ ପୋଷ୍ଟ୍‌କୁ ପଠାଇ ଦଳକୁ ପୂରା ୩ ପଏଣ୍ଟ୍‌ ଭେଟି ଦେଇଥିଲେ। ଏହି ବିଜୟ ସହ ଏଟିକେ ମୋହନବାଗାନ ୩ ମ୍ୟାଚ୍‌ରେ ଅପରାଜୟ ରହି ୯ ପଏଣ୍ଟ୍‌ ସହ ଟେବୁଲର ଶୀର୍ଷରେ ପହଞ୍ଚିଛି। ଅନ୍ୟପକ୍ଷରେ ଓଡ଼ିଶା ଏଫ୍‌ସି ୩ ମ୍ୟାଚ୍‌ରୁ ୨ ପରାଜୟ ଓ ଗୋଟିଏ ଅମୀମାଂସିତ ସହ ୧ ପଏଣ୍ଟ୍‌ ସହ ଟେବୁଲର ଦଶମ ସ୍ଥାନରେ ରହିଛି। ବୁଧବାର ଖେଳାଯାଇଥିବା ହାଇଦ୍ର‌ାବାଦ ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଥିଲା। ଶୁକ୍ରବାର ଚେନ୍ନାୟିନ୍‌ ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ମୁକାବିଲା ହେବ।

ସମ୍ବନ୍ଧିତ ଖବର