ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଟିମ୍ ବାଛିବାରେ ପକ୍ଷପାତ କରିଛି ଜାତୀୟ ଚୟନ କମିଟି। ଏଭଳି କହି ଏବେ ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍ ଦଳର ମହାନ ବ୍ୟାଟ୍ସମ୍ୟାନ୍ କୃଷ୍ଣମାଚାରୀ ଶ୍ରୀକାନ୍ତ। ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଜୁନ୍‌ ୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହିଟ୍‌ମ୍ୟାନ୍ ରୋହିତ ଶର୍ମାଙ୍କୁ ଆଶାଜନକ ଭାବେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଗଠିତ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ତେବେ ଚଳିତ ଆଇପିଏଲ୍‌ରେ ଦୁର୍ବଳ ବ୍ୟାଟିଂ ସହ ଦୟନୀୟ ବୋଲିଂ କରିବା ସତ୍ତ୍ବେ ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଜାତୀୟ ଚୟନ କମିଟି।

Advertisment

ତେବେ ଅନେକ ଖେଳାଳିଙ୍କୁ ବାଦ୍ ଦିଆଯାଇଥିବା ବେଳେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଅନେକ ଖେଳାଳିଙ୍କୁ ଏଣ୍ଟ୍ରି ମଧ୍ୟ ମିଳିଛି। ସବୁଠୁ ଆଶ୍ଚର୍ଯ୍ୟ କରିଛି ରୁତୁରାଜ ଗାଏକ୍ବାଡଙ୍କ ବାଦ୍ ପଡ଼ିବା। ସିଏସକେରୁ ରବିନ୍ଦ୍ର ଜାଦେଜା ଏବଂ ଶିବମ ଦୁବେଙ୍କ ଭଳି ଖେଳାଳିଙ୍କୁ ବିଶ୍ୱକପ‌ ଟିମରେ ସାମିଲ କରାଯାଇଥିବା ବେଳେ ଋତୁରାଜଙ୍କୁ ସ୍ଥାନ ମିଳିନାହିଁ। ଚଳିତ ଆଇପିଏଲ୍ ସିଜନରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ରୁତୁରାଜ ଗାଏକ୍ବାଡଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି, ତଥାପି ସେ ବିଶ୍ୱକପ ଦଳରେ ସ୍ଥାନ ପାଇନଥିବାରୁ ପକ୍ଷପାତ କରାଯାଇଥିବା କହିଛନ୍ତି କୃଷ୍ଣମାଚାରୀ ଶ୍ରୀକାନ୍ତ।

ଶ୍ରୀକାନ୍ତ ନିଜ ୟୁଟ୍ୟୁବ ଚ୍ୟାନେଲର ଏକ ଭିଡିଓରେ କହିଛନ୍ତି, "ଶୁଭମନ ଗିଲ ସମ୍ପୂର୍ଣ୍ଣ ରୂପେ ଫର୍ମରେ ନାହାନ୍ତି। କିନ୍ତୁ ସେ କାହିଁକି ଦଳରେ ମନୋନୀତ ହୋଇଛନ୍ତି? ଏଥିରେ କୌଣସି ସନ୍ଦେହ ନାହିଁ ଯେ ରୁତୁରାଜ ଗାଏକ୍ବାଡ ଟିମରେ ସ୍ଥାନ ପାଇବାକୁ ଯୋଗ୍ୟ। ସେ ୧୭ଇନିଂସରେ ୫୦୦ରନ ସ୍କୋର କରିଛନ୍ତି। ଶୁଭମନ ଗିଲ ଚୟନକର୍ତ୍ତାଙ୍କ ପାଇଁ ପ୍ରିୟ ଖେଳାଳି। ସେ ଟେଷ୍ଟ, ଓଡିଆଇ ଏବଂ ଟି-୨୦ରେ ବିଫଳ ହୋଇ ବି ଦଳରେ ସାମିଲ ହୋଇଛନ୍ତି।"