ଗାତାର ଟାଇବ୍ରେକର ଖେଳିବା ସହଜ କଥା ନୁହେଁ। ଏକଥା ମୁଁ ମୋ ଅଭିଜ୍ଞତାରୁ କହୁଛି। ୧୯୯୦ ବିଶ୍ୱକପ୍ରେ ଆମେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିଲୁ। ସେ ବର୍ଷ ମୁଁ ଅଧିନାୟକ ଥିଲି ଏବଂ ଆର୍ଜେଣ୍ଟିନା କ୍ୱାର୍ଟର ଏବଂ ସେମିଫାଇନାଲରେ ୟୁଗୋସ୍ଲୋଭିଆ ଓ ଇଟାଲିକୁ ପେନାଲ୍ଟି ସୁଟଆଉଟରେ ହରାଇଥିଲା। କ୍ରୋଏସିଆ ସମାନ କଥା କରିଛି, ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ। ୨୪୦ ମିନିଟ୍ର ନକ୍ଆଉଟ୍ ଫୁଟବଲ୍ ପରେ ସୁଟଆଉଟ୍ ବ୍ୟଥା ଯେ କୌଣସି ଦଳକୁ ହାଲିଆ କରିଦିଏ। ୧୯୯୦ ଫାଇନାଲରେ ଆମେ ଏହାର ପ୍ରଭାବକୁ ବେଶ୍ ଭଲ ଭାବରେ ଅନୁଭବ କରିଥିଲୁ। ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ଗୋଟିଏ ପେନାଲ୍ଟି ପାଇଁ ହାରି ଯାଇଥିଲୁ। ଆମର ଦୁଇ ଜଣ ଖେଳାଳିଙ୍କୁ ଲାଲ କାର୍ଡ ମିଳିବା ଫାଇନାଲ୍ ପରାଜୟର ଅନ୍ୟ ଏକ କାରଣ ବି ଥିଲା।
ଏସବୁ କହିବାର ତାତ୍ପର୍ଯ୍ୟ ହେଉଛି କ୍ରୋଏସିଆ ଦଳ ଏବେ ସେହି ସ୍ଥିତିରେ ରହିଛି। ଲଗାତାର ଦୁଇଟି ସୁଟଆଉଟ୍ ଖେଳିବାର ମାତ୍ର ୩ ଦିନ ଭିତରେ ସେମିଫାଇନାଲ୍ ଖେଳିବାକୁ ଯାଉଛି। ଏହି ଦଳର ଗୋଲ୍ରକ୍ଷକ ଡାନିଜେଲ ସୁବାସିକଙ୍କ ସହ ମୋର ସମବେଦନା ରହିଛି। ସେ ହିଁ କ୍ରୋଏସିଆକୁ ବଞ୍ଚାଇ ଦେଇଛନ୍ତି। ରୁଷିଆ ବିପକ୍ଷ ମ୍ୟାଚ୍ର ଦ୍ୱିତୀୟାର୍ଧରେ ଆହତ ହେବା ସତ୍ତ୍ୱେ ଶେଷ ପର୍ଯ୍ୟନ୍ତ ସେ ନିଜ ଶ୍ରେଷ୍ଠ ଖେଳ ଖେଳିଥିଲେ। ଫାଇନାଲର ଏତେ ନିକଟରେ ଥିବାରୁ ଜ୍ଲାଟକୋ ଡାଲିକଙ୍କ ଦଳ ସେଠାକୁ ଯିବାକୁ ପୂରା ବ୍ୟଗ୍ର। ଅନ୍ୟପକ୍ଷରେ ଗ୍ୟାରେଥ୍ ସାଉଥଗେଟଙ୍କ ଇଂଲଣ୍ଡ ପୂରା ସତେଜ ଏବଂ ପ୍ରଫୁଲ୍ଲିତ ଥିବ। କାରଣ ସେମାନଙ୍କ କ୍ୱାର୍ଟର ଫାଇନାଲ୍ ୯୦ ମିନିଟ୍ରେ ଶେଷ ହୋଇ ଯାଇଥିଲା। ଚଳିତ ବିଶ୍ୱକପ୍ରେ ଅଧିକାଂଶ ଇଂଲଣ୍ଡ ଗୋଲ୍ ପେନାଲ୍ଟି କିମ୍ବା ଫ୍ରିକକ୍ରୁ ଆସିଛି। ସେମାନେ ଉପରେ ଉପରେ ବକ୍ସ ଭିତରକୁ ବଲ୍ ପଠାଉଛନ୍ତି ଏବଂ ହେଡରରେ ଗୋଲ୍ କରୁଛନ୍ତି। ହେଡର ଗୋଲ୍କୁ ରୋକି ନପାରିବା କ୍ରୋଏସିଆର ଏକ ବଡ଼ ଦୁର୍ବଳତା। ଏହା ଏକ ଚିନ୍ତାର କାରଣ। କ୍ରୋଏସିଆ ଖେଳାଳିମାନେ ଏକଜୁଟ ହୋଇ ଶ୍ରେଷ୍ଠ ଖେଳ ଖେଳିବାକୁ କିଛି ସମୟ ନେଉଛନ୍ତି। ଲୁକା ମୋଡ୍ରିକଙ୍କ ନେତୃତ୍ୱରେ ସେମାନଙ୍କ ମଧ୍ୟଭାଗ ଖେଳାଳିମାନେ ନିଜ ନିଜ ମଧ୍ୟରେ ଖେଳି ଫର୍ମକୁ ଆସୁଛନ୍ତି। ସେମାନଙ୍କ ଆକ୍ରମଣ ମଧ୍ୟ ସେତେ ଅସରଦାର ନୁହେଁ। ତୁଳନାତ୍ମକ ଭାବେ ଇଂଲଣ୍ଡ ଗତି ଏବଂ ରୂପାନ୍ତରରେ ଟିକିଏ ଆଗୁଆ ରହିବ। ଡେଙ୍ଗା ଖେଳାଳି ଥିବାରୁ ସେମାନେ ସ୍ୱିଡେନ୍ ରକ୍ଷଣଭାଗ ଖେଳାଳିଙ୍କୁ ବହୁ ଅସୁବିଧାରେ ପକାଇଥିଲେ। ହେଲେ କ୍ରୋଏସିଆର ରକ୍ଷଣଭାଗ ମୋତେ ପ୍ରଭାବିତ କରିଛି। ସେମାନେ ସମସ୍ତେ ଜଣେ ଜଣେ ଯୋଦ୍ଧା। ସେମାନଙ୍କ ଶାରୀରିକ ଭାଷା ଏବଂ ପ୍ରତିବଦ୍ଧତା ମଧ୍ୟ ସକାରାତ୍ମକ। ଶୃଙ୍ଖଳିତ ଖେଳରେ ସେମାନେ ଇଂଲଣ୍ଡକୁ ଅଟକାଇ ପାରିବେ। ବିଶ୍ୱକପ୍ର ସାଂପ୍ରତିକ ସ୍ଥିତିରେ କୌଣସି ପୂର୍ବାନୁମାନ କରିବା ସହଜ ନୁହେଁ। ତଥାପି ବୁଧବାର କ୍ରୋଏସିଆର ଚାପକୁ ସମ୍ମୁଖୀନ ହେବାର ଦକ୍ଷତା କଡ଼ା ପରୀକ୍ଷାର ସମ୍ମୁଖୀନ ହେବ।
କ୍ରୋଏସିଆ ପାଇଁ କଠୋର ପରୀକ୍ଷା
ହ୍ୟାଣ୍ଡ୍ ଅଫ୍ ଗଡ୍ ଏଗୋ ମାରାଡୋନା