ଶୁଭ୍ରାଂଶୁଙ୍କ ଅପରାଜିତ ଶତକ; ଓଡ଼ିଶାକୁ ୧ ପଏଣ୍ଟ

କୁଚ୍‌ବେହାର ଟ୍ରଫି: ୩ ପଏଣ୍ଟ୍‌ ନେଲା ମଧ୍ୟପ୍ରଦେଶ

କଟକ: ରଣଜୀ ଯୁବ ପ୍ରତିଭା ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଶତକ ଓ ଅଧିନାୟକ ଦେବେନ୍ଦ୍ର କୁଅଁରଙ୍କ ଲଢୁଆ ଅର୍ଧଶତକ ବଳରେ ଓଡ଼ିଶା କୁଚ୍‌ବେହାର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌କୁ ଅମୀମାଂସିତ ରଖିବାରେ ସଫଳ ହୋଇଛି। ତଥାପି ପ୍ରଥମ ପାଳି ଅଗ୍ରଣୀ ଯୋଗୁଁ ଘରୋଇ ମଧ୍ୟପ୍ରଦେଶ ଦଳକୁ ୩ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶା ୧ ପଏଣ୍ଟରେ ସନ୍ତୁଷ୍ଟ ରହିଛି। ତୃତୀୟ ଦିନ ଲଢ଼ିଥିବା ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ଓ ଦେବେନ୍ଦ୍ର ଶେଷ ଦିନ ବି ଧୈର୍ଯ୍ୟ ହରାଇନଥିଲେ। ଧିମା ଖେଳିବା ସହ ଦେବେନ୍ଦ୍ର ଅର୍ଧଶତକ ଅର୍ଜନ କରି ଶୁଭ୍ରାଂଶୁଙ୍କ ସହ ମହତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ତେବେ ୫୯ ରନ୍‌ କରିଥିଲା ବେଳେ (୧୨୨ ବଲ୍‌, ୮ ଚୌକା, ୧ ଛକା) ଦେବେନ୍ଦ୍ର ମଧ୍ୟପ୍ରଦେଶ ଓ୍ଵିକେଟ ରକ୍ଷକଙ୍କ ହାତରେ କ୍ୟାଚ୍‌ ଆଉଟ ହୋଇଯାଇଥିଲେ। ତାଙ୍କ ପରେ ଆସିଥିବା ଜାମେଲା ମହାପାତ୍ର (୧୬ ରନ୍‌, ୮୫ ବଲ୍‌) ଓ ସର୍ବେଶ୍ୱର ମହାନ୍ତି (୪୫ ରନ୍‌, ୯୬ ବଲ୍‌) ଅତ୍ୟନ୍ତ ସକର୍ତତାର ସହ ଖେଳି ଓଡ଼ିଶାକୁ ପରାଜୟରୁ ବଞ୍ଚାଇବାରେ ସହାୟକ ହୋଇଥିଲେ। ଏହି ଦୁଇ ଜଣ ଶୁଭ୍ରାଂଶୁଙ୍କ ସହ ମିଶି ଯଥାକ୍ରମେ ୫୩ ଓ ୯୬ ରନ୍‌ର ଭାଗୀଦାରି କରିଥିଲେ। ଖେଳ ଶେଷ ହେବା ବେଳକୁ ଶୁଭ୍ରାଂଶୁ ୩୫୭ ବଲ୍‌ର ସମ୍ମୁଖୀନ ହୋଇ ୧୬ ଚୌକା ଓ ୧ ଛକା ସହାୟତାରେ ଅପରାଜିତ ୧୬୨ ରନ୍‌ କରିଥିଲେ। ମଧ୍ୟପ୍ରଦେଶର ନମନ ଭଟ୍ଟ ୩, ଭେଙ୍କଟେଶ ଆୟାର ୨ ଓ୍ଵିକେଟ ନେଇଥିଲେ। ପୂର୍ବରୁ ପ୍ରଥମ ପାଳିରେ ଓଡ଼ିଶା ୧୭୩ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା ବେଳେ ଆର୍ଯ୍ୟମାନ ବିର୍ଲାଙ୍କ ଶତକ ସହାୟତାରେ ମଧ୍ୟପ୍ରଦେଶ ୩୯୯ ରନ୍‌ କରି ପାଳି ଅଗ୍ରଣୀ ପାଇଥିଲା। ମ୍ୟାଚ୍‌ରେ ଶୁଭମ୍‌ ନାୟକ ଓ ଘରୋଇ ଦଳର ମହମ୍ମଦ ଆର୍ସଦ ଖାନ୍‌ ୫ ଓ୍ଵିକେଟ ଲେଖାଏଁ ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର