କୁଚବେହାର ଟ୍ରଫି: ୨ ଶତକ, ଦୃଢ଼ ସ୍ଥିତିରେ କେରଳ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ୧୯ ବର୍ଷରୁ କମ୍‌ ଓଡ଼ିଶା-କେରଳ କୁଚ୍‌ବେହାର ଟ୍ରଫି ମ୍ୟାଚ୍‌ରେ ଅତିଥି ଦଳ ଜୋରଦାର ଆରମ୍ଭ କରିଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା କେରଳ ଦଳ ପ୍ରଥମ ଦିନ ମାତ୍ର ୩ ୱିକେଟ୍‌ ହରାଇ ୩୧୬ ରନ୍‌ କରି ନେଇଛି। ୧୩ ରନ୍‌ରେ ୨ଟି ଓ ୭୪ ରନ୍‌ରେ ୩ଟି ୱିକେଟ୍‌ ହରାଇଥିବା କେରଳ କିନ୍ତୁ ଅସମାପ୍ତ ଚତୁର୍ଥ ୱିକେଟ୍‌ରେ ୨୪୨ ରନ୍ ଯୋଡ଼ି ନିଜ ସ୍ଥିତି ସୁଦୃଢ଼ କରିଛି। ଏହାର ଦୁଇ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ଅଧିନାୟକ ବତ୍ସଲ ଗୋବିନ୍ଦ ଶର୍ମା (୧୧୬*) ଏବଂ ଅଶ୍ବିନ ଭି ଆନନ୍ଦ (୧୫୦*) ଶତକ ହାସଲ କରି ଅପରାଜିତ ଅଛନ୍ତି। ମଧ୍ୟାହ୍ନ ଭୋଜନ ପୂର୍ବରୁ ବ୍ୟାଟିଂ ପାଇଁ ଆସିଥିବା ଏହି ଦୁଇ ଖେଳାଳି ପରବର୍ତ୍ତୀ ୨ଟି ଅଧିବେଶନ କ୍ରିଜ୍‌ରେ ରହି ଘରୋଇ ଦଳର ବୋଲରଙ୍କୁ ନିରାଶ କରିଛନ୍ତିି। ଶେଖର ମାଝୀ ୨ଟି ଏବଂ ବିଶ୍ବଜିତ ମଲ୍ଲିକ ‌େଗାଟିଏ ୱିକେଟ୍ ପାଇଥିଲେ। ଶେଖର ପ୍ରଥମ ବଲ୍‌ରେ ଟିଜେ ଅଦିଦେବ (୦)ଙ୍କୁ ଏବଂ ସପ୍ତମ ଓଭରରେ ଜେ ଅନନ୍ତକ୍ରିଷ୍ଣନ (୩)ଙ୍କୁ ଲେଗ୍‌ବିଫୋର କରିଥିଲେ। ଏହାପରେ ସିଏ ଅମ୍‌ଲା ୩୬ ରନ୍‌ କରିଥିଲା ବେଳେ ବିଶ୍ବଜିତଙ୍କ ଶିକାର ହୋଇଥିଲେ। ଏହାପରେ ବତ୍ସଲ ଏବଂ ଅଶ୍ବିନ କ୍ରିଜ୍‌ରେ ଜମି ଘରୋଇ ବୋଲରଙ୍କୁ ଆରାମରେ ଖେଳିଥିଲେ। ଅଶ୍ବିନୀ ୧୯୯ ବଲ୍‌ ଖେଳି ୧୯ ଚୌକା, ୩ ଛକା ବଳରେ ୧୫୦* ରନ୍‌ କରିଛନ୍ତି। ଅଧିନାୟକ ବତ୍ସଲ ୨୪୫ ବଲ୍‌ର ସାମ୍‌ନା କରି ୧୪ ଚୌକା ସହ ୧୧୬ ରନ୍‌ରେ ଅପରାଜିତ ଅଛନ୍ତି।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି, ବିଜେଡି ଜିଲ୍ଲା ସଭାପତି ଡ. ପ୍ରମୋଦ ରଥ ଅତିଥି ଭାବେ ଯୋଗ ଦେଇ ମ୍ୟାଚ୍‌ ଉଦ୍‌ଘାଟନ କରିଥିଲେ। ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ, ଉପସଭାପତି ରାଜୀବ ବିଶ୍ବାସ, ଗେମ୍‌ସ ସଂପାଦକ ପ୍ରଶାନ୍ତ ସେଠ, ହକି ସଂପାାଦକ କାଳୁ ଚରଣ ସ୍ବାଇଁ, ପରିଷଦ ସଦସ୍ୟ ବିକାଶ ମିଶ୍ର, ସୁବୋଧ ସାହୁ, ସୁନୀଲ ସାହୁ, ଅମୂଲ୍ୟ ମିଶ୍ର, ମନୋଜ ଭୋଇ, ସୟଦ ଜିନ୍ଦା, ମନୋରଂଜନ ପାଢ଼ୀ, ଡ. ବିଜୟ ପ୍ରଧାନ, ବିଶ୍ବମ୍ବର ବହିଦାର, ଅବିନାଶ ନନ୍ଦ, ପଦ୍ମ ନାୟକ, ଅଜିତ ହୋତା, ସୌମ୍ୟ ମହାନ୍ତି, ଜଗବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର