ଦ୍ବନ୍ଦ୍ବରେ କୁଳମଣି ପରିଡ଼ାଙ୍କ ଭୂମିକା, ଏକକାଳୀନ ଓଡ଼ିଶା ଓ ରେଳବାଇ ଚୟନକର୍ତା

ନୂଆଦିଲ୍ଲୀ/କଟକ: ବିସିସିଆଇର ନୂଆ ସମ୍ବିଧାନରେ ଗୋଟିଏ ପଦ ଗୋଟିଏ ବ୍ୟକ୍ତି କଥା ସ୍ପଷ୍ଟ କରିଦିଆଯାଇଛି। ଏପରିକି ଦ୍ବୈତ ସ୍ବାର୍ଥ ଦ୍ବନ୍ଦ୍ବ କଥା ଉଠିଲେ ସ୍ପଷ୍ଟ ମତ ରଖିବାକୁ ବିଚାରପତି ଡିକେ ଜୈନଙ୍କୁ ନୈତିକ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। କିମ୍ବଦନ୍ତୀ ବ୍ୟାଟସମ୍ୟାନ୍‌ ରାହୁଲ ଦ୍ରାବିଡ଼ଙ୍କ ଭଳି ମହାନଙ୍କୁ ବି ନୈତିକ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ ପଡ଼ିଛି। କାରଣ ସେ ଜାତୀୟ କ୍ରିକେଟ୍‌ ଏକାଡେମି (ଏନସିଏ) ଏବଂ ଚେନ୍ନାଇ ସୁପର୍ କିଙ୍ଗସ ମାଲିକାନା ରଖିଥିବା ଇଣ୍ଡିଆ ସିମେଣ୍ଟସରେ ନିଯୁକ୍ତ ଥିଲେ। ଏତେ ସବୁ କଥା ସତ୍ତ୍ବେ ଆଶ୍ଚର୍ଯ୍ୟଜନକ ଭାବେ ଅବସରପ୍ରାପ୍ତ ଅଫସ୍ପିନର୍ କୁଳମଣି ପରିଡ଼ା ଦୁଇଟି ଭୂମିକାରେ ବିଗତ ୩ ବର୍ଷ ଧରି ରହିଛନ୍ତି। ରେଳବାଇ ଏବଂ ଓଡ଼ିଶା କ୍ରିକେଟ୍‌ ସଂଘର ବରିଷ୍ଠ ଚୟନକର୍ତା ଭୂମିକାରେ ରହି ବିବାଦରେ ଫସିଛନ୍ତି। ରେଳବାଇ ପାଇଁ ୧୦୮ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା କୁଳମଣି ମଧ୍ୟ ବର୍ତମାନ ଚାଲିଥିବା ବିଜୟ ହଜାରେ ଟ୍ରଫିର ଉଭୟ ଓଡ଼ିଶା ଏବଂ ରେଳବାଇ ଦଳ ବାଛିଛନ୍ତି। ସବୁଠାରୁ ମଜାକଥା ହେଲା ରେଳବାଇ ସ୍ପୋର୍ଟସ ପ୍ରମୋସନ୍ ବୋର୍ଡ (ଆରଏସପିବି) ଏ ସମ୍ପର୍କରେ ଅଜ୍ଞ ରହିଛି। ଏହାର ସମ୍ପାଦକ ପ୍ରେମ ଚାନ୍ଦ ଲୋଚବ କହିଛନ୍ତି, ‘ଆମେ ଏ ବିଷୟରେ ତର୍ଜମା କରୁଛୁ। ଆମକୁ ଏଇ ନିକଟରେ ହିଁ ସୂଚନା ମିଳିଛି। ଏହାକୁ ଠିକଣା ଭାବେ ବିଚାର କରିବୁ’ ବୋଲି ଲୋଚବ ପ୍ରକାଶ କରିଛନ୍ତି। ଆର୍‌ଏସ୍‌ପିବି ସଂ‌ଯୋଜକ ସଂଜୟ କୁମାର ସ୍ପଷ୍ଟ କରିଛନ୍ତି ଯେ ରେଳବାଇ ଚୟନକର୍ତାଙ୍କୁ ପ୍ରାପ୍ୟ ‌ଦିଏ ନାହିଁ, ତେଣୁ ଏହା କୌଣସି ଆଇନର ଉଲ୍ଲଂଘନ କରୁନାହିଁ। ତେଣୁ ଏହ‌ା କିଛି ବଡ଼ ପ୍ରସଙ୍ଗ ନୁହେଁ। କୁଳମଣିଙ୍କ ଭଳି ବହୁ ଖେଳାଳି ବି ଏଭଳି ଭୂମିକା ତୁଲାଉଛନ୍ତି। ଅନ୍ୟତମ ରେଳବାଇ ଚୟନକର୍ତା ସନ୍ତୋଷ ସାକ୍ସେନା ମଧ୍ୟ ରେଳବାଇର ୨୩ ବର୍ଷର କମ୍ ଦଳ ଚୟନକର୍ତା ଭାବେ ଦୀର୍ଘ ଦିନରୁ ରହିଛନ୍ତି। କୁଳମଣି ମଧ୍ୟ ସମାନ କଥା‌ କହିଛନ୍ତି ‘ରେଳବାଇର ଚୟନକର୍ତା ଭୂମିକା ଆମ ନିଯୁକ୍ତିର ଅନ୍ୟ ଗୋଟିଏ ସାଧାରଣ ଦାୟିତ୍ବ ଭଳି। ଏଥି ପାଇଁ କୌଣସି ପ୍ରାପ୍ୟ ମିଳୁନଥିବାରୁ ଦ୍ବନ୍ଦ୍ବ ଉଠିବାର ନାହିଁ ବୋଲି କହିଛନ୍ତି ଦୁଇ ଥର ରଣଜୀ ଟ୍ରଫି ବିଜେତା ଏହି ଓଡ଼ିଆ ଅଫସ୍ପିନର। ଅନ୍ୟପକ୍ଷରେ ଆମକୁ ମିଳିଥିବା ସୂଚନା ଅନୁସାରେ ରେଳବାଇ ଚୟନକର୍ତାମାନଙ୍କୁ କୌଣସି ପ୍ରାପ୍ୟ ମିଳୁନଥିଲେ ମଧ୍ୟ ସେମାନଙ୍କୁ ଏଥି ଲାଗି ଦୈନିକ ଭତ୍ତା ଏବଂ ଗସ୍ତ ଖର୍ଚ ମିଳିଥାଏ। ଯାହାକୁ ସଭିଏଁ ଲୁଚାଇ ରଖି ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି।

ସମ୍ବନ୍ଧିତ ଖବର