ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍ ରବିବାର ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଆଗୁଆ ଶୃଙ୍ଖଳା କବ୍ଜା କରିସାରିଥିବା ଘରୋଇ ଭାରତୀ ଶେଷ ମ୍ୟାଚ୍ ପାଇଁ ଦଳରୁ ଦୁଇ ପ୍ରମୁଖ ଦ୍ରୁତ ବୋଲର ଉମେଶ ଯାଦବ ଓ ଯଶ୍ପ୍ରୀତ୍ ବୁମ୍ରାଙ୍କ ସହିତ ଚାଇନାମ୍ୟାନ୍ ସ୍ପିନର କୁଲ୍ଦୀପ୍ ଯାଦବଙ୍କୁ ବିଶ୍ରାମ ଦେଇଛି। ଆଗକୁ ଗୁରୁତ୍ବପୂର୍ଣ୍ଣ ଅଷ୍ଟ୍ରେଲିଆ ଗସ୍ତକୁ ଦୃଷ୍ଟିରେ ରଖି ଏହି ୩ ଜଣଙ୍କୁ ବିଶ୍ରାମ ଦିଆଯାଇଥିବା ଦଳୀୟ କର୍ତ୍ତୃପକ୍ଷ କହିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଆସନ୍ତା ୨୧ ତାରିଖରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ବ୍ରିସ୍ବେନ୍ରେ ଖେଳିବ। ତେଣୁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଓ ତାଜା ରହିବା ପାଇଁ ତିନି ପ୍ରମୁଖ ବୋଲରଙ୍କୁ ବିଶ୍ରାମ ଦିଆଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) କାର୍ଯ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀ କହିଛନ୍ତି। ଗତ ଦୁଇଟି ମ୍ୟାଚ୍ରେ କୁଲ୍ଦୀପ୍ ମୋଟ ୫ ଓ ବୁମ୍ରା ୩ ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ପ୍ରଥମ ମ୍ୟାଚ୍ ଖେଳିବା ପରେ ଉମେଶଙ୍କୁ ଦ୍ବିତୀୟ ମ୍ୟାଚ୍ରୁ ବାଦ୍ ଦିଆଯାଇଥିଲା। ସେହି ମ୍ୟାଚ୍ରେ ଉମେଶ ଗୋଟିଏ ୱିକେଟ୍ ପାଇଥିଲେ। ତେବେ ମନୋନୟନକର୍ତାମାନେ ତୃତୀୟ ମ୍ୟାଚ୍ ପାଇଁ ଶୁକ୍ରବାର ଘୋଷିତ ଦଳରେ ପଞ୍ଜାବ ଦ୍ରୁତ ବୋଲର ସିଦ୍ଧାର୍ଥ କୌଲଙ୍କୁ ସାମିଲ କରିଛନ୍ତି। ଚଳିତ ବର୍ଷ ଜୁନ୍ରେ ଡବ୍ଲିନ୍ରେ ଆୟର୍ଲାଣ୍ଡ୍ ବିପକ୍ଷରେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ପଦାର୍ପଣ କରିଥିବା କୌଲ ମାତ୍ର ୨ଟି ମ୍ୟାଚ୍ ଖେଳିଛନ୍ତି। ଭାରତୀୟ ଦଳ ଆସନ୍ତାକାଲି ଚେନ୍ନାଇ ପହଞ୍ଚିବ। ଏହି ମ୍ୟାଚ୍ରେ ଦଳରେ ପୂର୍ବରୁ ରହିଥିବା ଅଲ୍ରାଉଣ୍ଡର ୱାସିଂଟନ୍ ସୁନ୍ଦର ଓ ଶ୍ରେୟସ ଆୟର ଖେଳିବା ପ୍ରାୟତଃ ନିଶ୍ଚିତ।
ଉମେଶ, ବୁମ୍ରା, କୁଲ୍ଦୀପ୍ଙ୍କୁ ବିଶ୍ରାମ
ତୃତୀୟ ଟ୍ବେଣ୍ଟି-୨୦ ଦଳରେ କୌଲ ସାମିଲ
/sambad/media/post_attachments/wp-content/uploads/2018/11/2-Seamer-Siddarth-Kaul-was-included-in-the-squad..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)