ଆତ୍ମହତ୍ୟା ଚିନ୍ତା କରିଥିଲେ କୁଲଦୀପ

ନୂଆଦିଲ୍ଲୀ: ଚାଇନାମ୍ୟାନ୍‌ ସ୍ପିନର କୁଲଦୀପ ଯାଦବ ହେଉଛନ୍ତି ଭାରତୀୟ କ୍ରିକେଟ୍‌ର ଅନ୍ୟତମ ଚର୍ଚିତ ତଥା ସଫଳତମ ଉଦୀୟମାନ ତାରକା। ହେଲେ କୁଲଦୀପଙ୍କ ଜୀବନର ବି ଅନ୍ଧକାରମୟ ଦିଗ ରହିଛି। ଚୟନକର୍ତାଙ୍କ ଦ୍ୱାରା ବାରମ୍ବାର ଉପେକ୍ଷିତ ହେବା ପରେ ହତୋତ୍ସାହିତ କୁଲଦୀପ ଏକଦା ଆତ୍ମହତ୍ୟା କରିବା କଥା ମଧ୍ୟ ଚିନ୍ତା କରିଥିଲେ। ନିଜେ କୁଲଦୀପ ଏହି ଅକୁହା କଥା ଉପରୁ ପରଦା ଉଠାଇଛନ୍ତି।
ସଂପ୍ରତି ଭାରତୀୟ ଦିନିକିଆ ଦଳର ଅଭିନ୍ନ ଅଙ୍ଗ ପାଲଟିଥିବା ଏହି ଉତ୍ତର ପ୍ରଦେଶ ବୋଲରଙ୍କୁ ମାତ୍ର ୧୩ ବର୍ଷ ବୟସରେ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଭଲ କରିବା ସତ୍ତ୍ୱେ ଉତ୍ତର ପ୍ରଦେଶ ୧୫ ବର୍ଷରୁ କମ୍‌ ଦଳରେ ତାଙ୍କୁ ସ୍ଥାନ ମିଳି ନଥିଲା। ନିଜ ସଂଘର୍ଷ ଦିନର କଥାକୁ ମନେ ପକାଇ କୁଲଦୀପ କହିଛନ୍ତି ଯେ ଦଳରେ ସ୍ଥାନ ପାଇବା ଲାଗି ମୁଁ କଠିନ ପରିଶ୍ରମ କରିଥିଲି। ହେଲେ ମୋ ନାଁକୁ ଚୟନକର୍ତା ବିଚାରକୁ ନେଲେନି। ଦୁଃଖରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିବା କଥା ମୋ ମନକୁ ଆସିଥିଲା। ଦୁର୍ବଳ ମୁହୂର୍ତରେ ଏଭଳି ଭାବନା ସମସ୍ତଙ୍କ ମନକୁ ଆସିଥାଏ।
କୁଲଦୀପ ନିଜ ସ୍ପିନ୍‌ ସଫଳତାକୁ ନେଇ ବେଶ୍‌ ଖୁସି ଅଛନ୍ତି। ହେଲେ ସ୍ପିନ୍‌ ନୁହେଁ ଦ୍ରୁତ ବୋଲିଂ ତାଙ୍କର ପ୍ରଥମ ପସନ୍ଦ ଥିଲା। ଏଥିନେଇ ସେ କହିଛନ୍ତି ଯେ ଦ୍ରୁତ ବୋଲର ହେବାକୁ ମୋର ପ୍ରବଳ ଇଚ୍ଛା ଥିଲା। ହେଲେ ମୋ ପ୍ରଶିକ୍ଷକ ମୋତେ ସ୍ପିନର ହେବାକୁ ବାଧ୍ୟ କରିଥିଲେ। ଯେତେବେଳେ ମୁଁ କେତୋଟି ବଲ୍‌ ପକାଇଲି ଏହାକୁ ଏକ ଅଭ୍ୟାସ କରିଦେବାକୁ ସେ ମୋତେ ପରାମର୍ଶ ଦେଇଥିଲେ। ଅନ୍ୟଥା ମୁଁ ଜାଣି ନଥିଲି ଯେ ମୁଁ କିଛି ଭିନ୍ନ କଥା କରୁଛି।

ସମ୍ବନ୍ଧିତ ଖବର