ନାଗପୁର: ଦୁଇ କଚଟି ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କ ଅଭ୍ୟୁଦୟ ପରେ ଭାରତୀୟ ଦିନିକିଆ ଦଳରେ ଅଫ୍ ସ୍ପିନର ଆର ଅଶ୍ବିନଙ୍କ ବାଟ ଏକପ୍ରକାର ବନ୍ଦ ହୋଇ ଯାଇଛି। ସେହିଭଳି ବାମହାତୀ ସ୍ପିନ୍ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ତିନି ନମ୍ବର ସ୍ପିନର ଭାବେ ବିଚାର କରୁଛନ୍ତି। ହେଲେ ୟୁଜବେନ୍ଦ୍ର କିମ୍ବା ତାଙ୍କ ପାଇଁ ଅଶ୍ବିନ ଓ ଜାଦେଜା ଦଳ ବାହାରେ ରହୁଥିବା ଚର୍ଚା‌ ସହ କୁଲଦୀପ ଏକମତ ହୋଇ ନାହାନ୍ତି। ନାଗପୁରର ଜାମଥା ଷ୍ଟାଡିୟମଠାରେ ମଙ୍ଗଳବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆ ପୂର୍ବଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହାକୁ ଦୃଢ଼ ହସ୍ତରେ ଖଣ୍ଡନ କରିଛନ୍ତି। ନା ଆଦୌ ନୁହେଁ। ଆମେ କାହାକୁ ଦଳରୁ ବାହାର କରି ନାହୁଁ। କେବଳ ଯାହା ସୁଯୋଗର ସଦୁପଯୋଗ କରିଛୁ। ସେମାନେ (ଜାଦେଜା, ଅଶ୍ବିନ) ଭାରତ ପାଇଁ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଅଶ୍ବିନ ଓ ଜାଦୁ ଭାଇ ଏବେବି ଟେଷ୍ଟ୍ ମ୍ୟାଚ୍ ଖେଳୁଛନ୍ତି। ‌ସେମାନଙ୍କଠାରୁ ଆମେ ଅନେକ କିଛି ଶିଖିଛୁ। ସେମାନଙ୍କ ପାଖରେ ଢେର ଅଭିଜ୍ଞତା ରହିଛି। ଟେଷ୍ଟ୍‌ ଖେଳୁଥିଲା ବେଳେ ଉଭୟ ଅଶ୍ବିନ ଓ ଜାଦେଜାଙ୍କଠାରୁ ମୁଁ ବହୁତ କିଛି ଶିଖିଛି। ହିଁ ମୋତେ କିମ୍ବା ଚହଲକୁ ଯେତେବେଳେ ବି ସୁଯୋଗ ମିଳିଛି ଆମେ ଦଳ ପାଇଁ ଭଲ କରିଛୁ। ଦଳର ବିଜୟରେ ସହଯୋଗ ଦେଇଛୁ ବୋଲି କୁଲଦୀପ ଏଡି ଅବସରରେ କହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ କୁଲଦୀପ ଭଲ ବୋଲିଂ କରିଥିଲେ। ଜାଦେଜା ୱିକେଟ୍ ପାଇ ନଥିଲେ ମଧ୍ୟ ବେଶ୍ ମିତ୍ତବ୍ୟୟୀ ବୋଲିଂ କରିଥିଲେ। କେଉଁ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ସେ ସବୁଠାରୁ ବେଶୀ ଭୟ କରନ୍ତି? ବୋଲି ପ୍ରଶ୍ନ ହେବାରୁ କୁଲଦୀପ କହିଥିଲେ ଯେ ସତ କହିବାକୁ ଗଲେ କାହାକୁ ନୁହେଁ। ଏମିତି ହାତଗଣତି ବ୍ୟାଟ୍ସମ୍ୟାନ୍ ଅଛନ୍ତି, ଯିଏ ମୋତେ ଭଲ ଖେଳିଛନ୍ତି। ଛକା କିମ୍ବା ଚୌକା ଖାଇବାକୁ ମୋର ବି ଭୟ ନାହିଁ। ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ ସନ୍ ମାର୍ସ ତାଙ୍କ ବିରୋଧରେ ଭଲ କରିଛନ୍ତି ବୋଲି ସେ ସ୍ବୀକାର କରିଥିଲେ।