ନୂଆଦିଲ୍ଲୀ: ସ୍ଥାନୀୟ ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ‌ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ ପରେ ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନର କୁଲଦୀପ ୟାଦବ କୋଲ୍‌କାତା ନାଇଟ୍‌ ରାଇଡର୍ସ ବ୍ୟାଟର୍‌ ରିଙ୍କୁ ସିଂହଙ୍କୁ ଥରେ ନୁହେଁ ଦୁଇ ଥର ଚାପୁଡ଼ା ମାରିଛନ୍ତି। କୁଲଦୀପ ଚାପୁଡ଼ା ମାରୁଥିବାର ଦୃଶ୍ୟ ଲାଇଭ୍‌ ଟେଲିଭିଜନ୍‌ରେ ଧରାପଡ଼ି ଯାଇଥିଲା। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା‌ର କେନ୍ଦ୍ରବିନ୍ଦୁ ପାଲଟିଛି। ଘରୋଇ ପଡ଼ିଆରେ ଦିଲ୍ଲୀ କ୍ୟାପିଟାଲ୍ସର ଲଗାତାର ପରାଜୟ ପରେ ଏହି ଘଟଣା ଘଟିଥିଲା। ଏବେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ କୁଲଦୀପ, ରିଙ୍କୁ ଏବଂ ଅନ୍ୟ କିଛି ଖେଳାଳି ବାଉଣ୍ଡରି ନିକଟରେ ହସିହସି କଥା ହେଉଥିବାର ଦେଖାଯାଉଛି। ହେଲେ ହଠାତ୍‌ ରିଙ୍କୁଙ୍କୁ କୁଲଦୀପ ଚାପୁଡ଼ା ମାରିଥିଲେ। ଏଥିନେଇ ରିଙ୍କୁ ଆଶ୍ଚର୍ଯ୍ୟଚକିତ ହେବା ସହ ଲାଜରେ ତାଙ୍କ ମୁହଁ ଶୁଖି ଯାଇଥିଲା। ତେବେ କୁଲଦୀପ ସେତିକିରେ ଅଟକି ନଥିଲେ। 

Advertisment

ସଙ୍ଗେସଙ୍ଗେ ରିଙ୍କୁଙ୍କୁ ଆଉ ଏକ ଚାପୁଡ଼ା ମାରିଥିଲେ। ଯାହାକୁ ନେଇ କେକେଆର୍‌ ବ୍ୟାଟର୍‌ ରିଙ୍କୁ ବିରକ୍ତ ହୋଇଥିଲେ। କିନ୍ତୁ ଭିଡିଓରେ କୌଣସି ଶବ୍ଦ ନଥିଲା କି ଭାଷ୍ୟକାର ଏହାକୁ ନେଇ କିଛି ଆଲୋଚନା କରି ନଥିଲେ। ଫଳରେ କୁଲଦୀପଙ୍କ ଚାପୁଡ଼ା ମାରିବାର ରହସ୍ୟ ରହିସ୍ୟରେ ହିଁ ରହିଗଲା। କିନ୍ତୁ ଏହି ପ୍ରସଙ୍ଗ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାକୁ ଜୋର୍‌ କରିଥିଲା। କୁଲଦୀପଙ୍କୁ କିଛି ପ୍ରଶଂସକ ଛି ଛି କରିବା ସହ ବିସିସିଆଇ ଏହା ଉପରେ କିଛି କାର୍ଯ୍ୟନୁଷ୍ଠାନ ନେଉ ବୋଲି କିଛିଦାବି କରିଥିଲେ। ହେଲେ ଏହାପରେ କୁଲଦୀପ ଓ ରିଙ୍କୁ ତାଙ୍କ ଭିତରେ କିଛି ଫାଟ ନଥିବା କହିଛନ୍ତି। ଏହି ଘଟଣା ପରି କେକେଆର୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ହୃଦୟସ୍ପର୍ଶୀ ଭିଡିଓ ପୋଷ୍ଟ କରିଛି। ଏହାର ଶିରୋନାମରେ ଲେଖିଛି, ‘ମିଡିଆ (ସନ୍ଦେହଜନକ) ବନାମ (ପ୍ରକୃତବନ୍ଧୁତା) ବାସ୍ତବତା! ଏହି ୟୁପି ପିଲାଙ୍କର ଦୃଢ଼ ବନ୍ଧୁତା ରହିଛି’’। ଏହି ଭିଡିଓରେ କୁଲଦୀପ ଓ ରିଙ୍କୁ ଧରାଧରି ହୋଇ ପଚାରୁଛନ୍ତି, କେମିତି ହେଉଛି। ବ୍ୟାକ୍‌ଗ୍ରାଉଣ୍ଡରେ ସୋଲେ ଚଳଚ୍ଚିତ୍ରର ‌ଗୀତ ବାଜୁଛି ‘ଏ ଦୋସ୍ତି ‌ହମ୍‌ ନେହିଁ ତୋଡ଼େଙ୍ଗେ’।