କୁଲ୍‌ଦୀପଙ୍କୁ ସର୍ବଶ୍ରେଷ୍ଠ ଟ୍ବେଣ୍ଟି-୨୦ ମାନ୍ୟତା:୨୦ ସ୍ଥାନ ଲମ୍ଫ ଦେଇ ତୃତୀୟରେ ପହଞ୍ଚିଲେ

ଦୁବାଇ: ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ବୋଲଲ୍‌ ତାଲିକା‌ରେ ଶୀର୍ଷ-୫ ମଧ୍ୟରେ ଚାଇନାମ୍ୟାନ୍‌ ଭାରତୀୟ ସ୍ପିନର୍‌ କୁଲଦୀପ ଯାଦବ ସ୍ଥାନ ପାଇଛନ୍ତି। ସୋମବାର ଆଇସିସି ଦ୍ବାରା ପ୍ରକାଶିତ ଟ୍ବେଣ୍ଟି-୨୦ ମାନ୍ୟତାରେ କୁଲଦୀପ (ତୃତୀୟ) ଏବଂ ଆଦମ ଜାମ୍ପା (ପଞ୍ଚମ) ବଡ଼ ଲମ୍ଫ ଦେଇ ‌ପ୍ରଥମ ଥର ଲାଗି ୫ ମଧ୍ୟ‌ରେ ସ୍ଥାନ ପାଇଛନ୍ତି। କୁଲ୍‌ଦୀପ୍‌ ଏକାବେଳକେ ୨୦ ସ୍ଥାନ ଲମ୍ଫ ମାରି ଜୀବନର ସର୍ବଶ୍ରେଷ୍ଠ ମାନ୍ୟତା ପାଇଯାଇଥିଲା ବେଳେ ଜାମ୍ପା ମଧ୍ୟ ୧୭ ସ୍ଥାନ ଉପରକୁ ଉଠିଛନ୍ତି। ଏହି ଦୁଇ ରିଷ୍ଟ ସ୍ପିନର ମଧ୍ୟ ଭାରତୀୟ ଦ୍ରୁତ ବୋଲର ଯଶ୍‌ପ୍ରିତ୍‌ ବୁମ୍‌ରା ଓ ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରହମନ୍‌ଙ୍କୁ ଶୀର୍ଷ-୨୦ ବାହାରକୁ ପଠାଇ ଦେଇଛନ୍ତି। ଏପରିକି ଶୀର୍ଷ-୨୦ ମଧ୍ୟରେ ୧୩ ସ୍ପିନର ସାମିଲ ହୋଇଛନ୍ତି। ବାଂଲାଦେଶର ରସିଦ ଖାନ୍‌ ଏବଂ ବ୍ୟାଟିଂରେ ପାକିସ୍ତାନର ବାବର ଆଜମ ପ୍ରଥମ ସ୍ଥାନରେ ଅପରିବର୍ତିତ ଅଛନ୍ତି। ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନ୍‌ ୫ ସ୍ଥାନ ଲମ୍ଫ ଦେଇ ଏକାଦଶକୁ ଉଠିଥିଲା ବେଳେ ଲୋକେଶ ରାହୁଲ ଏବଂ ରୋହିତ ଶର୍ମା ୨ ଲେଖାଏଁ ସ୍ଥାନ ଖସି ଯଥାକ୍ରମେ ଷଷ୍ଠ ଓ ନବମରେ ରହିଛନ୍ତି। ‌ଦଳଗତ ମାନ୍ୟତାରେ ପାକିସ୍ତାନ ଶୀର୍ଷରେ ରହିଥିଲା ବେଳେ ଭାରତ ଦ୍ବିତୀୟ, ଇଂଲଣ୍ଡ ତୃତୀୟ, ଅଷ୍ଟ୍ରେଲିଆ ଚତୁର୍ଥ ଓ ଦକ୍ଷିଣ ଆଫ୍ରିକା ପଞ୍ଚମରେ ରହିଛି।

ସମ୍ବନ୍ଧିତ ଖବର