ସିଡନୀ: ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଚାଲିଥିବା ଭାରତ- ଅଷ୍ଟ୍ରେଲିଆ ଚତୁର୍ଥ ଓ ଅନ୍ତିମ ଟେଷ୍ଟରେ ଭାରତର ବିଶାଳ ୬୨୨/୭ ରନ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ ତୃତୀୟ ଦିନ ସଂଘର୍ଷ ଜାରି ରଖିଛି। ତୃତୀୟ ଦିନର ଖେଳ ଆହୁରି ୧୮ ଓଭର ବାକି ଥିବା ବେଳେ ଝିପିଝିପି ବର୍ଷା ଓ ଆଲୋକ ଅଭାବରୁ ଆଜି ପାଇଁ ବନ୍ଦ ରଖାଯାଇ ଷ୍ଟମ୍ପ ଅପସାରଣ କରି ନିଆଯାଇଛି । ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୨୩୬ରନ୍‌ରେ ୬ ଓ୍ଵିକେଟ ହରାଇ ଏବେ ବି ଭାରତ ଠାରୁ ୩୮୬ ରନ୍‌ ପଛରେ ରହି ସଂଘର୍ଷ ଚଳାଇଛି। ଭାରତୀୟ ବୋଲର କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଦେଜାଙ୍କ ନିଖୁଣ ବୋଲିଂର ସାମ୍‌ନା କରିବା ଅଷ୍ଟ୍ରଲିଆ ପାଇଁ କଷ୍ଟକର ହୋଇପଡ଼ିଛି।

Advertisment

ପେସ୍‌ ବୋଲରମାନେ ସିଡନୀ ପିଚ୍‌ରୁ ବିଶେଷ ଫାଇଦା ଉଠାଇ ପାରୁ ନ ଥିବା ବେଳେ ଭାରତର ଦୁଇ ନିର୍ଭରଯୋଗ୍ୟ ସ୍ପିନ୍‌ ବୋଲର କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଦେଜା ଅଷ୍ଟ୍ରେଲିଆ ଉପରେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଛନ୍ତି। ଗତକାଲି ଭାରତ ରବୀନ୍ଦ୍ର ଜାଦେଜାଙ୍କ ଆଉଟ୍‌ ପରେ ୬୨୨ରନରେ ପାଳି ଘୋଷଣା କରିଥିଲା। ତେବେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭରେ ମହମ୍ମଦ ସାମି ଏକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଋଷଭ ପନ୍ତ କ୍ୟାଚ୍‌ ମିସ୍‌ କରିବାରୁ ଅଷ୍ଟ୍ରେଲିଆ ଗତକାଲି ବିନା କୌଣସି ଓ୍ଵିକେଟ ହରାଇ ୨୪ ରନ୍‌ କରିଥିଲା। ଆଜି ତୃତୀୟ ଦିନ ଖେଳ ଆରମ୍ଭରେ ଅଷ୍ଟ୍ରେଲିଆ ବେଶ୍‌ ସତର୍କତା ଖେଳି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲା। ତେବେ ଅଷ୍ଟ୍ରେଲିଆର ସ୍କୋର ୭୨ ରନ୍‌ରେ ପହଞ୍ଚିଥିବା ବେଳେ ଭାରତକୁ ପ୍ରଥମ ସଫଳତା ମିଳିଥିଲା। କୁଲଦୀପ ଯାଦବ ଖଓ୍ଵାଜାଙ୍କୁ ଆଉଟ୍‌ କରିଥିବା ବେଳେ ରବୀନ୍ଦ୍ର ଜଦେଜା ଚମତ୍କାର ବୋଲିଂ କରି ଅଷ୍ଟ୍ରେଲିଆର ୨ଟି ଓ୍ଵିକେଟ ଅକ୍ତିଆର କରିଥିଲେ। ମାର୍କସ ହାରିସ୍‌ଙ୍କୁ ରବୀନ୍ଦ୍ର ଜାଦେଜା ବୋଲଡ୍‌ ଆଉଟ୍‌ କରିବା ପରେ ସନ୍‌ ମାର୍ସଙ୍କୁ ରାହାଣେଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଭାରତ ପାଇଁ ତୃତୀୟ ସଫଳତା ଆଣି ଦେଇଥିଲେ ରବୀନ୍ଦ୍ର ଜାଦେଜା।

publive-image

୧୪୪ରନ୍‌ରେ ୩ ଓ୍ଵିକେଟ ହରାଇ ସଂଘର୍ଷ କରୁଥିବା ଅଷ୍ଟ୍ରେଲିଆ ପାଇଁ ଆଉ ବିଶେଷ ଆଶ୍ୱସ୍ତି ମିଳି ନ ଥିଲା। ଲାବୁ ସଚାଗେନଙ୍କୁ ମହମ୍ମଦ ସାମି ୩୮ରନ୍‌ରେ ଆଉଟ୍‌ କରିବା ପରେ ପରବର୍ତ୍ତୀ ୨ ଅଷ୍ଟ୍ରେଲୀୟ ଓ୍ଵିକେଟ୍‌କୁ କୁଲଦୀପ ଯାଦବ ଅକ୍ତିଆର କରିଥିଲେ। ହେଡଙ୍କୁ କଟ ଆଣ୍ଡ ବୋଲ୍ଡ କରି ପାଭିଲିୟନକୁ ଫେରାଇବା ପରେ ଅଷ୍ଟ୍ରେଲୀୟ ଅଧିନାୟକ ପାଇନେଙ୍କୁ କ୍ଲିନ୍‌ ବୋଲ୍ଡ କରି ଯାଦବ ଭାରତ ପାଇଁ ୬ଷ୍ଠ ସଫଳତା ହାସଲ କରିଥିଲେ। ୧୯୮ ରନ୍‌ରେ ଅଷ୍ଟ୍ରେଲିଆ ସଂଘର୍ଷ କରୁଥିବା ବେଳେ ହ୍ୟାଣ୍ଡସକମ୍ବ ଓ କୁମିନ୍‌ସଙ୍କ ମଧ୍ୟରେ ୩୮ରନ୍‌ର ଭାଗିଦାରୀ ଅଷ୍ଟ୍ରେଲିଆକୁ କିଛିଟା ଆଶ୍ୱସ୍ତି କରିଛି । ତେବେ ଝିପିଝିପି ବର୍ଷା ଓ ଆଲୋକ ଅଭାବରୁ ଆଜି ଖେଳର ୭୪ତମ ଓଭାରେ ଖେଳକୁ ବନ୍ଦ କରି ଦିଆଯାଇଛି।