ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଭାରତୀୟ ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ସବୁଠାରୁ ବେଶୀ ଚର୍ଚା ହେଉଛି। କୁଲଦୀପ ଇଂଲଣ୍ଡ ପରିବେଶରେ କେମିତି ପ୍ରଦର୍ଶନ କରିବେ ସେ ନେଇ ଉଭୟ ଆଶା ଓ ଆଶଙ୍କା ପ୍ରକାଶ ପାଇଛି। ତାଙ୍କୁ ଭାରତୀୟ ଟେଷ୍ଟ୍ ଦଳରେ ସ୍ଥାନ ମିଳିବା ନେଇ କିନ୍ତୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବେଶ୍ ଉତ୍ସାହିତ ଅଛନ୍ତି। ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ନିଜ ସ୍ପିନ୍ ଜାଲରେ ଛନ୍ଦିବାର କଳା କୁଲଦୀପଙ୍କ ପାଖରେ ଅଛି ବୋଲି ସଚିନ କହିଛନ୍ତି। କୁଲଦୀପଙ୍କ ଓ୍ଵିକେଟ୍ ନେବା ଦକ୍ଷତାକୁ ପ୍ରଶଂସା କରି ସଚିନ ସୋମବାର ମତ ରଖିଛନ୍ତି ଯେ, ମୁଁ ସବୁବେଳେ କହି ଆସିଛି କୁଲଦୀପ ଟେଷ୍ଟ୍ କ୍ରିକେଟ୍ ଖେଳିବାକୁ ପୂରା ସକ୍ଷମ। ନିଃସନ୍ଦେହରେ କୁଲଦୀପଙ୍କ ପାଖରେ ଟେଷ୍ଟ୍ କ୍ରିକେଟ୍ ଖେଳିବାର ସାମର୍ଥ୍ୟ ରହିଛି। ତାଙ୍କ ପାଇଁ ଅବଶ୍ୟ ଏହା ସବୁଠାରୁ ବଡ଼ ଆହ୍ଵାନପୂର୍ଣ୍ଣ କାର୍ଯ୍ୟ ହେବ। ଏଥର ଇଂଲଣ୍ଡର ଗ୍ରୀଷ୍ମ ଋତୁ ତୁଳନାତ୍ମକ ଭାବେ ଉତ୍ତପ୍ତ ରହିଛି। ଯାହା ଭାରତୀୟ ସ୍ପିନରଙ୍କୁ ସୁହାଇବ। ପିଚ୍ରୁ ଟିକିଏ ସାହାଯ୍ୟ ମିଳିଲେ, ସେମାନେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ହଇରାଣରେ ପକାଇ ପାରିବେ ବୋଲି ସଚିନ ଭବିଷ୍ୟବାଣୀ କରିଛନ୍ତି। ଆର ଅଶ୍ୱିନ, ରବୀନ୍ଦ୍ର ଜାଦେଜା ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ବୋଲିଂ ସହ ବ୍ୟାଟିଂ କରିପାରୁଥିବାରୁ ଇଂଲଣ୍ଡରେ ଏହି ତିନି ଜଣଙ୍କ ପ୍ରଦର୍ଶନ ଭାରତ ପାଇଁ ଢେର ମହତ୍ୱପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।
କୁଲଦୀପଙ୍କୁ ମିଳିଲା ସଚିନଙ୍କ ସମର୍ଥନ
/sambad/media/post_attachments/wp-content/uploads/2018/07/kuldeep-yadav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)