ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେଲେ କୁଲ୍‌କର୍ଣ୍ଣି

ମୁମ୍ବାଇ: ଦ୍ରୁତ ବୋଲରଙ୍କ ଚରମ ବିଫଳତା ଯୋଗୁଁ ଆଇପିଏଲ୍‌ରେ ବିଜୟ ପାଇଁ ସଂଘର୍ଷ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେ‌ଇଛନ୍ତି ଧବଲ କୁଲକର୍ଣ୍ଣି। ସେ ଏବେ ଦଳର ଅଭ୍ୟାସ ଅଧିବେଶନରେ ନିଜର ଦକ୍ଷତା ଦେଖାଇବେ। ଏଠାରେ ଭଲ କଲେ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ରେ ସେ ଦଳରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇବେ। ୩୩ ବର୍ଷୀୟ କୁଲକର୍ଣ୍ଣି ମୁମ୍ବାଇ ଇଣ୍ଡିଆନ୍ସ ଜୈବ ବଳୟରେ ଯୋଗ ଦେଇସାରିଛନ୍ତି ଏବଂ ଶୀଘ୍ର ଅଭ୍ୟାସକୁ ଓହ୍ଲାଇବେ ବୋଲି ଦଳରୁ ପକ୍ଷରୁ କୁହାଯାଇଛି। ୫ ଥରର ବିଜେତା ମୁମ୍ବାଇ‌ ତାଙ୍କୁ ଅନୁରୋଧ କରିବା ପୂର୍ବରୁ ସେ ଆଇପିଏଲ୍‌ ପ୍ରସାରଣ ସଂସ୍ଥାର ଭାଷ୍ୟକାର ଦଳରେ ସଦସ୍ୟ ଥିଲେ। କୁଲକର୍ଣ୍ଣି ମୁମ୍ବାଇ ରଣଜୀ ଦଳର ନିୟମିତ ସଦସ୍ୟ ଏବଂ ତାଙ୍କ ନିକଟରେ ଆଇପିଏଲ୍‌ ଖେଳିବାର ଅଭିଜ୍ଞତା ମଧ୍ୟ ରହିଛି। ‌୨୦୦୮ ଆଇପିଏଲ୍‌ ପଦାର୍ପଣଠୁ ସେ ୯୨ ମ୍ୟାଚ୍‌ ଖେଳି ୮୬ ୱିକେଟ୍‌ ଅକ୍ତିଆର କରିଛନ୍ତି। ସେ ରାଜସ୍ଥାନ ରୟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଲାୟନ୍ସ ପକ୍ଷରୁ ଆଇପିଏଲ୍‌ ଖେଳିଛନ୍ତି।

ଅନ୍ୟପକ୍ଷରେ ସଂଘର୍ଷରତ ମୁମ୍ବାଇ ଇଣ୍ଡିଆନ୍ସ ଏହାର ଦ୍ରୁତ ବୋଲରଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ୮ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ବିଜୟଶୂନ୍ୟ ରହିଛି। ଏହାର ମୁଖ୍ୟ ବୋଲର ଯଶ୍‌ପ୍ରୀତ ବୁମ୍‌ରା ୮ ମ୍ୟାଚ୍‌ ଖେଳି ୨୨୯ ରନ୍‌ ବ୍ୟୟ କରି ମାତ୍ର ୫ ୱିକେଟ୍‌ ଦଖଲ କରିଛନ୍ତି। ତାଙ୍କଭଳି ଏହି ସଂସ୍କରଣରେ ବାମହାତୀ ଜୟଦେବ ଉନାଦକଟ (୫ ମ୍ୟାଚ୍‌, ୬/୧୯୦), ଡାନିଏଲ ସାମ୍ସ (୫ ମ୍ୟାଚ୍‌, ୬/୨୦୯), ତାଇମଲ ମିଲ୍ସ (୫ ମ୍ୟାଚ୍‌, ୬/୧୯୦), ବାସିଲ ଥାମ୍ପି (୫ ମ୍ୟାଚ୍‌, ୫/୧୫୨), ରିଲେ ମେରେଡିଥ (୨ ମ୍ୟାଚ୍‌, ୩/୬୫)ଙ୍କ ପ୍ରଦର୍ଶନ ମଧ୍ୟ ପ୍ରଭାବହୀନ ରହିଛି।

ସମ୍ବନ୍ଧିତ ଖବର