ଧଳା ଓ ଲାଲ୍ ବଲ୍‌ କ୍ରିକେଟ୍‌ ପାଇଁ ଭିନ୍ନ ଦଳ ସପକ୍ଷରେ କୁମ୍ବଲେ

ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍‌ରେ ଭାରତକୁ ଦବ୍‌ଦବା ରଖିବାକୁ ହେଲେ ଧଳା ଓ ଲାଲ ବଲ୍‌ କ୍ରିକେଟ୍‌ ପାଇଁ ଭିନ୍ନ ଦଳ ଚୟନ କରାଯିବା ଆବଶ୍ୟକତା ରହିଥିବା ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ଅନିଲ କୁମ୍ବଲେ କହିଛନ୍ତି। ଏକ ସାକ୍ଷତକାରରେ ଇଂଲଣ୍ଡ ଦିନିକିଆ ଓ ଟ୍ବେଣ୍ଟି-୨୦ରେ ପାଇଥିବା ସଫଳତାକୁ ଦୃଷ୍ଟିରେ ରଖି ଭାରତ ପାଇଁ ବି ସେହିଭଳି ଭାବେ ଅଲଗା ଦଳ ଗଠନ କରାଯିବା ଉପରେ ସେ ଜୋର୍‌ ଦେଇଛନ୍ତି। ଇଂଲଣ୍ଡ ଦଳରେ ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଛନ୍ତି। ହେଲେ କୌଣସି ଦଳର ୭ ନମ୍ବର ସ୍ଥାନରେ ତାଙ୍କ ଭଳି ଦକ୍ଷ ଖେଳାଳି ନାହାନ୍ତି।

ସେହିପରି ଅଷ୍ଟ୍ରେଲିଆର ମାର୍କସ ଷ୍ଟୋଇନିସ୍‌ ୬ ନମ୍ବର ସ୍ଥାନରେ ଖେଳୁଛନ୍ତି। ଭାରତକୁ ମଧ୍ୟ ଏହିଭଳି ଏକ ଦଳ ଗଢ଼ିବାକୁ ହେବ। ତେବେ ଅଲଗା ଅଧିନାୟକ କିମ୍ବା ପ୍ରଶିକ୍ଷକ ଆଣିଲେ କୌଣସି ଉନ୍ନତି ଆସିବ ତାହା କହିହେବ ନାହିଁ। କିନ୍ତୁ କେଉଁ ଖେଳାଳିଙ୍କୁ ଚୟନ କରାଯାଉଛି ଓ ସେମାନଙ୍କୁ କେଉଁ ସ୍ଥାନ ପାଇଁ ଗଢ଼ାଯାଉଛି ତାହା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର