କୁମ୍ବଲେ ପଡ଼ିଆ ବାହାରେ ନରମ, ଭିତରେ ଗରମ: ପ୍ରଜ୍ଞାନ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍‌ର ବିଗତ ଓ ଏବେକାର ପିଢ଼ିର କିଛି ବଡ଼ ତାରକା ଖେଳାଳିଙ୍କ ସହ ଖେଳିଥିବା ହାତଗଣତି କ୍ରିକେଟରଙ୍କ ମଧ୍ୟରୁ ପୂର୍ବତନ ବାମହାତୀ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ଅନ୍ୟତମ। ଭାରତୀୟ କ୍ରିକେଟ୍‌ର ଚାରି ମହାନ ତାରକା ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼ ଓ ଅନୀଲ କୁମ୍ବଲେ ଦଳରେ ଥିଲା ବେଳେ ୨୦୦୮ମସିହାରେ ପ୍ରଜ୍ଞାନ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେହିଭଳି ୨୦୧୩ ମସିହାରେ ବିରାଟ ‌କୋହଲି ଓ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କ ସହ ମଧ୍ୟ ଖେଳିଥିଲେ। ପାଞ୍ଚ ବର୍ଷର ଅନ୍ତର୍ଜାତୀୟ ଖେଳ ଜୀବନ ଭିତରେ ନିଜର ସବୁମ୍ୟାଚ୍ ସେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଖେଳିଥିଲେ। ବାଂଲାଦେଶ ବିପକ୍ଷରେ ଦିନିକିଆ ପଦାର୍ପଣ କଲା ବେଳେ ପ୍ରଜ୍ଞାନ ତାଙ୍କ ଭଲ ବୋଲିଂର ଶ୍ରେୟ ସ୍ପିନ୍ କିଂବଦନ୍ତି ଅନିଲ କୁମ୍ବଲେଙ୍କୁ ଦେଇଥିଲେ। କୁମ୍ବଲେ ତାଙ୍କ ବୋଲିଂକୁ ଅଧିକ ଶାଣିତ କରିବାରେ ସହାୟ ହୋଇଥିଲେ ବୋଲି ପ୍ରଜ୍ଞାନ ସେତେବେଳେ କହିଥିଲେ। କୁମ୍ବଲେଙ୍କ ଅଧିନାୟକତ୍ବରେ କିନ୍ତୁ ସେ ଗୋଟିଏ ହେଲେ ବି ମ୍ୟାଚ୍ ଖେଳିନାହାନ୍ତି। ତଥାପି ଭାରତର ଏହି ସର୍ବାଧିକ ଟେଷ୍ଟ୍ ୱି‌କେଟ୍ ହାସଲକାରୀଙ୍କ ବିଷୟରେ ପ୍ରଜ୍ଞାନ କେତେକ ମଜାଦାର କଥା କହିଛନ୍ତି।

କୁମ୍ବଲେ ପଡ଼ିଆ ଭିତରେ କଠୋର, ବାହାରେ କିନ୍ତୁ ତୁଳା ଭଳି ନରମ ବୋଲି ସେ ମତ ରଖିଛନ୍ତି। ‘‘ ଯେତେବେଳେ ପଡ଼ିଆରେ ଥାଆନ୍ତି, କୁମ୍ବଲେ କେବଳ ପ୍ରତିପକ୍ଷ ନୁହେଁ, ସାଥୀ ଖେଳାଳିଙ୍କ ପ୍ରତି ବି ଅତ୍ୟନ୍ତ ଆକ୍ରମଣାତ୍ମକ ଆଚରଣ ପ୍ରଦର୍ଶନ କରନ୍ତି। ସେଥିପାଇଁ ପଡ଼ିଆ ବାହାରେ ସେ ସେହିଲୋକ ବୋଲି ବୁଝିବା କଷ୍ଟକର ହୋଇପଡ଼େ। ଅନେକ ସମୟରେ ମୁଁ ଆଶ୍ଚର୍ଯ୍ୟଚକିତ ହୋଇଯାଏ, ଭାବେ ମୁଁ କ’ଣ ପଡ଼ିଆ ଭିତରେ ଥିବା ସେହି ଲୋକଙ୍କ ସହ କଥା ହେଉଛି। କାରଣ ପଡ଼ିଆ ଭିତରେ କୁମ୍ବଲେ ତୀବ୍ର ଓ ପାରୁ ପର୍ଯ୍ୟନ୍ତ ପ୍ରତିଦ୍ବନ୍ଦ୍ବିତା କରନ୍ତି। ବାହାରେ କିନ୍ତୁ କେବେ ବି ବଡ଼ ପାଟିରେ କଥା ହୁଅନ୍ତିନି’’। ୧୦୦ ଟେଷ୍ଟ୍ ୱିକେଟ୍ ନେବାରେ ଦ୍ରୁତତମ ଭାରତୀୟ ବୋଲର ପ୍ରଜ୍ଞାନ ଖେଳିଥିବା ଆଉ କିଛି ଭାରତୀୟ କ୍ରିକେଟର, ସଚିନ, ଧୋନି ଓ କୋହଲିଙ୍କ ବିଷୟରେ ମଧ୍ୟ ଅନେକ ରୋଚକ କଥା କହିଛନ୍ତି। ‘‘ ସଚିନ ଭାଇ ସବୁବେଳେ ଶାନ୍ତ ଓ ମୀମାଂସିତ ଥା’ନ୍ତି। ସେ କେବେବି ପ୍ରତିକ୍ରିୟା ପ୍ରକାଶ କରନ୍ତିନି। ତାଙ୍କ ଶୈଳୀ ଅନିଲ ଭାଇଙ୍କଠାରୁ ପୂରା ଅଲଗା। ଧୋନି ଓ କୋହଲି ସବୁବେଳେ ଦେଶ ପାଇଁ ମ୍ୟାଚ୍ ଜିତିବାକୁ ଚାହାନ୍ତି। ସେମାନଙ୍କ କାମ କରିବାର କଳା ମଧ୍ୟ ସଂପୂର୍ଣ୍ଣ ଅଲଗା। ଲକ୍ଷ୍ମଣ ସକାଳୁ ସକାଳୁ ସଂସ୍କୃତ ଶ୍ଳୋକ ଶୁଣନ୍ତି, ତା ପରେ ବ୍ୟାଟିଂ କରିବାକୁ ଯାଆନ୍ତି। କୋହଲି ଖୁବଜୋରରେ ପଞ୍ଜାବୀ ଗୀତ ଶୁଣିବା ବେଳେ ସଙ୍କେତ ନୁହେଁ ବରଂ ଶାରୀରିକ ଭାଷା ପ୍ରଦର୍ଶନ କରନ୍ତି। ଆପଣଙ୍କ ସମ୍ମୁଖରେ ଅଛନ୍ତି ବୋଲି ସେ ଆପଣଙ୍କୁ ଜଣାଇ ଦେବାକୁ ଚାହାନ୍ତି। ଏହା କୌଣସି ଦିଗରୁ ଭୁଲ ନୁହେଁ, କେବଳ ଯାହା କୌଣସି କଥାକୁ ଅଲଗା ଉପାୟରେ କରିବାର ଭାବନା।

ସମ୍ବନ୍ଧିତ ଖବର