କୁମ୍ବଲେ, ଜାଦେଜା ଦୌଡ଼ରେ ଥିଲେ, କିନ୍ତୁ ଗାଙ୍ଗୁଲି ଅଧିନାୟକ ହୋଇଥିଲେ

ନୁଆଦିଲ୍ଲୀ: ୨୦୦୦ ମସିହା ପ୍ରାରମ୍ଭରେ ସୌରଭ ଗାଙ୍ଗୁଲି କେଉଁ ପରିସ୍ଥିତିରେ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ ଏ କଥା ଜାଣିଲେ ଭାରତୀୟ ପ୍ରଶଂସକମାନେ ବିଶ୍ବାସ କରିପାରିବେନାହିଁ। ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତ ବିଜୟୀ ମନୋବୃତ୍ତି ଆଣିଥିଲା ଏବଂ ଯୁବ ଦଳକୁ ନେଇ ସେ ବିଦେଶରେ ଜିତିବା ଆରମ୍ଭ କରିଥିଲେ। ଏହା ପୂର୍ବରୁ କିନ୍ତୁ ତାଙ୍କ ନେତୃତ୍ବ ଚୟନକୁ ନେଇ ତମ୍ଭି ତୋଫାନ ହୋଇଥିଲା। ସଚିନ ତେନ୍ଦୁଲକରଙ୍କ ଇସ୍ତଫା ପରେ ଅନିଲ କୁମ୍ବଲେ ଏବଂ ଅଜୟ ଜାଦେଜା ‌ଅଧିନାୟକ ଦୌଡ଼ରେ ରହିଥିଲେ। କିନ୍ତୁ ଗାଙ୍ଗୁଲି ଉପଅଧିନାୟକ ପଦରୁ ଉଠି ଦେଶର ଅନ୍ୟତମ ସଫଳ ଅଧିନାୟକ ହୋଇପାରିଥିଲେ। ଏ ସମ୍ପର୍କିତ ଏକ ପୁରୁଣା କଥା ଉପରୁ ପରଦା ହଟାଇଛନ୍ତି ପୂର୍ବତନ ଖେଳାଳି ତଥା ଭାରତୀୟ କ୍ରିକେଟର୍ ସଂଘ (ଆଇସିଏ)ର ମୁଖ୍ୟ ଅଶୋକ ମାଲହୋତ୍ରା।

ସେତେବେଳେ ବିସିସିଆଇ ଚୟନ ସମିତି ସଦସ୍ୟ ଥିବା ମାଲହୋତ୍ରା କହିଥିଲେ, ‘ଗାଙ୍ଗୁଲିଙ୍କୁ ଉପଅଧିନାୟକ ନିଯୁକ୍ତ କରିବା ସବୁଠାରୁ କଠୋର କାମ ଥିଲା। କିନ୍ତୁ ଏହା ପରେ ସଚିନଙ୍କ ଇସ୍ତଫା କାରଣରୁ ଗାଙ୍ଗୁଲିଙ୍କ ପାଇଁ ଅଧିନାୟକ ନିଯୁକ୍ତ ବାଟ ଫିଟିଯାଇଥିଲା। ମୋର ସଠିକ୍ ଭାବେ ମନେ ଅଛି କୋଲ୍‌କାତା ବୈଠକରେ ଆମେ ଗାଙ୍ଗୁଲିଙ୍କୁ ଉପଅଧିନାୟକ ନିଯୁକ୍ତ କରିଥିଲୁ। ପ୍ରଶିକ୍ଷକ କିନ୍ତୁ ଭିନ୍ନ ମତ ରଖିଥିଲେ। ସେ ଅଧିକ କୋକ୍‌ ପିଅନ୍ତି, ଅଧିକ ଏକ ଓ ଦୁଇ ରନ୍ ନିଅନ୍ତି ଆଦିର ଅଭିଯୋଗ ଆସିଥିଲା। କିନ୍ତୁ ଯୁକ୍ତିତର୍କ ବେଳକୁ ମୁଁ କିନ୍ତୁ କହିଥିଲି ଜଣେ ଥମ୍ପ୍ସ ଅପ୍‌ ପିଏ ବୋଲି ଅଧିନାୟକ ହେବାକୁ ‌ଅଯୋଗ୍ୟ ଏହା କୁହାଯାଇପାରିବ ନାହିଁ। କିଛି ସମୟର ବିତର୍କ ପରେ ୩-୨ ଭୋଟରେ ଗାଙ୍ଗୁଲି ଉପଅଧିନାୟକ ମନୋନୀତ ହୋଇଥିଲେ। ଏହା ପରେ ବିସିସିଆଇ ଇତିହାସରେ ପ୍ରଥମ ଘଟଣା ଘଟିଥିଲା। ସଭାପତି ଚୟନ ‌ସମିତିରେ ହସ୍ତକ୍ଷେପ କରିଥିଲେ। ଚୟନ ସମିତି ଅଧ୍ୟକ୍ଷଙ୍କ ସହିତ ମିଶି ଆମକୁ ପୁନର୍ବିଚାର କରିବାକୁ କହିଥିଲେ। ଆମେ ଦୁଇ ଜଣ ଦୃଢ଼ ରହିଥିଲେ ମଧ୍ୟ ଜଣେ ଚୟନକର୍ତା ସଭାପତିଙ୍କୁ ସମର୍ଥନ କରି ମତ ବଦଳାଇଥିଲେ। ତଥାପି ଏହା ପରେ ଅମେ କୌଣସିମତେ ଗାଙ୍ଗୁଲିଙ୍କୁ ଉପଅଧିନାୟକ କରିଥିଲୁ। ସେ ପରବର୍ତୀ ସମୟରେ କିଂବଦନ୍ତି ଅଧିନାୟକ ପାଲଟିଥିଲେ। ଏଥିପାଇଁ ବି ବହୁ କସରତ କରିବାକୁ ପଡ଼ିଥିଲା। ଆମ ଭିତରୁ କାହାରି ମଧ୍ୟ ବିଶ୍ବାସ ନଥିଲା ସେ ଏତେ ସଫଳ ଅଧିନାୟକ ହେବେ। କାରଣ ସେତେବେଳେ ସଚିନ ତେନ୍ଦୁଲକର ଅଧିନାୟକ ଥିଲେ। ସଚିନଙ୍କ ଇସ୍ତଫା ପରେ ଅନିଲ କୁମ୍ବଲେ ଏବଂ ଅଜୟ ଜାଦେଜା ଦୌଡ଼ରେ ଥିଲେ। ଗାଙ୍ଗୁଲିଙ୍କୁ ଅଧିନାୟକ କରିବା ପାଇଁ ଆମକୁ ଅତିରିକ୍ତ ଖଟିବାକୁ ପଡ଼ିଥିଲା ବୋଲି ମାଲହୋତ୍ରା ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ୨୦୦୦ ମସିହାରେ ଭାରତୀୟ କ୍ରିକେଟ୍‌ ମ୍ୟାଚ୍‌ ଫିକ୍ସିଂ କବଳରେ ଜର୍ଜରିତ ଥିବାବେଳେ ଗାଙ୍ଗୁଲି ଅଧିନାୟକ ଭାର ଗ୍ରହଣ କରି ଅନେକ ଅପୂର୍ବ ସଫଳତା ପାଇଥିଲେ। ୨୦୦୧ ମସିହାରେ ଅଷ୍ଟ୍ରେଲିଆର ୧୬ ମ୍ୟାଚ୍ ବିଜୟ ଧାରାକୁ ରୋକିବା ସହିତ ଟେଷ୍ଟ୍‌ ଶୃଙ୍ଖଳାରେ ଷ୍ଟିଭ୍ ୱ’ଙ୍କ ଦଳକୁ ୨-୧ରେ ହରାଇଥିଲେ। ତାଙ୍କ ନେତୃତ୍ବରେ ଗସ୍ତ କରିଥିବା ଯୁବ ଦଳ ମଧ୍ୟ ଇଂଲଣ୍ଡକୁ ଲର୍ଡସରେ ହରାଇ ନ୍ୟାଟ୍‌ୱେଷ୍ଟ ଟ୍ରଫି ବିଜେତା ହୋଇଥିଲା। ୨୦୦୩ ବିଶ୍ବକପ୍‌ ଉପବିଜେତା, ୨୦୦୪ରେ ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳା ଅମୀମାଂସିତ ଏବଂ ୨୦୦୪ରେ ପାକିସ୍ତାନରେ ଟେଷ୍ଟ୍ ଶୃଙ୍ଖଳା ବିଜୟର ସଫଳତା ପାଇଥିଲେ। ଦେଶର ଏହି ଅନ୍ୟତମ ସଫଳ ଅଧିନାୟକ ଏବେ ବିସିସିଆଇର ସଭାପତି ଅଛନ୍ତି।

ସମ୍ବନ୍ଧିତ ଖବର