ନୂଆଦିଲ୍ଲୀ: ୧୯୯୯ ମସିହାର ଫିରୋଜସାହା କୋଟଲା ପିଚ୍ରେ ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ପରଫେକ୍ଟ ଟେନ୍ (ଗୋଟିଏ ପାଳିର ସମସ୍ତ ୧୦ ୱିକେଟ୍) ନେଇ ସ୍ପିନର୍ ଅନିଲ କୁମ୍ବଲେ ଭାରତୀୟ କ୍ରିକେଟ୍ରେ ନୂଆ ଅଧ୍ୟାୟ ସଂଯୋଗ କରିଥିଲେ। ବିଶେଷ କରି ପାକିସ୍ତାନ ବିପକ୍ଷରେ ଏହି ଗୌରବ ଆସିଥିବାରୁ ଅଧିକ ସ୍ମରଣୀୟ ରହିଛି। ଟେଷ୍ଟର ଚତୁର୍ଥ ଦିନ ଅପରାହ୍ନରେ କୁମ୍ବଲେ ଏକା ଏକା ପାକିସ୍ତାନ ପାଳିକୁ ୨୦୭ ରନ୍ରେ ଶେଷ କରିଦେବା ସହ ମ୍ୟାଚ୍କୁ ୨୧୨ ରନ୍ରେ ଜିତାଇଥିଲେ। ପୂର୍ବ ସପ୍ତାହରେ ଚେନ୍ନାଇରେ ଭାରତ ମାତ୍ର ୧୨ ରନ୍ରେ ହାରିଥିବାରୁ ଶୃଙ୍ଖଳା ବି ବରାବର ହୋଇଯାଇଥିଲା। ୧୯୯୯ ମସିହାର ଫେବ୍ରୁଆରି ୭ ତାରିଖରେ ଘଟିଥିବା ଏହି ସ୍ମରଣୀୟ ଦିନକୁ ମନେ ପକାଇ କୁମ୍ବଲେ ଶୁକ୍ରବାର ଦଶମ ୱିକେଟ୍ଟି ଦଖଲ ବେଳର କାହାଣୀ ବଖାଣି ଥିଲେ। ‘ମୁଁ ଚା’ପାନ ବିରତି ପରେ ୭,୮ ଓ ୯ ନମ୍ବର ୱିକେଟ୍ ନେଇ ଓଭର ଶେଷ କରିଥିଲି। ଦଶମ ୱିକେଟଟି ବି ନିଜେ ନେବାର ଆଶା ମନକୁ ଆସିଥିଲା। ପରବର୍ତୀ ଓଭରଟି ଜଭାଗଲ ଶ୍ରୀନାଥ ପକାଇବାର ଥିଲା। ଶ୍ରୀନାଥ ଏଣେ ତେଣେ ଲକ୍ଷ କରି ଅଫଷ୍ଟମ୍ପ୍ ବାହାରେ ବାହାରେ ବୋଲିଂ କରିଥିଲେ। ଉଦ୍ଦେଶ୍ୟ ଥିଲା ସେ ୱିକେଟ୍ ନ ନେଲେ ପରବର୍ତୀ ଓଭରରେ ମୁଁ ଦଶମ ୱିକେଟ୍ ନେବି। ସମସ୍ତ ଭାରତୀୟ ପ୍ରଶଂସକଙ୍କ ମନରେ ବି ସେଇଆ ଥିଲା। ଶ୍ରୀନାଥଙ୍କ ପାଇଁ ସେଇ ଓଭରଟି କିନ୍ତୁ ସମ୍ଭବତଃ ସବଠୁ କଷ୍ଟକର ଥିଲା। ସେ ନିଜର ସମସ୍ତ ଦକ୍ଷତାକୁ ପଛରେ ପକାଇ ୱାଇଡ୍ ପକାଇଥିଲେ। ମୋତେ କିନ୍ତୁ ବିଶ୍ବାସ କରନ୍ତୁ ମୁଁ ତାଙ୍କୁ ଶେଷ ୱିକେଟ୍ଟି ନ ନେବାପାଇଁ କହିନଥିଲି। ମୁଁ ଭାବୁଥିଲି ୱାସିମ୍ ଆକ୍ରମ ସିଙ୍ଗଲ ରନ୍ ନେଇଯାଆନ୍ତୁ। ଶେଷ ବ୍ୟାଟସମ୍ୟାନ୍ଙ୍କୁ ମୁଁ ପରବର୍ତୀ ଓଭରରେ ଆଉଟ୍ କରିଦେବି। କାରଣ ଶ୍ରୀନାଥଙ୍କୁ ପୁଣି ଥରେ ବୋଲିଂ କରିବାକୁ କୁହାଯିବା ବଡ଼ ଅସହଜ ପରିସ୍ଥିତି ଆଣିଥା’ନ୍ତା। ମୁଁ ଲକ୍ଷ୍ୟ ପଥରେ ଥିଲି। ୱାସିମ୍ ଆକ୍ରମଙ୍କୁ ଆଉଟ୍ କରି ଦଶମ ଶିକାର କରିଥିଲି। ଶୃଙ୍ଖଳାରେ ପଛୁଆ ଥିବାରୁ ଏବଂ ପାକିସ୍ତାନ ବିପକ୍ଷରେ ଏହି ସଫଳତା ମିଳିଥିବାରୁ ଖୁସି ସ୍ବତନ୍ତ୍ର ହୋଇଥିଲା’ ବୋଲି କହିଥିଲେ କୁମ୍ବଲେ।
‘ଏହା ମୋ ପାଇଁ ଗତକାଲି ଭଳି ଲାଗୁଛି। ପାକିସ୍ତାନ ଅନେକ ଦିନ ପରେ ଭାରତ ଆସିଥିବାରୁ ଚାପ ଆମ ଉପରେ ଥିଲା। ମୁଁ ଭାବୁଛି ୱିକେଟ୍ ଯେତେବେଳେ ଦୁଇ ପାଖିଆ ଥାଏ କିମ୍ବା ଅସାମଞ୍ଜସ୍ୟ ବାଉଁସ ଦିଏ ମୋ ବୋଲିଂ ସେଠାରେ ଅଧିକ ଫଳପ୍ରଦ ହୁଏ। ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ପାକିସ୍ତାନ ଭଲ ଖେଳିଥିଲା। ମୁଁ ଜାଣିଥିଲି ଗୋଟିଏ ମାତ୍ର ୱିକେଟ୍ ପତନର କଥା। ବିରତି ପରେ ମୁଁ ପାର୍ଶ୍ବ ପରିବର୍ତନ କରି ଆସିଥିଲି। ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇ ସବୁ ଶେଷ କରି ଦେଇଥିଲି। ଏହା ପୂର୍ବରୁ ମୁଁ ଗୋଟିଏ ପାଳିରେ ସର୍ବାଧିକ ୬ ୱିକେଟ୍ ନେଇଥିବାରୁ ପ୍ରଥମେ ଏହାର ସମକକ୍ଷ ହୋଇଥିଲି। ମଧ୍ୟାହ୍ନ ଭୋଜନ ବିରତିଠାରୁ ଚା’ପାନ ବିରତି ପର ପର୍ଯ୍ୟନ୍ତ ଲଗାତାର ବୋଲିଂ କରିଥିଲି। କ୍ଲାନ୍ତ ହୋଇପଡିଥିଲେ ମଧ୍ୟ ବିଶ୍ବାସ ହରାଇନଥିଲି। ପ୍ରଥମ ୱିକେଟ୍ ନେବାଠରୁ ଦଶମ ୱିକେଟ୍ ପର୍ଯ୍ୟନ୍ତ ଥକି ପଡ଼ିନଥିଲି’ ବୋଲି କୁମ୍ବଲେ କହିଥିଲେ। ସୂଚନାଯୋଗ୍ୟ, ପାକିସ୍ତାନ ସମ୍ମୁଖରେ ଭାରତ ୪୨୦ ରନ୍ ବିଜୟ ଲକ୍ଷ୍ୟ ରଖିଥିଲା। ସଇଦ୍ ଅନୱାର ଓ ସାହିଦି ଆଫ୍ରିଦି ପ୍ରଥମ ୱିକେଟ୍ ପାଇଁ ୧୦୧ ରନ୍ ଉଠାଇଥିଲେ। କିନ୍ତୁ କୋଟଲାରେ କୁମ୍ବଲେଙ୍କ କମାଲ (୨୬.୩-୯-୭୪-୧୦) ଆଗରେ ପାକିସ୍ତାନ ପାଳି ୨୦୭ ରନ୍ରେ ଶେଷ ହୋଇଯାଇଥିଲା। ଭାରତୀୟ ଦଳର ନେତୃତ୍ବ ସେତେବେଳେ ମହମ୍ମଦ ଆଝାରୁଦ୍ଦିନଙ୍କ ହାତରେ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/anil-kumble_f95c787e-55e2-11e7-9dcc-cc63e7fed987.jpg)