ନୂଆଦିଲ୍ଲୀ: ୧୯୯୯ ମସିହା ଫେବ୍ରୁଆରି ୭ ତାରିଖ ଭାରତୀୟ କ୍ରିକେଟ୍‌ ଇତିହାସରେ ଏକ ଐତିହାସିକ ଫର୍ଦ୍ଦ ଯୋଡ଼ିହୋଇଥିଲା। ୨୮ ବର୍ଷ ତ‌ଳେ ଆଜିର ଦିନରେ ଭାରତୀୟ ଲେଗ୍‌ ସ୍ପିନର ଅନିଲ କୁମ୍ବଲେ ଦେଶର ପ୍ରଥମ ଖେଳାଳି ଭାବେ ଗୋଟିଏ ଟେଷ୍ଟ୍‌ ପାଳିରେ ସମସ୍ତ ୧୦ ୱିକେଟ୍‌ ଅକ୍ତିଆର କରିଥିଲେ। ପାକିସ୍ତାନ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ରେ କୁମ୍ବଲେ ଏହି ସଫଳତା ପାଇଥିଲେ।

Advertisment

ଦିଲ୍ଲୀର ଫିରୋଜ ଶାହ କୋଟଲା (ବର୍ତ୍ତମାନର ଅରୁଣ ଜେଟଲି) ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୁମ୍ବଲେ ବିଶ୍ବର ଦ୍ବିତୀୟ ବୋଲର ଭାବେ ଗୋଟିଏ ପାଳିର ସମସ୍ତ ୧୦ ୱିକେଟ୍‌ ନେଇଥିଲେ। ତାଙ୍କ ପୂର୍ବରୁ ୧୯୫୬ ଜୁଲାଇ ମାସରେ ଇଂଲଣ୍ଡର ଜିମ୍‌ ଲାକର ଓଲ୍ଡ ଟ୍ରାଫୋର୍ଡରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇଥିଲେ। ତେବେ ଦିଲ୍ଲୀରେ ଟେଷ୍ଟ‌୍‌ ଖେଳିବାକୁ ଯିବା ପୂର୍ବରୁ ଭାରତ ଚାପରେ ଥିଲା। ଚେନ୍ନାରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟ୍‌କୁ ଭାରତ ୧୨ ରନ୍‌ରେ ହାରିଯାଇଥିଲା। କିନ୍ତୁ ଶେଷରେ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଶୃଙ୍ଖଳାକୁ ୧-୧ରେ ଶେଷ କରିବାରେ ସଫଳ ହୋଇଥିଲା। କୁମ୍ବଲେଙ୍କ ଚମତ୍କାର ବୋଲିଂ ପାଇଁ ଭାରତ ପ୍ରଥମ ପାଳିରେ ୮୦ ରନ୍‌ର ଅଗ୍ରଣୀ ପାଇଥିଲା। ଏହି ପାଳିରେ ସେ ଇଜାଜ୍‌ ଅହମଦ, ଇଞ୍ଜାମାମ୍‌ ଉଲ୍‌ ହକ୍‌, ମହମ୍ମଦ ୟୁସୁଫ୍‌ ଓ ସାକଲିନ୍‌ ମୁସ୍ତାକ୍‌ଙ୍କୁ ଆଉଟ୍‌ କରି ୨୪.୩-୪-୭୫-୪ ବୋଲିଂ ଚିତ୍ର ପାଇଥିଲେ। ପରେ ଦ୍ବିତୀୟ ପାଳିରେ ସଦାଗୋପନ ରମେଶ (୯୬), ସୌରଭ ଗାଙ୍ଗୁଲି (୬୨) ଓ ଜଭାଗଲ ଶ୍ରୀନାଥ (୪୯)ଙ୍କ ଲମ୍ବା ବ୍ୟାଟିଂ ସହାୟତାରେ ପାକିସ୍ତାନ ସମ୍ମୁଖରେ ୪୨୦ରନ୍‌ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।

publive-image

ପଶ୍ଚାତ୍‌ଧ‌ାବନ ବେଳେ ସଇଦ ଅନୱର ଓ ସାହିଦ ଆଫ୍ରିଦି ୨୪.୨ ଓଭରରେ ୧୦୧ରନ୍‌ର ଦୃ୍ଢ ଭାଗୀଦାରି କରିଥିଲେ। କିନ୍ତୁ କୁମ୍ବଲେ ଆଫ୍ରିଦିଙ୍କୁ ଆଉଟ୍‌ କରି ୱିକେଟ୍‌ ଖସାଇବା ଧାରା ଆରମ୍ଭ କରିଥିଲେ। ପାକିସ୍ତାନ ଏକଦା ୧୧.୫ ଓଭରରେ ୧୨୮/୬ରେ ପହଞ୍ଚିଯାଇଥିଲା। ଅନୱର ୬୯ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ କୁମ୍ବଲେ ତାଙ୍କୁ ଆଉଟ୍‌ କରିବାରୁ ଦଳ ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲା। ଯାହାଫଳରେ ପାକିସ୍ତାନ ଦ୍ବିତୀୟ ପାଳି ୨୦୭ ରନ୍‌ରେ ଶେଷ ହୋଇଥିଲା ଓ ମ୍ୟାଚ୍‌ ୪ଦିନରେ ସରିଯାଇଥିଲା। ଏହି ପାଳିରେ କୁମ୍ବଲେଙ୍କ ବୋଲିଂ ଚିତ୍ର ୨୬.୩-୯-୭୪-୧୦ ରହିଥିଲା।