ରାଜ୍ୟପାଳଙ୍କ ଦ୍ବାରା ସମ୍ବର୍ଧିତ ହେଲେ କୁନି ପର୍ବତାରୋହୀ ଆରାଧ୍ୟା

ଭୁବନେଶ୍ବର : ରାଜ୍ୟର ସର୍ବକନିଷ୍ଠା ପର୍ବତାରୋହୀ ଭାବେ ଉଭା ହୋଇଥିବା ଆରାଧ୍ୟା ଜେନାଙ୍କୁ ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସମ୍ବର୍ଧିତ କରିବା ସହ ଉତ୍ସାହିତ କରିଛନ୍ତି। ରାଜଭବନରେ ରାଜ୍ୟପାଳ ୯ ବର୍ଷୀୟା ଆରାଧ୍ୟାଙ୍କୁ ମହାତ୍ମା ଗାନ୍ଧୀଙ୍କ ପ୍ରତିଛବିର ଏକ ଫଳକ ପ୍ରଦାନ କରି ସମ୍ମାନିତ କରିବା ସହ ଭବିଷ୍ୟତରେ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଏହି ସମ୍ବର୍ଧନା ଅବସରରେ ଆରାଧ୍ୟାଙ୍କ ପିତା ତଥା ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ସହକାରୀ ହରେଶ ଚନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗଣେଶଙ୍କ ମାର୍ଗଦର୍ଶନରେ ଆରାଧ୍ୟା ଗତ ଜୁନ୍‌ ମାସରେ ୬ ଦିନରେ ୬ଟି ଟ୍ରେକ୍ସିଂ ଓ ପାହାଡ଼ ଚଢ଼ିଥିଲେ। ହିମାଚଳ ପ୍ରଦେଶର ବୁଦ୍ଧସ୍ତୁପ ଜିସ୍‌ପା (୧୨, ୩୨୨ ଫୁଟ) ଓ ବରାଳଚଳ (୧୬, ୨୫୦ ଫୁଟ) ସଫଳତାର ସହ ଚଢ଼ିଥିଲେ। ମାଉଣ୍ଟ୍ ୟୁନମ୍ (୧୫, ୬୦୩ ଫୁଟ)ର ଭରତପୁର ବେସ୍‌ କ୍ୟାମ୍ପ୍‌, ଆଡଭାନ୍ସ ବେସ୍‌ କ୍ୟାମ୍ପ୍ (୧୭, ୬୬୭ ଫୁଟ), ସରଚୁ ଲଦାଖ (୧୪, ୯୩୮ ଫୁଟ୍‌) ଏବଂ ବରାଳଚଳ (୧୬, ୩୫୮ ଫୁଟ) ଚଢ଼ିବାର ପ୍ରୟାସ କରିଥିଲେ। ଏଥି ସହ ଓଡ଼ିଶାର ପ୍ରଥମ ପିତା-କନ୍ୟା ଭାବେ ଆନୁଷ୍ଠାନିକ ଭାବେ ପର୍ବତାରୋହଣ କରିବାର ବିରଳ ଉଦାହରଣ ରଖିଛନ୍ତି।

ସମ୍ବନ୍ଧିତ ଖବର