ଭୁବନେଶ୍ୱର: ମୁକ୍ତେଶ୍ୱର କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଚାଲିଥିବା କୁଶ ପଟ୍ଟନାୟକ ସ୍ମାରକୀ ଏନ୍ଏମ୍ ଭୂୟାଁ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ ପ୍ରତିଦ୍ୱନ୍ଦ୍ୱୀ ଚୂଡାନ୍ତ ହୋଇଯାଇଛି। ଆସନ୍ତାକାଲି (ବୁଧବାର) ପ୍ରଥମ ସେମିଫାଇନାଲ୍ରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍ ଓ ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟି ମୁହାଁମୁହିଁ ହେବାକୁ ଯାଉଥିଲା ବେଳେ ଗୁରୁବାର ଦ୍ୱିତୀୟ ସେମିଫାଇନାଲ୍ରେ କଟକର ସୋଲାର କ୍ରିକେଟ୍ ଏକାଡେମିକୁ ଭେଟିବ ଭୁବନେଶ୍ୱରର ସହିଦ ସ୍ପୋର୍ଟିଂ। ମଙ୍ଗଳବାର ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲ୍ରେ ନିଜ ସହରର ପ୍ରଗତି ସ୍ପୋର୍ଟିକୁ ୩ ଓ୍ଵିକେଟ୍ରେ ପରାସ୍ତ କରି ସହିଦ ସ୍ପୋର୍ଟିଂ ସେମିଫାଇନାଲ୍ ପ୍ରବେଶ କରିଛି।
ଟସ୍ ଜିତି ପ୍ରଗତି ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରିଥିଲା। ଦେବୀ ପ୍ରସାଦ ସାହୁ (୫୩ ରନ୍)ଙ୍କ ଅର୍ଧଶତକ ସାଙ୍ଗକୁ ଅଧିନାୟକ ଟୁକୁନା ସାହୁଙ୍କ ୩୨, ରଘୁନାଥ ମଲ୍ଲଙ୍କ ୧୭ ଓ ଆଶିଷ ସାହୁଙ୍କ ୧୧ ରନ୍ ସତ୍ତ୍ୱେ ଦଳ ୩୮.୪ ଓଭରରେ ୧୬୪ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ସହିଦ୍ ସ୍ପୋର୍ଟି ପକ୍ଷରୁ ସଫଳ ବୋଲର ଭାବେ ଅଭିଳାଷ ସେମ୍ଓ୍ଵାଲ୍ (୭-୧-୧୫-୩), ସିଦ୍ଧାନ୍ତ ସାଗର (୬.୪-୦-୩୪-୩) ଓ ଅଧିନାୟକ ପ୍ରିତମ୍ଜିତ୍ ଦାସ (୮-୦-୨୮-୨) ବୋଲିଂ ଚିତ୍ର ପାଇଥିଲେ। ଜବାବରେ ଶୁଭମ୍ ଶତ୍ରୁଜିତ୍ (୬୪ ରନ୍, ୫୩ ବଲ୍, ୬ ଚୌକା, ୪ ଛକା) ଏବଂ ଅଭିଜ୍ଞ ପି ଜୟଚନ୍ଦ୍ର (୬୪ ରନ୍, ୫୮ ବଲ୍, ୮ ଚୌକା, ୧ ଛକା)ଙ୍କ ଅର୍ଧଶତକୀୟ ପାଳି ବଳରେ ସହିଦ ସ୍ପୋର୍ଟିଂ ୩୦.୪ ଓଭରରେ ୭ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ପ୍ରଗତି ସ୍ପୋର୍ଟିଂ ପକ୍ଷରୁ ପ୍ରଦୀପ ପ୍ରଧାନ ସଫଳ ବୋଲର ଭାବେ ୩ ଓ୍ଵିକେଟ୍ ପାଇଥିଲେ। ଅଭିଜ୍ଞ ତଥା ରଣଜୀ ତାରକା ନିରଞ୍ଜନ ବେହେରା ବ୍ୟାଟିଂରେ ୨ ରନ୍ କରିଥିଲା ବେଳେ ବୋଲିଂରେ ୨୪ ରନ୍ ଦେଇ ଗୋଟିଏ ଓ୍ଵିକେଟ୍ ପାଇଥିଲେ। ବିଜୟୀ ଦଳର ଅଭିଳାଷ ସେମ୍ଓ୍ଵାଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କୁ ମୁକ୍ତେଶ୍ୱର କ୍ରିକେଟ୍ କ୍ଲବ୍ର ପୂର୍ବତନ ସଂପାଦକ ଅସିତ୍ ମଲ୍ଲିକ, ସଦସ୍ୟ ଦୀନେଶ ସିଂହ, ପ୍ରକାଶ ଦାସ ଓ ସୁଧୀର ରଞ୍ଜନ ପତି ପୁରସ୍କୃତ କରିଥିଲେ। ଅଜୟ ନାୟକ ଓ ଦିଲିପ ସାମଲ ମ୍ୟାଚ୍ ପରିଚାଳନା କରିଥିଲେ।
କୁଶ ପଟ୍ଟନାୟକ ସ୍ମାରକୀ ଏନ୍ଏମ୍ ଭୂୟାଁ ଟ୍ରଫି: ସେମିରେ ରାଇଜିଂ-ରାମେଶ୍ୱର, ସୋଲାର-ସହିଦ
/sambad/media/post_attachments/wp-content/uploads/2018/02/kusha-patnaik-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)