ତୃତୀୟ ରାଉଣ୍ଡରେ କ୍ବିତୋଭା, ବଦୋସା: ମହିଳା ଯୁଗଳରୁ ସାନିଆ ବିଦା

ଲଣ୍ଡନ: ଦୁଇ ଥରର ବିଜୟିନୀ ପେଟ୍ରା କ୍ବିତୋଭା, ଚତୁର୍ଥ ମାନ୍ୟତାପ୍ରାପ୍ତ ପୌଲା ବଦୋସା ୱିମ୍ବଲଡନର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ଦ୍ବିତୀୟ ରାଉଣ୍ଡରେ ‌କ୍ବିତୋଭା ୬-୧, ୭-୬ ‌ସେଟ୍‌ରେ ଆନା ବୋଗଦାନଙ୍କୁ, ବଦୋସା ୬-୩, ୬-୨ ସେଟ୍‌ରେ ଇରିନା ବାରାଙ୍କୁ ପରାସ୍ତ କରିଥିଲେ। ହେଲେ ଗତଥରର ଫାଇନାଲିଷ୍ଟ କାରୋଲିନା ପ୍ଲିସକୋଭା ପରାଜୟ ସହ ବିଦାୟ ନେଇଛନ୍ତି। ସେ ୬-୩, ୬-୭, ୪-୬ ସେଟ୍‌ରେ ଇଂଲଣ୍ଡର କାଟି ବୋଲ୍ଟରଙ୍କଠୁ ହାରିଯାଇଛନ୍ତି। ଅନ୍ୟପକ୍ଷରେ ପୁରୁଷ ଏକକରେ ସପ୍ତଦଶ ମାନ୍ୟତାପ୍ରାପ୍ତ ରର୍ବତୋ ବୌତିସା ଅଗୁଟ କୋଭିଡ ପଜିଟିଭ୍‌ ଯୋଗୁଁ ଓହରିଯିବାରୁ କଲିମ୍ବିଆର ଡାନିଏଲ ଇଲାହି ଗଲାନ ବାଇ ପାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଷଷ୍ଠ ମାନ୍ୟତାପ୍ରାପ୍ତ ଷ୍ଟିପାନସ ସିସିପାସ୍‌ ଦ୍ବିତୀୟ ରାଉଣ୍ଡ ଜିତି ତୃତୀୟ ରାଉଣ୍ଡ ସ୍ଥାନ ପକ୍କା କରିଛନ୍ତି।

ମହିଳା ଯୁଗଳରୁ ସାନିଆ ବିଦା
ଭାରତୀୟ ତାରକା ସାନିଆ ମିର୍ଜା ଚଳିତ ୱିମ୍ବିଲଡନ୍‌ ପ୍ରତିଯୋଗିତାର ମହିଳା ଯୁଗଳ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଗୁରୁବାର ‌ସେ ଓ ତାଙ୍କ ଚେକ୍‌ଗଣରାଜ୍ୟ ସାଥୀ ଲୁସି ହ୍ରାଡେକା କଡ଼ା ସଂଘର୍ଷ କରି ୬-୪, ୪-୬, ୨-୬ ସେଟ୍‌ରେ ପୋଲାଣ୍ଡ ଓ ବ୍ରାଜିଲ ଯୋଡ଼ି ମାଗ୍‌ଦାଲେନା ଫ୍ରେଞ୍ଚ ଓ ବିତ୍ରୋଜ ମାଇଆଙ୍କଠୁ ହାରି ଯାଇଥିଲେ। ସାନିଆ ୨୦୧୫ରେ ମାର୍ଟିନା ହିଙ୍ଗିସ୍‌ଙ୍କ ସହ ଏଠାରେ ଟ୍ରଫି ଜିତିଥିଲେ। ପୁରୁଷ ଯୁଗଳରେ ଭାରତୀୟ ତାରକା ରାମକୁମାର ରାମନାଥନଙ୍କ ଅଭିଯାନ ଶେଷ ହୋଇଛି। ଗୁରୁବାର ପ୍ରଥମ ରାଉଣ୍ଡ ମୁକାବିଲାରେ ରାମକୁମାର ଓ ତାଙ୍କ ବୋସନିଆ ସାଥୀ ତୋମିସ୍ଲାଭ ‌ବର୍କିକ ୩-୬, ୬-୭, ୬-୭ ସେଟ୍‌ରେ ଆମେରିକା ଯୋଡ଼ି ନିକୋଲାସ ମୋନ୍‌ରୋ ଓ ଟମି ପଲଙ୍କଠୁ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର