େଓ୍ଵଲିଂଟନ୍: ଚଳିତ ଆସେସ୍ ଶୃଙ୍ଖଳାରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି ରହିଛି। ସିଡନି କ୍ରିକେଟ୍ ପଡ଼ିଆରେ ଚାଲିଥିବା ପଞ୍ଚମ ତଥା ଶେଷ ଟେଷ୍ଟରେ ମଧ୍ୟ କଙ୍ଗାରୁ ଦଳ ଇଂଲଣ୍ଡକୁ ପାଣି ପିଆଇ ଦେଇଛି।
ପାଞ୍ଚ ଟିକିଆ ଶୃଙ୍ଖଳାର ପ୍ରଥମ ତିନି ମ୍ୟାଚ୍ ହାରି ଶୃଙ୍ଖଳା ହାରି ସାରିଥିବା ଇଂଲଣ୍ଡ ଚତୁର୍ଥ ମୁକାବିଲାକୁ ଅମୀମାଂସିତ ରଖି ଅଷ୍ଟ୍ରେଲିଆକୁ ଶୃଙ୍ଖଳା ମୂଳପୋଛ କରିବାରୁ ରୋକି ଥିଲା। ହେଲେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ପଞ୍ଚମ ତଥା ଶେଷ ଟେଷ୍ଟରେ ଅଷ୍ଟ୍ରେଲିଆ ପୁଣି ଥରେ ବିଜୟ ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ ହୋଇଛି। ଇଂଲଣ୍ଡର ପ୍ରଥମ ପାଳି ସ୍କୋର ୩୪୬ ରନ୍ ଜବାବରେ ଶନିବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ବିନିମୟରେ ୪୭୯ ରନ୍ କରି ୧୩୩ ରନ୍ରେ ଆଗୁଆ ହୋଇ ଯାଇଛି। ୨୦୧୭ରେ ଗୋଟିଏ ହେଲେ ବି ଶତକ ଅର୍ଜନ କରି ନଥିବା ଉସମାନ ଖଓ୍ଵାଜା (୧୭୧) ଅଠର ଆରମ୍ଭରୁ ଜବରଦସ୍ତ ଶତକୀୟ ପାଳି ଖେଳି ଅଷ୍ଟ୍ରେଲିଆକୁ ୪-୦ ବିଜୟ ଆଶା ଦେଇଛନ୍ତି। ତାଙ୍କ ସହ ମାର୍ସ ଭ୍ରାତା ମିଚେଲ (୬୩*) ଏବଂ ସନ୍ (୯୮*)ଙ୍କ ଅପରାଜିତ ଖେଳ ମଧ୍ୟ ଇଂଲଣ୍ଡର ଚିନ୍ତାକୁ ଦ୍ୱି-ଗୁଣିତ କରି ଦେଇଛି।
ଶନିବାର ଖଓ୍ଵାଜା ତାଙ୍କ ଖେଳ ଜୀବନର ଷଷ୍ଠ ଶତକ ଅର୍ଜନ କରିଥିଲେ। ତେବେ ନିଜ ଏକ ଦଶନ୍ଧିର ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନରେ ସର୍ବାଧିକ ବଲ୍ ଖେଳିଥିଲେ। ମୋଟ ୩୮୧ ବଲ୍ ଖେଳି ଖଓ୍ଵାଜା ଆଜି ଅସୀମ ଧୈର୍ଯ୍ୟ ଏବଂ ଏକାଗ୍ରତାର ପରିଚୟ ଦେଇଥିଲେ। ଇଂଲଣ୍ଡ ବୋଲରଙ୍କୁ ପୂରା ଚାପରେ ରଖିଥିଲେ। ଖଓ୍ଵାଜାଙ୍କ ୧୭୧ ରନ୍ ମଧ୍ୟ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ଟେଷ୍ଟ ରନ୍ ଥିଲା। ତାଙ୍କ ସହ ସନ୍ ଏବଂ ମିଚେଲ ଅବିଭାଜିତ ତୃତୀୟ ଓ୍ଵିକେଟ୍ରେ ୧୦୪ ରନ୍ ଯୋଡ଼ି ଅଷ୍ଟ୍ରେଲିଆ ସ୍ଥିତିକୁ ପୂରା ମଜବୁତ କରି ଦେଇଥିଲେ। ଇଂଲଣ୍ଡ ପାଇଁ ଶନିବାରର ପୂରା ୬ ଘଣ୍ଟାର ଖେଳ ବହୁତ ନିରୁତ୍ସାହ ଭରା ରହିଥିଲା। ଦିନ ତମାମ ବୋଲିଂ କରି ଜୋ ରୁଟ୍ଙ୍କ ଦଳ ମାତ୍ର ଦୁଇଟି ଓ୍ଵିକେଟ୍ ନେଇ ପାରିଥିଲା। ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ (୮୩)ଙ୍କୁ ଆଉ ଏକ ଶତକ ଅର୍ଜନ କରିବାକୁ ରୋକିବା ଶନିବାର ଇଂଲଣ୍ଡର ସବୁଠାରୁ ବଡ଼ ସଫଳତା ଥିଲା। ଅନ୍ୟପକ୍ଷରେ ନବାଗତ ମାସନ୍ କ୍ରେନ୍ ନୋ’ ବଲ୍ ପାଇଁ ନିଜ ପ୍ରଥମ ଟେଷ୍ଟ ଓ୍ଵିକେଟରୁ ବଞ୍ଚିତ ହୋଇଥିଲେ। ସେହିଭଳି ମାର୍ସ ଭ୍ରାତାଙ୍କ ଯୋଡ଼ିକୁ ଭାଙ୍ଗି ନପାରିବା ଇଂଲଣ୍ଡ ପାଇଁ ଶକ୍ତ ଧକ୍କା ଥିଲା। ଆଜିର ଷ୍ଟମ୍ପ୍ସ ଅପସାରଣ ବେଳକୁ ସନ୍ ୯୮ ରନ୍ କରି ଶତକ ଅର୍ଜନରୁ ମାତ୍ର ୨ ରନ୍ ଦୂରରେ ରହିଛନ୍ତି। ଅନ୍ୟପକ୍ଷରେ ମିଚେଲ ୬୩ ରନ୍ରେ ଅପରାଜିତ ଅଛନ୍ତି। ୧୯୩/୨ରୁ ଖେଳ ଆରମ୍ଭ କରିଥିବା କଙ୍ଗାରୁ ଦଳ ଆଜି ୪୭୯/୪ରେ ଦିନ ଶେଷ କରିଥିଲା।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି ୩୪୬। ଅଷ୍ଟ୍ରେଲିଆ ପ୍ରଥମ ପାଳି ୧୫୭ ଓଭରରେ ୪୭୯/୪ ( ଉସମାନ ଖଓ୍ଵାଜା ୧୭୧, ସନ୍ ମାର୍ଚ ୯୮*, ଷ୍ଟିଭେନ ସ୍ମିଥ୍ ୮୩, ମିଚେଲ ମାର୍ସ ୬୩, ଜେମ୍ସ ଆଣ୍ଡରସନ୍ ୧/୫୨, ଷ୍ଟିଆର୍ଟ ବ୍ରଡ୍ ୧/୭୦, ମାସନ କ୍ରେନ୍ ୧/୧୩୫)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/2-Usman-Khawaja-celebrates-his-first-Ashes-century.jpg)