ଏକ ନମ୍ବର ମେଦଭେଦେଭଙ୍କୁ ବିଦା କଲେ କିର୍ଗିଅସ

ନ୍ୟୁୟର୍କ: ଚଳିତ ୟୁଏସ୍‌ ଓପନ୍‌ରେ ରବିବାର ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି ଅଷ୍ଟ୍ରେଲିଆର ନିକ୍‌ କିର୍ଗିଅସ। ପୁରୁଷ ଏକକ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଏହି ୨୩ ମାନ୍ୟତାପ୍ରାପ୍ତ ଖେଳାଳି ବିଶ୍ବର ଏକ ନମ୍ବର ଡାନିଲ ମେଦଭେଦେଭଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛନ୍ତି। ୱିମ୍ବଲଡନ୍‌ ଫାଇନାଲିଷ୍ଟ କିର୍ଗିଅସ ୭-୬ (୧୧), ୩-୬, ୬-୩, ୬-୨ ‌ସେଟ୍‌ରେ ଗତ ଥରର ବିଜେତା ରୁଷିଆର ମେଦଭେଦେଭଙ୍କୁ ହରାଇ ପ୍ରଥମ ଥର ଏଠାରେ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ସେମିଫାଇନାଲ୍‌ ସ୍ଥାନ ପାଇଁ ‌୨୭ ବ‌ର୍ଷୀୟ କିର୍ଗିଅସ୍‌ ୨୭ ମାନ୍ୟତାପ୍ରାପ୍ତ କାରେନ କାଚାନୋଭଙ୍କୁ ଭେଟିବେ। ରୁଷିଆର କାଚାନୋଭ ୪-୬, ୬-୩, ୬-୧, ୪-୬, ୬-୩ ସେଟ୍‌ରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ସ୍ପେନ୍‌ର ପାବ୍‌ଲୋ କାରେନୋ ବୁଷ୍ଟାଙ୍କୁ ପରାସ୍ତ କରିଥିଲେ। ଅନ୍ୟ ଏକ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଇଟାଲିର ମାତିଓ ବେରେତିନି ୩-୬, ୭-୬, ୬-୩, ୪-୬, ୬-୨ ସେଟ୍‌ରେ ସ୍ପେନ୍‌ର ଆଲେଜାଣ୍ଡ୍ରୋ ଡାଭିଡୋଭିଚ ଫୋକିନାଙ୍କୁ ହରାଇ ଲଗାତାର ଦ୍ବିତୀୟ ଥର ଲାଗି କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। କ୍ବାର୍ଟର ଫାଇନାଲ୍‌ରେ ତ୍ରୟୋଦଶ ମାନ୍ୟତାପ୍ରାପ୍ତ ବେରେତିନି ପଞ୍ଚମ ମାନ୍ୟତାପ୍ରାପ୍ତ କାସ୍‌ପର ରୁଡ୍‌ଙ୍କୁ ଭେଟିବେ। ନରୱେର ରୁଡ୍‌ ୬-୧, ୬-୨, ୬-୭, ୬-୨ ସେଟ୍‌ରେ ଫ୍ରାନ୍ସର କୋରେଣ୍ଟିନ ମୌଟେଟ୍‌ଙ୍କୁ ହରାଇଥିଲେ।

ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ପଞ୍ଚମ ମାନ୍ୟତାପ୍ରପ୍ତ ଓନ୍ସ ଜାବିଉର ଏବଂ ଦ୍ବାଦଶ ମାନ୍ୟତାପ୍ରାପ୍ତ କୋକୋ ଗଫ୍‌ ପ୍ରବେଶ କରିଛନ୍ତି। ତୁନିସିଆର ଜାବିଉର ୭-୬, ୬-୪ ସେଟ୍‌ରେ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ରୁଷିଆର ଭେରୋନିକା ‌କୁଦର୍ମେତୋଭାଙ୍କୁ ଏବଂ ଆମେରିକୀୟ ଯୁବତୀ ଗଫ୍‌ ୭-୫, ୭-୫ ସେଟ୍‌ରେ ଚୀନ୍‌ର ଝାଙ୍ଗ ସୁଆଇଙ୍କୁ ହରାଇଥିଲେ। କ୍ବାର୍ଟର ଫାଇନାଲ୍‌ରେ ଜାବିଉର ଅଷ୍ଟ୍ରେଲିଆର ଆଜ୍‌ଲା ତୋଲଜାନୋଭିକ୍‌ଙ୍କୁ ଏବଂ ଗଫ୍‌ ଫ୍ରାନ୍ସର କାରୋଲିନା ଗାର୍ସିଆଙ୍କୁ ଭେଟିବେ। ୨୩ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ସେରେନା ୱିଲିୟମ୍ସଙ୍କୁ ବିଦା କରିଥିବା ତୋମଲଜାନୋଭିକ୍‌ ୭-୬, ୬-୧ ସେଟ୍‌ରେ ରୁଷିଆର ଲିଉଦମିଲା ସାମ୍‌ସୋନୋଭାଙ୍କୁ ଏବଂ ସପ୍ତଦଶ ମାନ୍ୟତାପ୍ରାପ୍ତ ଗାର୍ସିଆ ୬-୪, ୬-୧ ସେଟ୍‌ରେ ଆମେରିକାର ଆଲିସନ ରିସ୍କେ-ଅମ୍ରିତରାଜଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର