ଲା’ ଲିଗା ଫୁଟ୍‌ବଲ୍‌, ରାମୋସ୍‌ଙ୍କ ଗୋଲ୍‌ ବଳରେ ମାଦ୍ରିଦ୍‌ ଶୀର୍ଷକୁ ଫେରିଲା

ମାଦ୍ରିଦ୍: ସର୍ଗିଓ ରାମୋସ୍‌ଙ୍କ ଉତ୍କଣ୍ଠାପୂର୍ଣ୍ଣ ଫ୍ରିକିକ୍‌ ଗୋଲ୍‌ ବଳରେ ରିଅଲ୍‌ ମାଦ୍ରିଦ୍‌ ବୁଧବାର ଏକ ମ୍ୟାଚ୍‌ରେ ରିଅଲ୍‌ ମାଲୋର୍କାକୁ ପରାସ୍ତ କରିଦେଇଛି। ଏହି ମ୍ୟାଚ୍‌ରେ ୧ ବର୍ଷ ବୟସ୍କ ଭିନିସିଅସ୍‌ ଜୁନିୟର ପ୍ରଥମାର୍ଧରେ ଗୋଲ୍‌ କରି ମାଦ୍ରିଦ୍‌ ଦଳକୁ ଅଗ୍ରଣୀ ଦେଇଥିଲେ। ଏହାପରେ ରାମୋସ୍‌ଙ୍କ ଗୋଲ୍‌ ହିଁ ଦଳକୁ ୨-୦ର ବିଜୟ ଭେଟି ଦେଇଥିଲେ। ଚଳିତ ଋତୁରେ ରାମୋସ୍‌ ତାଙ୍କ ବ୍ୟକ୍ତିଗତ ଗୋଲ୍‌ ସଂଖ୍ୟାକୁ ୮ରେ ପହଞ୍ଚାଇଥିଲେ। ଯାହାକି ତାଙ୍କର କ୍ୟାରିୟର ଶ୍ରେଷ୍ଠ ହୋଇଛି। ଅନ୍ୟପକ୍ଷରେ ମାଲୋର୍କା ପକ୍ଷରୁ ଖେଳିଥିବା ୧୫ ବର୍ଷ ୨୧୯ ଦିନ ବୟସର ଲୁକା ରୋମେରୋ ଲା’ ଲିଗାରେ ସର୍ବକନିଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତେବେ ଏହି ବିଜୟ ଯୋଗୁଁ ମାଦ୍ରିଦ୍‌ ମଧ୍ୟ ଚଳିତ ଲା’ ଲିଗା ପ୍ରତିଯୋଗିତାରେ ବାର୍ସିଲୋନାକୁ ପଛରେ ପକାଇ ପୁଣି ଥରେ ପଏଣ୍ଟ୍‌ ତାଲିକାର ଶୀର୍ଷକୁ ଫେରିଛି।

ଉଭୟ ମାଦ୍ରିଦ୍‌ ଓ ବାର୍ସିଲୋନା ଦଳ ପ୍ରତ୍ୟେକ ୩୧ ଲେଖାଏଁ ମ୍ୟାଚ୍‌ ଖେଳିସାରିଥିଲା ବେଳେ ସମାନ ୬୮ ଲେଖାଏଁ ପଏଣ୍ଟ୍‌ ମଧ୍ୟ ପାଇଛନ୍ତି। ମାଦ୍ରିଦ୍‌ ୨୦ ବିଜୟ ପାଇଥିଲା ବେଳେ ବାର୍ସିଲୋନା କିନ୍ତୁ ୨୧ ବିଜୟ ହାସଲ କରିଛି। ଗୋଲ୍‌ ବ୍ୟବଧାନରେ ମଧ୍ୟ ବାର୍ସିଲୋନା (୩୯) ମାଦ୍ରିଦ୍‌ (୩୮) ଉପରକୁ ରହିଛି। ହେଲେ ପରସ୍ପର ମୁକାବିଲାର ଫଳାଫଳକୁ ଭିତ୍ତିକରି ମାଦ୍ରିଦ୍‌ ଦଳ ଆଗରେ ରହିଛି। ଆଟ୍‌ଲେଟି କୋ ମାଦ୍ରିଦ୍‌ (୩୧ ମ୍ୟାଚ୍‌, ୫୫ ପଏଣ୍ଟ୍‌), ସେଭିଲା (୩୧ ମ୍ୟାଚ୍‌, ୫୩ ପଏଣ୍ଟ୍‌) ଏବଂ ଗେଟାଫେ (୩୧ ମ୍ୟାଚ୍‌, ୪୯ ପଏଣ୍ଟ୍‌) ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର