ଲା ଲିଗା: ବାର୍ସିଲୋନାକୁ ବଡ଼ ବିଜୟ ଦେଲେ ମେସି

ବାର୍ସିଲୋନା : ତାରକା ଫୁଟ୍‌ବଲର୍‌ ଲିଓନେଲ ମେସିଙ୍କ ଯୁଗଳ ଗୋଲ୍‌ ବଳରେ ବାର୍ସିଲୋନା ଲା ଲିଗାରେ ବଡ଼ ବିଜୟ ପାଇଛି। ଗୁରୁବାର ମଧ୍ୟରାତ୍ରିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବାର୍ସିଲୋନା ୫-୨ ଗୋଲ୍‌ରେ ଗେଟାଫେକୁ ପରାସ୍ତ କରି ଟ୍ରଫି ଆଶା ଉଜ୍ଜୀବିତ ରଖିଛି। ଅଷ୍ଟମ ମିନିଟ୍‌ରେ ମେସି ଗୋଲ୍‌ ଦେଇ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ହେଲେ ୧୨ ମିନିଟ୍‌ରେ ସ୍ଲେମେଣ୍ଟ ଲେଙ୍ଗଲେଟଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ସ୍ଥିତି ୧-୧ ହୋଇଥିଲା। ଏହାପରେ ଗେଟାଫେର ସୋଫିଆନ୍‌ ଚାକ୍‌ଲାଙ୍କ ଆତ୍ମଘାତୀ ଗୋଲ୍‌ରେ ପୁଣି ବାର୍ସିଲୋନା ଆଗୁଆ ହୋଇଥିଲା। ମେସି ୩୩ତମ ମିନିଟ୍‌ରେ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଗୋଲ୍‌ ଦେଇ ପ୍ରଥମାର୍ଧରେ ଦଳକୁ ୩-୧ରେ ଅଗ୍ରଣୀ ରଖିଥିଲେ। ଏହି ଯୁଗଳ ସହ ମେସି ଚଳିତ ଲା ଲିଗାରେ ଲଗାତାର ଭାବେ ୧୨ ସଂସ୍କରଣରେ ୨୫ ଗୋଲ୍‌ କରିବାର ଗୌରବ ପାଇଥିଲେ। ଦ୍ବିତୀୟାର୍ଧରେ ଗେଟୋଫେର ଏନିସ ଓନାଲ (୬୯ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝିଥିଲା ବେଳେ ବାର୍ସିଲୋନାର ରୋନାଲ୍‌ଡୋ ଆରଜୁ (୮୭ ମିନିଟ୍‌) ଓ ଆଣ୍ଟିନୋ ଗ୍ରିଜମ୍ୟାନ୍‌ (୯୦+୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ବିଜୟ ବ୍ୟବଧାନକୁ ୫-୨ରେ ପହଞ୍ଚାଇଥିଲେ।

ପ୍ରିମିୟର ଲିଗ୍‌: ୱେଷ୍ଟ୍‌ ବ୍ରମ୍‌କୁ ହରାଇଲା ଲିସେଷ୍ଟର
ଲିସେଷ୍ଟର : ଚଳିତ ପ୍ରିମିୟର ଲିଗ୍‌ରେ ଗୁରୁବାର କିଙ୍ଗ ପାୱର ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ‌ଲିସେଷ୍ଟର ୩-୦ ଗୋଲ୍‌ରେ ୱେଷ୍ଟ୍‌ ବ୍ରମ୍‌କୁ ପରାସ୍ତ କରିଛି। ଦଳ ପକ୍ଷରୁ ଜାମି ଭାର୍ଡି (୨୩ ମିନିଟ୍‌), ଜନି ଏଭାନ୍ସ (୨୬ ମିନିଟ୍‌) ଏବଂ କେଲାଚି ହିନାଚୋ (୩୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଦଳକୁ ପ୍ରଥମାର୍ଧରେ ୩-୦ରେ ଆଗୁଆ ରଖିଥିଲେ। ଦ୍ବିତୀୟାର୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଏହି ବିଜୟ ସହ ଲିସେଷ୍ଟର ୩୨ ମ୍ୟାଚ୍‌ରୁ ୫୯ ପଏଣ୍ଟ୍‌ ପାଇ ଟେବୁଲର ତୃତୀୟ ସ୍ଥାନକୁ ଉଠିଥିଲା। ଏଥିସହ ଚାମ୍ପିଅନ୍‌ସ ଲିଗ୍‌ ଯୋଗ୍ୟତା ଅର୍ଜନ କରିଥିଲା।

ସମ୍ବନ୍ଧିତ ଖବର