ପ୍ରଥମ ଦିନରେ ଲାବୁସେନ୍‌, ନଟରାଜନଙ୍କ ଚମକ

ବ୍ରିସ୍‌ବେନ୍ : ମାର୍ନସ ଲାବୁସେନଙ୍କ ଶତକ ଏବଂ ଥାଙ୍ଗରାସୁ ନଟରାଜନଙ୍କ ଚମତ୍କାର ପଦାର୍ପଣ ଭିତରେ ଗାବା ଟେ‌ଷ୍ଟ୍‌ର ପ୍ରଥମ ଦିନ ବିତିଛି। ଅଷ୍ଟ୍ରେଲିଆ ପ୍ରାଧାନ୍ୟ ବିସ୍ତାର କରିଥିଲେ ମଧ୍ୟ ଭାରତ ପ୍ରତ୍ୟାବର୍ତ୍ତନ କରିବାର ଆଶା ଦେଖାଇଛି। ଘରୋଇ ଦଳ ୨୭୪ ରନ୍ ସଂଗ୍ରହ କରିଥିବା ବେଳେ ଅନଭିଜ୍ଞ ଭାରତୀୟ‌ ‌ବୋଲିଂ ବାହିନୀ ୫ ୱିକେଟ୍‌ ଅକ୍ତିଆର କରି ନେଇଛନ୍ତି। ‌୫ ଜଣିଆ ଭାରତୀୟ ବୋଲିଂ ବିଭାଗର ସଦସ୍ୟମାନଙ୍କ ମଧ୍ୟରୁ କେହି ୩ରୁ ଅଧିକ ଟେଷ୍ଟ୍‌ ଖେଳିନାହାନ୍ତି। ନଭଦୀପ ସୈନି ଆହତ ହୋଇ ଅଧାରୁ ପଡ଼ିଆ ଛାଡ଼ିବା ଭିତରେ ମଧ୍ୟ ଭାରତ ପାଇଁ ପ୍ରଥମ ଦିନ ସେତେଟା ଭଲ ବିତିନାହିଁ।

ଗାବାରେ ଶୁକ୍ରବାର ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ମାତ୍ର ୩ ଟେଷ୍ଟ୍‌ ଓ ୧୧ ୱିକେଟ୍ ଅଭିଜ୍ଞ ଭାରତୀୟ ବୋଲିଂ ବାହିନୀକୁ ଅଷ୍ଟ୍ରେଲିଆର ମିଳିତ ୫୯ ଶତକ ବିପକ୍ଷରେ ଲଢ଼ିବାକୁ ପଡ଼ିଥିଲା। ପ୍ରଥମ ଓଭର ଶେଷ ବଲ୍‌ରେ ଡେଭିଡ୍ ୱାର୍ନର (୧)ଙ୍କୁ ମହମ୍ମଦ ସିରାଜ ଆଉଟ୍ କରି ଘରୋଇ ଦଳକୁ ପ୍ରଥମ ଝଟ୍‌କା ଦେଇଥିଲେ। ୱିଲ୍ ପକସ୍କିଙ୍କ ବଦଳରେ ଖେଳିଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମାର୍କସ‌୍ ହାରିସ୍‌ (୫)ଙ୍କୁ ସାର୍ଦୁଲ ଠାକୁର ଶିକାର କରିଥିଲେ। ଏହି ସମୟରେ ମାର୍ନସ ଲାବୁସେନ୍‌ ଏବଂ ଗତ ଟେଷ୍ଟର ଶତକ ହାସଲକାରୀ ଷ୍ଟିଭେନ୍ ସ୍ମିଥ୍‌ ତୃତୀୟ ୱିକେଟ୍ ପାଇଁ ୭୦ ରନ୍ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ। ଅଶ୍ବିନଙ୍କ ମାର୍ଗଦର୍ଶନରେ ‌ଖେଳୁଥିବା ୱାସିଂଟନ୍ ସୁନ୍ଦର ନିଜ ପଦାର୍ପଣରେ ସ୍ମିଥ୍ (୩୬, ୭୭ ବଲ୍‌)ଙ୍କୁ ଶିକାର କରିଥିଲେ। ଏହା ପରେ ମାଥ୍ୟୁ ୱାଦେଙ୍କୁ ସାଥୀ କରି ଲାବୁସେନ୍ ଶତକୀୟ ଭାଗୀଦାରି ଗଢ଼ିବାରୁ ଭାରତ ହାତରୁ ନିୟନ୍ତ୍ରଣ ଖସିଯାଇଥିଲା। ଅର୍ଦ୍ଧଶତକ ହାସଲ ପୂର୍ବରୁ କ୍ୟାଚ୍ ଡ୍ରପ୍ କାରଣରୁ ଲାବୁସେନ୍ ଦୁଇ ଥର ଜୀବନଦାନ ପାଇଥିଲେ। ସେ ୩୭ ରନ୍‌ରେ ଥିବା ବେଳେ ରାହାଣେ ଏବଂ ୪୮ ରନ୍‌ରେ ଥିବା ବେଳେ ପୂଜାରା ସ୍ଲିପ୍‌ରେ କ୍ୟାଚ୍‌ ଛାଡ଼ିଥିଲେ। ଲାବୁସେନଙ୍କ ୱିକେଟ୍‌ ନେଇ ଭାରତ ପାଇଁ ସବୁଠାରୁ ବଡ଼ ସଫଳତା ଆଣିଥିଲେ ଅନ୍ୟତମ ପଦାର୍ପଣକାରୀ ଥାଙ୍ଗରାସୁ ନଟରାଜନ। ପୂର୍ବରୁ ମାଥ୍ୟୁ ୱାଦେଙ୍କୁ ନିଜ ପ୍ରଥମ ଟେଷ୍ଟ୍ ଶିକାର କରିଥିଲେ ଏହି ତାମିଲ ବୋଲର। ୨୧୩/୫ରେ ପହଞ୍ଚିବା ଅଷ୍ଟ୍ରେଲିଆ ପାଇଁ ଶେଷ ୨୧ ଓଭର ୱିକେଟ୍ ହରାଇବାକୁ ଦେଇନଥିଲେ କାମେରନ୍ ଗ୍ରିନ୍‌ (୨୮*, ୭୦ ବଲ୍‌) ଏବଂ ଟିମ୍ ପେନ୍ (୩୮*, ୬୨ ବଲ୍‌)।

ଲାବୁସେନଙ୍କ ଡବଲ୍ ଗିୟର୍‌: ଚଳିତ ଶୃଙ୍ଖଳାରେ ଅଷ୍ଟ୍ରେଲିଆର ସବୁଠୁ ସଙ୍ଗତିପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍‌ ଥିବା ଲାବୁସେନ୍‌ ପ୍ରଥମ ଥର ଶତକ ହାସଲ କରିଥିଲେ। ଏହା ଥି‌ଲା ତାଙ୍କ ପଞ୍ଚମ ଟେଷ୍ଟ୍ ଶତକ ଏବଂ ଭାରତ ବିପକ୍ଷରେ ପ୍ରଥମ। ଶୁକ୍ରବାର ସେ ଡବଲ୍ ଗିୟରରେ ବ୍ୟାଟିଂ କରିଥିଲେ। ପ୍ରଥମ ୮୨ ବଲ୍‌ରୁ ୧୯ ରନ୍ ସଂଗ୍ରହ କରି ନିଜ ‌‌ଧୈର୍ଯ୍ୟର ପ୍ରମାଣ ଦେଇଥିଲେ। ପରବର୍ତ୍ତୀ ୧୧୩ ବଲ୍‌ରୁ ସେ ୮୨ ରନ୍ ସଂଗ୍ରହ କରିଥିଲେ। ଶେଷକୁ ୨୦୪ ବଲ୍‌ ଖେଳି ୯ ଚୌକା ସହାୟତାରେ ଅପରାଜିତ ୧୦୮ ରନ୍ କରିଥିଲେ।

୪ ପରିବର୍ତ୍ତନ, ୨ ପଦାର୍ପଣ
ଆହତ ସମସ୍ୟା ଭିତରେ ଜୁଝୁଥିବା ଭାରତୀୟ ଦଳ ବାଧ୍ୟବାଧକତାରେ ଗାବା‌ ଟେଷ୍ଟ୍‌କୁ ୪ଟି ପରବର୍ତ୍ତନ ‌ସହ ଖେଳୁଛି। ସବୁଠାରୁ ଅନଭିଜ୍ଞ ବୋଲିଂ ବାହିନୀ ସହ ଭାରତୀୟ ଦଳ ଖେଳିବାକୁ ବାଧ୍ୟ ହୋଇଛି। ଆହତ ସମସ୍ୟା କାରଣରୁ ଗତ ଟେଷ୍ଟ୍‌ ଦଳରୁ ହନୁମା ବିହାରୀ, ରବିଚନ୍ଦ୍ରନ ଅଶ୍ବିନ୍‌, ଯଶପ୍ରୀତ୍ ବୁମରା, ରବୀନ୍ଦ୍ର ଜାଦେଜା ଏହ‌ି ଟେଷ୍ଟ୍ ପାଇଁ ଉପଲବ୍‌ଧ ନହେବାରୁ ସେମାନଙ୍କ ସ୍ଥାନରେ ଯଥାକ୍ରମେ ମୟଙ୍କ ଅଗ୍ରୱାଲ, ୱାସିଂଟନ୍ ସୁନ୍ଦର, ଥାଙ୍ଗରାସୁ ନଟରାଜନ ଓ ସାର୍ଦୁଲ ଠାକୁର ଚୂଡାନ୍ତ ଏଦାଦଶରେ ସ୍ଥାନ ପାଇଛନ୍ତି। ଏଥି ସହ ଲେଗସ୍ପିନର୍‌ ୱାସିଂଟନ୍ ସୁନ୍ଦର, ବାମହାତୀ ଦ୍ରୁତ ବୋଲର ଟି ନଟରାଜନଙ୍କ ଟେଷ୍ଟ ଜୀବନ ବ୍ରିସ୍‌ବେନ୍‌ରୁ ଆରମ୍ଭ‌ ହୋଇଛି। ମୟଙ୍କ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ପୂର୍ବରୁ ୨୦୧୮ରେ ମାତ୍ର ଗୋଟିଏ ଟେଷ୍ଟ୍ ଖେଳିଥିବା ସାର୍ଦୁଲ ବର୍ଡର-ଗାଭାସ୍କର ଟ୍ରଫିରେ ପଦାର୍ପଣର ସୁଯୋଗ ପାଇଛନ୍ତି। ନଟରାଜନ ଏବଂ ସୁନ୍ଦର ପଦାର୍ପଣର ପ୍ରଥମ ଦିନରେ ୱିକେଟ୍ ନେବାର ଗୌରବ ମଧ୍ୟ ପାଇଛନ୍ତି।

ସମ୍ବନ୍ଧିତ ଖବର