ଦୁବାଇ: ବାମହାତୀ ଅଲରାଉଣ୍ଡର ସୁରେଶ ରାଇନା ଓ ଦକ୍ଷ ଅଫସ୍ପିନର ହରଭଜନ ସିଂହଙ୍କ ଅନୁପସ୍ଥିତି ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଅପୂରଣୀୟ କ୍ଷତି। ସେହିଭଳି ଯୁବ ଖେଳାଳିଙ୍କ ଅଭାବ ପାଇଁ ମଧ୍ୟ ଏହି ଦଳର ଚତୁର୍ଥ ଆଇପିଏଲ୍ ଟ୍ରଫି ବିଜୟ ଆଶା ଅକାଳରେ ମଉଳି ଯାଇପାରେ। ଏଭଳି ଆକଳନ କରିଛନ୍ତି କିଂବଦନ୍ତି ଭାରତୀୟ କ୍ରିକେଟର ତଥା ପ୍ରତିଷ୍ଠିତ ଭାଷ୍ୟକାର ସୁନିଲ ଗାଭାସ୍କର। ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କ ସନ୍ତୁଳନର ଅଭାବ ମଧ୍ୟ ଏଥର ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ପାଇଁ ଆଉ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇପାରେ ବୋଲି ସେ ଆଶଙ୍କା ଜାହିର କରିଛନ୍ତି।ଚେନ୍ନାଇ ଚଳିତ ବର୍ଷର ଆଇପିଏଲ୍ ନିଲାମରେ ମାତ୍ର ୪ ଜଣ ଖେଳାଳିଙ୍କୁ କିଣିଥିଲା ବେଳେ ଏକ ବୟସ୍କ ଦଳକୁ ନେଇ ଦୁବାଇ ଯାଇଛି। ଦଳ ପୁଣି ଥରେ ନିଜ ପୁରୁଖା ଖେଳାଳିଙ୍କ ଉପରେ ଆସ୍ଥା ପ୍ରକଟ କରିଛି, ଯଦିଓ ଆଇପିଏଲ୍କୁ ଯୁବ ଖେଳାଳିଙ୍କ ପ୍ରତିଯୋଗିତା ବୋଲି କୁହାଯାଉଛି ପୁରୁଖାଙ୍କ ଉପରେ ଚେନ୍ନାଇ ଖେଳିଥିବା ଏହି ଜୁଆ କେତେ ଦୂର ସଫଳ ହେଉଛି, ତାହା ଆଉ ମାତ୍ର କିଛି ଦିନ ପରେ ସ୍ପଷ୍ଟ ହୋଇଯିବ। ତେବେ ଭଜି ଓ ରାଇନା ଥିଲେ, ଚେନ୍ନାଇ ନିଶ୍ଚିତ ଭାବେ ଭଲ କରିଥା’ନ୍ତା ବୋଲି ଗାଭାସ୍କର ହୃଦୟଙ୍ଗମ କରିଛନ୍ତି।
ରାଇନା-ଭଜିଙ୍କ ଅନୁପସ୍ଥିତି ଉପରେ ନିଜ ମତ ରଖିବାକୁ ଯାଇ ବିଗତ ଦିନର ଏହି ମହାନ ଖେଳାଳି କହିଛନ୍ତି ଯେ ରାଇନା ଓ ଭଜିଙ୍କ ଅନୁପସ୍ଥିତି ଚେନ୍ନାଇ ଦଳରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଏହି କ୍ଷତିକୁ ଭରଣା କରିବା ଆଦୌ ସହଜ ହେବନି। ତେବେ ଯୁବ ଖେଳାଳିମାନେ ଏହାକୁ ଏକ ବଡ଼ ସୁଯୋଗ ଭାବେ ନେଇପାରିବେ। ପୁରୁଖା ଓ ଅଭିଜ୍ଞ ଖେଳାଳିମାନେ ସବୁବେଳେ ଚେନ୍ନାଇ ପାଇଁ ବଡ଼ ସମ୍ପତ୍ତି ହୋଇ ଆସିଛନ୍ତି ବୋଲି ସ୍ବୀକାର କରିଛନ୍ତି ଗାଭାସ୍କର। ତଥାପି ଯୁବ ଖେଳାଳିଙ୍କୁ ନେଇଥିଲେ ଦଳ ଅଧିକ ଶକ୍ତିଶାଳୀ ହୋଇ ପାରିଥା’ନ୍ତା ବୋଲି କହିଛନ୍ତି ସେ। ‘‘ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇ ସାରିଥିବାରୁ ଧୋନିଙ୍କ ଉପରେ କୌଣସି ଚାପ ନଥିବ। ମୁଁ ଭାବୁଛି ଏଥିପାଇଁ ତାଙ୍କ ପ୍ରଦର୍ଶନର ସ୍ତର ପୂର୍ବାପେକ୍ଷା ବଢ଼ିବ। ସୁରେଶ ରାଇନା ଚେନ୍ନାଇକୁ ସେହି ସନ୍ତୁଳନ ଦେଉଥିଲେ। ଆଇପିଏଲ୍ରେ ତାଙ୍କ ରେକର୍ଡ ଏହା ସ୍ପଷ୍ଟ କରୁଛି। ଚେନ୍ନାଇ ତାଙ୍କ ଅନୁପସ୍ଥିତିକୁ ନିଶ୍ଚିତ ଅନୁଭବ କରିବ’’ ବୋଲି ଗାଭାସ୍କର ଏକ ସାକ୍ଷାତକାର ଅବସରରେ କହିଛନ୍ତି। ସୂଚନାଯୋଗ୍ୟ ଯେ ଚେନ୍ନାଇ ସୁପରକିଙ୍ଗ୍ସ ଏଥରର ଆଇପିଏଲ୍ର ଉଦଘାଟନୀ ମୁକାବିଲାରେ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଶନିବାର ଭେଟିବ।