ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ଦଳ ଗତ କିଛି ଋତୁ ଧରି ରଣଜୀ ଟ୍ରଫିରେ ସଂଘର୍ଷ କରୁଛି। ପ୍ରତ୍ୟେକ ଥର ପ୍ରଶିକ୍ଷକ ବଦଳୁଛନ୍ତି, କିନ୍ତୁ ଖେଳାଳିଙ୍କ ପ୍ରଦର୍ଶନରେ ସେଭଳି ଆଖିଦୃଶିଆ ସୁଧାର ଆସୁନାହିଁ। ସବୁଠୁ ବଡ଼ ଅଭାବ ହେଉଛି ସ୍ଥିରତା। ଜଣେ ବ୍ୟାଟର୍ ଶତକ ମାରିବା ପରେ ତାଙ୍କ ବ୍ୟାଟ୍ ଶାନ୍ତ ହୋଇଯାଉଛି। ବୋଲର ମଧ୍ୟ ଠିକ୍ ସେମିତି ଅସ୍ଥିର ପ୍ରଦର୍ଶନ ଦେଉଛନ୍ତି। ଚଳିତ ଋତୁରେ ରାଜେଶ ମହାନ୍ତି ତିନିଟି ୫ ୱିକେଟ୍ ସଫଳତା ପାଇଛନ୍ତି, କେବଳ ଜଣଙ୍କ ଭରସାରେ ମ୍ୟାଚ୍ ଜିତିବା ଆଶା କରାଯାଇ ପାରିବନି। ଏସବୁ ଭିତରେ ଓଡ଼ିଶା କ୍ରିକେଟ୍ ଦଳରେ ବିଶେଷଜ୍ଞ ସ୍ପିନର୍ଙ୍କ ଅଭାବ ସବୁଠୁ ବଡ଼ ପାର୍ଥକ୍ୟ ଦର୍ଶାଉଛି। ଜୟନ୍ତ ବେହେରା ଓ ଧୀରାଜ ସିଂହଙ୍କ ପରଠୁ ଓଡ଼ିଶା ଆଉ ନିୟମିତ ସ୍ପିନର ପାଇପାରିନି। ଯିଏ ବି ଆସିଛନ୍ତି କାମଚଳା ଦାୟିତ୍ବ ତୁଲାଉଛନ୍ତି। ଚଳିତ ଋତୁ ପାଇଁ ସ୍ପିନ୍ ବୋଲର ଶିବିର ଆୟୋଜନ କରାଯାଇ, ରଣଜୀ ଦଳ ପାଇଁ ସୁମିତ ଶର୍ମା ଓ ହର୍ଷିତ ରାଠୋଡ଼ଙ୍କୁ ଚୟନ କରାଯାଇଥିଲା। କିନ୍ତୁ ସୁମିତ ବୟସ ଜାଲିଆତିରେ ଫସି ବାସନ୍ଦ ହୋଇଛନ୍ତି। ଏବେ ହର୍ଷିତ ହିଁ ଏକମାତ୍ର ସାହା ଭରସା। ଚୟନକର୍ତ୍ତାମାନେ ମଧ୍ୟ ତାଙ୍କ ଉପରେ ଆସ୍ଥା ଜମାଇଛନ୍ତି।
ପୂର୍ବରୁ ଓଡ଼ିଶା ଦଳରେ ଏନ୍ଏନ୍ ସ୍ବାମୀ, ରଂଜୀବ ବିଶ୍ବାଳ, ସଂଜୟ ଶତପଥୀ, ସୁଶୀଲ କୁମାରଙ୍କ ଭଳି ଏକାଧିକ ଦକ୍ଷ ଓ ବିଶେଷଜ୍ଞ ସ୍ପିନର୍ ଥିଲେ। ସଂଜୟ ରାଉଳ ବି ଭଲ ସ୍ପିନ୍ ବୋଲିଂ କରିଥିଲେ। ସେମାନେ ଓଡ଼ିଶା ପାଇଁ ପ୍ରଚୁର ୱିକେଟ୍ ନେଇଛନ୍ତି। ଜୟନ୍ତ ବେହେରା ଓ ଧୀରାଜ ସିଂହ ଦୁଇଜଣ ବାମହାତୀ ସ୍ପିନର୍ ଭାବେ ପରବର୍ତ୍ତୀ ସମୟରେ ଓଡ଼ିଶା ଦଳ ପାଇଁ ବରଦାନ ସଦୃଶ ଥିଲେ। କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ଖେଳିବା ପରେ ସେମାନଙ୍କ ପ୍ରଦର୍ଶନ ମଧ୍ୟ ହ୍ରାସ ପାଇବାକୁ ଲାଗିଥିଲା। ହେଲେ ପରବର୍ତ୍ତୀ ପିଢ଼ିର ସ୍ପିନର୍ଙ୍କୁ ଖୋଜିବାରେ ଓଡ଼ିଶା କ୍ରିକେଟ୍ ସଂଘ ସାମାନ୍ୟ ଅବହେଳା କରିଦେଇଥିବା ଭଳି ମନେହେଉଛି। ଏହାର ସୁଯୋଗ ନେଇ ଅଭିଷେକ ରାଉତ, ଗୋବିନ୍ଦ ପୋଦ୍ଦାର, ଶାନ୍ତନୁ ମିଶ୍ର କାମଚଳା ସ୍ପିନର ଭାବେ କିଛିଟା ସଫଳତା ପାଇଥିବାରୁ ବିଶେଷଜ୍ଞ ସ୍ପିନର ଖୋଜିବା ଧାରାରେ ବିଳମ୍ବ ହୋଇଥିଲା। ଚଳିତ ଋତୁ ପାଇଁ ପୂର୍ବତନ ଭାରତୀୟ ଦଳର ସ୍ପିନର ଭେଙ୍କଟପତି ରାଜୁଙ୍କ ନୀରିକ୍ଷଣରେ ଏକ ସ୍ପିନ ବୋଲର ଶିବିର ଆୟୋଜନ ହୋଇଥିଲା ବେଳେ ସେଥିରୁ ଅନେକ ପ୍ରତିଭାଙ୍କୁ ଚିହ୍ନଟ କରାଯାଇଥିଲା। ସୁମିତ ମହାରଣା, ସୁମିତ ଶର୍ମା, ଜାମେଲା ଭଞ୍ଜନ ମହାପାତ୍ର, ରିତେଶ ପ୍ରିୟରଂଜନ, ସୟଦ ତୌଫିଲ୍ ଅହମଦ, ଅଙ୍କିତକର ଜୟସ୍ବାଲ, କ୍ରିଷ୍ଣା ପଲାଇ, ବାଦଲ ବିଶ୍ବାଳ, ସୌରଭ କାନୋଜିଆ, ମୁସ୍ତାକ ବେଗ୍ଙ୍କ ଭଳି ଖେଳାଳି ସାମ୍ନାକୁ ଆସିଥିଲେ। ଏମାନଙ୍କ ମଧ୍ୟରୁ ଅନେକ ବୟସବର୍ଗର ପ୍ରତିଯୋଗିତାଗୁଡ଼ିକରେ ଖେଳିସାରିଛନ୍ତି। ସୌରଭ ଆହତ ହେବାରୁ ଚଳିତ ଋତୁକୁ ଫେରିପାରି ନଥିଲା ବେଳେ ସୁମିତ ପଦାର୍ପଣ କରିବା ପୂର୍ବରୁ ବାସନ୍ଦ ହୋଇଗଲେ। ମୁସ୍ତାକ ଆଇପିଏଲ୍ରେ ନେଟ୍ ବୋଲର ଭାବେ ଖେଳିସାରିବା ବେଳେ କାନୋଜିଆ ଅଲରାଉଣ୍ଡର ଭାବେ ସଫଳତା ପାଇଛନ୍ତି। ବାମହାତୀ ସ୍ପିନର୍ଙ୍କୁ ଖୋଜାପଡୁଥିବାରୁ ତୌଫିଲ୍ ମଧ୍ୟ ଚୟନକର୍ତ୍ତାଙ୍କ ଦୃଷ୍ଟିରେ ଅଛନ୍ତି। ବୟସ ବର୍ଗ ପ୍ରତିଯୋଗିତାରେ ତାଙ୍କ ସ୍ଥିର ପ୍ରଦର୍ଶନକୁ ନଜରରେ ରଖି ଏବେ ରଣଜୀ ଦଳ ସହ ନେଟ୍ ବୋଲର ଭାବେ ତାଙ୍କୁ ବ୍ୟବହାର କରାଯାଉଛି।
ଟ୍ବେଣ୍ଟି-୨୦ କ୍ରିକେଟ୍ ଦାୟୀ: ଅମିୟ
ଓଡ଼ିଶାକୁ ଗୁଣାତ୍ମକମାନର ସ୍ପିନର୍ ନମିଳିବାକୁ ନେଇ ଟ୍ବେଣ୍ଟି-୨୦ କ୍ରିକେଟ୍କୁ ଦାୟୀ କରିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅମିୟ ରାୟ। ପୂର୍ବଭଳି ୫୦ ଓଭର କିମ୍ବା ୪୦ ଓଭର ବିଶିଷ୍ଟ ମ୍ୟାଚ୍ ଆଉ ଖେଳାଯାଉନି। ସମସ୍ତେ ଆଇପିଏଲ୍କୁ ଲକ୍ଷ୍ୟ ରଖି ଖେଳୁଛନ୍ତି। ତେଣୁ ଅଧିକ ବୋଲିଂ ଅଭ୍ୟାସ କରୁନାହାନ୍ତି। ତଥାପି ଗୁଣାତ୍ମକ ସ୍ପିନର ବାହାର କରିବାକୁ ଓସିଏକୁ ସ୍ବତନ୍ତ୍ର ବୋଲିଂ କାର୍ଯ୍ୟକ୍ରମ କରିବାକୁ ପଡ଼ିବ। ଏଥର ସ୍ପିନ୍ ଶିବିର ହୋଇଥିଲେ ମଧ୍ୟ ତାହାକୁ ନିୟମିତ କରାଯିବା ଆବଶ୍ୟକତା ରହିଛି। ପିଲାମାନେ ନିଜେ ଆଗ୍ରହ ନଦେଖାଇଲେ ଆମେ ଭଲ ବୋଲର ପାଇପାରିବୁନି ବୋଲି ଅମିୟ କହିଛନ୍ତି।
ପ୍ରତିଭା ଅଛି, ଦକ୍ଷତା ବଢାଇବାକୁ ପଡ଼ିବ: ସୌରଜିତ
ସ୍ପିନ୍ ବୋଲର ଶିବିରରୁ ଚୟନ ହୋଇଥିବା ବୋଲରଙ୍କୁ ନେଇ ଓଡ଼ିଶା କ୍ରିକେଟ୍ ଏକାଡେମିରେ ଶିବିର ଆୟୋଜନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏକାଡେମି ନିର୍ଦ୍ଦେଶକ ଆର୍ ଭେଙ୍କଟରାମ୍ ଜଣେ ଅଫ୍ ସ୍ପିନର। ଭେଙ୍କଟରାମଙ୍କ ପାଖରେ ୧୮ ବର୍ଷର ରଣଜୀ ଖେଳିବା ଅଭିଜ୍ଞତା ସହ ୭ ବର୍ଷ ଏନ୍ସିଏ ପ୍ରଶିକ୍ଷକ ଅଭିଜ୍ଞତା ମଧ୍ୟ ରହିଛି। ଏକାଧିକ ବୋଲର ଆମ ନଜରରେ ଅଛନ୍ତି। ସେମାନଙ୍କୁ ଆଉଟିକେ ମାର୍ଜିତ କରିପାରିଲେ ସେମାନେ ଓଡ଼ିଶା ଦଳର ଭବିଷ୍ୟତ ହୋଇପାରିବେ। ରଣଜୀ ଟ୍ରଫିରେ ଜଣେ ସ୍ପିନର ଅତିକମ୍ରେ ୩୦ ଓଭର ବୋଲିଂ କରିପାରୁଥିବା ଭଳି ଦକ୍ଷତା ଆବଶ୍ୟକ। ଯୁବ ବୋଲରଙ୍କ ପାଖରେ ପ୍ରତିଭା ଅଛି, କିନ୍ତୁ ଦକ୍ଷତା ବଢାଇବାକୁ ଅଧିକ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଆସନ୍ତା ଋତୁ ବେଳକୁ ବିଶେଷଜ୍ଞ ବୋଲର ଆମେ ପାଇପାରିଥିବୁ ବୋଲି ଆଶା ରଖିଛନ୍ତି ଚୟନକର୍ତ୍ତା ସୌରଜିତ ମହାପାତ୍ର।