ଗଲ୍‌ଫ ଋତୁ ପ୍ରାରମ୍ଭରୁ ଲଖିଙ୍କ ହ୍ୟାଟ୍ରିକ୍‌

ଭୁବନେଶ୍ବର: ବୟସ ଏବଂ ଆହତ ସମସ୍ୟା ସତ୍ତ୍ବେ ରାଜ୍ୟର ଏକ ନମ୍ବର ମହିଳା ଗଲ୍‌ଫର୍‌ ଲଖି ସ୍ବାଇଁଙ୍କ ଉତ୍ସାହ ଓ ସଫଳତା ଧାରା ଅଟକି ପାରିନାହିଁ। ଗତ ଋତୁରେ‌ ରାଜ୍ୟ ଓ ଜାତୀୟସ୍ତରର ୯ଟି ପ୍ରତିଯୋଗିତାରେ ନିଜ ଚମକ ଦେଖାଇଥିବା ଏହି ଭୁବନେଶ୍ବର ଗଲ୍‌ଫର୍‌ ନୂଆ ଋତୁ ପ୍ରାରମ୍ଭରୁ ମଧ୍ୟ ଜଲୱା ଦେଖାଇଛନ୍ତି। ୨୦୧୯-୨୦ ଗଲ୍‌ଫ ଋତୁର ପ୍ରଥମ ୩ଟି ପ୍ରତିଯୋଗିତାରେ ମଧ୍ୟ ବିଜୟିନୀ ହୋଇଛନ୍ତି। ନୂଆବର୍ଷର ଦ୍ବିତୀୟ ସପ୍ତାହରେ କୋଲ୍‌କାତାର ଟଲିଗଞ୍ଜ ଗଲ୍‌ଫ କୋର୍ସରେ ଅନୁଷ୍ଠିତ ସର୍ବଭାରତୀୟସ୍ତରର ପ୍ରତିଯୋଗିତାରେ ବେଷ୍ଟ୍ ନେଟ୍‌ ଉଲ୍ଲେଖନୀୟ ହୋଇଛି। ସେଠାରେ ଅନ୍ୟ ଦୁଇ ଓଡ଼ିଆ ଖେଳାଳି ହର୍ଷଦୀପ କୌର (୨୫-୩୬ ଶ୍ରେଣୀର ବଗି ଓ ଶ୍ରେଷ୍ଠ ଗ୍ରସ୍‌) ଏବଂ ଜୟଶ୍ରୀ ମିଶ୍ର (ଷ୍ଟେଟେଷ୍ଟ୍‌ ଡ୍ରାଇଭ୍‌) ମଧ୍ୟ ବ୍ୟକ୍ତିଗତ ସଫଳତା ଅର୍ଜନ କରିବାରେ ସଫଳ ହୋଇଥିଲେ। କୋଲ୍‌କାତା ଗସ୍ତ ପୂର୍ବରୁ ଲଖି ଭୁବନେଶ୍ବର ଗଲ୍‌ଫ କୋର୍ସର ନୂଆ ଋତୁ (୨୦୧୯-୨୦)ର ପ୍ରଥମ ଦୁଇ ପ୍ରତିଯୋଗିତା ହୋଲ୍‌-ଇନ୍‌-ୱାନ ଏବଂ କଳିଙ୍ଗ ଟ୍ରଫିରେ ମଧ୍ୟ ମହିଳା ବିଭାଗ ଟ୍ରଫି ବିଜୟିନୀ ହୋଇଥିଲେ। ‘‘କାନ୍ଧରେ ଆଘାତଜନିତ ସମସ୍ୟା କାରଣରୁ ଚଳିତ ବର୍ଷ ସୀମିତ ପ୍ରତିଯୋଗିତାରେ ଭାଗନେବାକୁ ପ୍ରସ୍ତୁତ ହେଉଛି। ତଥାପି ବମ୍ବେ, ବାଙ୍ଗାଲୋର୍‌, ଜାମସେଦପୁର, ଦିଲ୍ଲୀରେ ଯୋଜନା କରିସାରିଛି’’ ବୋଲି ପ୍ରକାଶ କରିଛନ୍ତି ଲଖି ସ୍ବାଇଁ। ସୂଚନାଯୋଗ୍ୟ, ୫୭ ବର୍ଷୀୟା ଲଖି ବିଗତ ଋତୁରେ ମୋଟ ୯ଟି ପ୍ରମୁଖ ପ୍ରତିଯୋଗିତାରେ ସଫଳ ହୋଇଥିଲେ। ରାଜ୍ୟ ବାହାରେ ଟଲିଗଞ୍ଜ, ବାଙ୍ଗାଲୋର୍‌ ସର୍ବଭାରତୀୟ ପ୍ରତ‌ିଯୋଗିତା, ଦିଲ୍ଲୀରେ ଇଣ୍ଡୋ-ନିପୋ ଗୋଲ୍‌ଡେନ୍‌ ଗ୍ରିନ୍ କପ୍, ମୁମ୍ବାଇରେ ଚାମ୍ବର୍ସ ପ୍ରେସିଡେନ୍‌ସି ପ୍ରତିଯୋଗିତାର ମହିଳା ବିଭାଗ ସମ୍ମାନ ପାଇଥିଲେ। ବାଙ୍ଗାଲୋର୍‌ରେ ବଗି ସହିତ ବିଜୟିନୀ ଏବଂ ଟଲିରେ ୬ଟି ଭିନ୍ନ ବର୍ଗରେ ମଧ୍ୟ ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର