ଭୁବନେଶ୍ବର: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ବିସିସିଆଇ ନିର୍ବାଚନରେ ଭୋଟ ଦେବେ ପୂର୍ବତନ ଲେଗ୍‌ ସ୍ପିନର ତଥା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଭାରତୀୟ ବିଶ୍ବବିଦ୍ୟାଳୟ ସଂଘର ପ୍ରତିନିଧି ଭାବେ ତାଙ୍କ ନାମକୁ ବିସିସିଆଇରେ ଗ୍ରହଣ କରାଯାଇଛି। ଏପରିକି ଚଳିତ ବର୍ଷର ନିର୍ବାଚନରେ ସେ କୌଣସି ପଦବି ପାଇଁ ପ୍ରତିଦ୍ବନ୍ଦ୍ବିତା ମଧ୍ୟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଲଳିତେନ୍ଦୁ ତାଙ୍କ ସ୍ବଳ୍ପ କ୍ରିକେଟ୍‌ ଜୀବନ ମଧ୍ୟରେ ୧୨ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲା ବେଳେ ଓଡ଼ିଶା ବରିଷ୍ଠ ଦଳର ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଛନ୍ତି। ୨୦୦୦ ମସିହାରେ ଓସିଏ ନିର୍ବାଚନରେ ଲଳିତେନ୍ଦୁ ସମ୍ପାଦକ ପଦବି ପ‌ାଇଁ ଆଶୀର୍ବାଦ ବେହେରାଙ୍କ ବିପକ୍ଷରେ ଲଢି ପରାଜିତ ହୋଇଥିଲେ। ପରେ ୨୦୦୭ରେ ଭୁବନେଶ୍ବର ଦୌଡ଼କୁଦ ସଂଘର ସମ୍ପାଦକ ପଦବି ପାଇଁ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରି ହାରିଯାଇଥିଲେ। ଏବେ ସେ ବ୍ରହ୍ମଗିରି ବିଧାନସଭା ଆସନରେ ବିଜେପିରୁ ବିଧାୟକ ନିର୍ବାଚିତ ହୋଇଛନ୍ତି। ବିସିସିଆଇରେ ବର୍ତ୍ତମାନ ସମ୍ପାଦକ ଜୟ ଶାହାଙ୍କ ନେତୃତ୍ବରେ କର୍ମକର୍ତ୍ତା ନିର୍ବାଚନ ହେଉଥିବାରୁ ଲଳିତେନ୍ଦୁଙ୍କୁ କୌଣସି ପଦବି ମିଳିବା ଆଶା କରାଯାଉଛି। କିଛି ଦିନ ତଳେ ଦିଲ୍ଲୀରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଲଳିତେନ୍ଦୁ ମୁମ୍ବାଇସ୍ଥିତ ବିସିସିଆଇ କାର୍ଯ୍ୟାଳୟକୁ ଯାଇଥିବା କୁହାଯାଉଛି। ତେଣୁ ତାଙ୍କପ୍ରତି ଦଳୀୟ ସମର୍ଥନ ରହିଥିବାରୁ ବିସିସିଆଇ ନିର୍ବାଚନରେ ସେ ପ୍ରତିଦ୍ବନ୍ଦ୍ବିତା କରିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ହେଲେ ଏସଂପର୍କରେ ଲଳିତେନ୍ଦୁଙ୍କଠୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।