ଲଙ୍କା ଦହନ ପାଇଁ ମାହି ରଣନୀତି:ବାଉଣ୍ଡରି ସୀମା ୫ ଗଜ ବଢିଲା

କଟକ: ଅଧିନାୟକ ଦାୟିତ୍ୱରେ ନଥିଲେ ବି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱ ଓ ବିଚକ୍ଷଣ ବୁଦ୍ଧିକୁ ଏବେ ବି ସମସ୍ତେ ମାନୁଛନ୍ତି। ଶ୍ରୀଲଙ୍କାକୁ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳାରେ ଭାରତ ମାତ୍‌ ଦେଇଥିଲା। ଟେଷ୍ଟରେ ନଥିଲେ ବି ଦିନିକିଆରେ ଧୋନିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଭାରତ ଫାଇଦାରେ ରହିଥିଲା। ଏବେ ଟେ୍ଵଣ୍ଟି-୨୦କୁ କବ୍‌ଜା କରିବା ପାଇଁ ମଧ୍ୟ ଭିନ୍ନ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଧୋନିଙ୍କ ପରାମର୍ଶକ୍ରମେ ଭାରତୀୟ ଦଳ ପ୍ରବନ୍ଧକ ସୁନୀଲ ସୁବ୍ରମଣିୟମ୍‌ ବାଉଣ୍ଡରୀ ସୀମାରେଖାକୁ ଆହୁରି ୫ୟାର୍ଡ ବଢାଇ ଦେବାକୁ ପଡ଼ିଆ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ପୂର୍ବରୁ ୭୧ ଓ ୭୨ ୟାର୍ଡ ପାଇଁ ପଡ଼ିଆ ଚତୁଃପାର୍ଶ୍ୱରେ ଦାଗ ଦିଆଯାଇଥିଲା। ମଙ୍ଗଳବାର ଅପରାହ୍ନରେ ଭାରତୀୟ ଦଳ ଅଭ୍ୟାସ କରିବାକୁ ଆସିଥିବାବେଳେ ଧୋନି ପ୍ରଥମେ ପିଚ୍‌କୁ ପରୀକ୍ଷା କରିବାକୁ ପସନ୍ଦ କରିଥିଲେ। ପିଚ୍‌ ଉପରୁ ବାଉଣ୍ଡରୀ ଚାରିପଟକୁ ନୀରିକ୍ଷଣ କରିବା ପରେ ୭୬ ୟାର୍ଡ ପର୍ଯ୍ୟନ୍ତ ବଢାଇବାକୁ ସେ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଭାରତୀୟ ଖେଳାଳିମାନେ ବଡ ସଟ୍‌ ମାରିବାରେ ମାହିର୍‌।

ଆଇପିଏଲ୍‌ରେ ତାହାର ଉଦାହରଣ ଦେଖିବାକୁ ମିଳିସାରିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳରେ ଅଧିକାଂଶ ନବାଗତ ଖେଳାଳି ଥିବାରୁ ସେମାନଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଏଭଳି କରାଯାଇଥିବା କୁହାଯାଉଛି। ଫଳରେ ପିଚ୍‌ର ସ୍ଥିତି ଓ ବାଉଣ୍ଡରୀ ଦୂରତାକୁ ନଜରରେ ରଖି ପ୍ରଥମ ବ୍ୟାଟିଂ କରିବାକୁ ଥିବା ଦଳ ପାଇଁ ୧୮୦ ରନ୍‌ ସଂଗ୍ରହ ହେବା ଅନୁମାନ କରାଯାଉଥିଲେ ବି ପରିବର୍ତ୍ତିତ ବାଉଣ୍ଡରୀ ଦୂରତା ଯୋଗୁଁ ପାଖାପାଖି ୩୦ରନ୍‌ କମ୍‌ ହେବା ସମ୍ଭାବନା ରହିଥିବା ପଡ଼ିଆ କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର