ଲାରାଙ୍କ ୫୦୧*; ୨୬ ବର୍ଷ ଅତୁଟ

ପ୍ରଥମ ଶ୍ରେଣୀ କ୍ରିକେଟ୍‌ର ସର୍ବୋଚ୍ଚ ବ୍ୟକ୍ତିଗତ ପାଳି

ନୂଆଦିଲ୍ଲୀ: ଠିକ୍ ୨୬ ବର୍ଷ ତଳେ ଆଜିର ତାରିଖ (୬ ଜୁନ୍‌)ରେ ବ୍ରାଏନ୍ ଲାରା ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ହାସଲ କରିଥିବା ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ ୫୦୧* ଏବେ ମଧ୍ୟ ଅତୁଟ ରହିଛି। ୧୯୯୪ ମସିହା ଆଜିର ତାରିଖରେ ଡରହାମ୍ ବିପକ୍ଷରେ ୱାରୱିକସାୟାର୍‌ ପାଇଁ ଖେଳୁଥିବା ବେଳେ ଏହି ମହାନ ବାମହାତୀ ବ୍ୟାଟସମ୍ୟାନ୍‌ ପାକିସ୍ତାନର କିଂବଦନ୍ତି ବ୍ୟାଟସମ୍ୟାନ୍‌ ହନିଫ୍ ମହମ୍ମଦଙ୍କ ୪୯୯ ରନ୍‌କୁ ଅତିକ୍ରମ କରିଥିଲେ। ଲାରା ଏହି ପାଳି ଖେଳିବାର ୨ ମାସ ପୂର୍ବରୁ ହିଁ ଟେଷ୍ଟ୍ କ୍ରିକେଟ୍‌ରେ କୀର୍ତ୍ତିମାନ ଭରା ତ୍ରିଶତକ ଅର୍ଜନ କରିଥିଲେ। ହନିଫ୍ ମହମ୍ମଦ ୧୯୫୯ ମସିହାର କ୍ବାଇଦ୍‌ ଇ ଆଜମ ଟ୍ରଫି ସେମିଫାଇନାଲରେ ବାହାବଳପୁର ବିପକ୍ଷରେ କରାଚୀ ପାଇଁ ୪୯୯ ରନ୍‌ର ପାଳି ଖେଳିଥିଲେ। ଯାହାକି ଦୀର୍ଘ ୩୫ ବର୍ଷ ଧରି ଅତୁଟ ରହିବା ପରେ ଲାରାଙ୍କ ଦ୍ବାରା ଭାଙ୍ଗିଥିଲା। ଲାରା କିନ୍ତୁ ନିଜର ଏହି ମାରାଥନ୍ ୫୦୧* ରନ୍‌ ପାଳିର ପ୍ରାରମ୍ଭରେ ଦୁଇ ଥର ଜୀବନଦାନ ପାଇ ଏହ‌ାର ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ। ୧୨ ରନ୍ ବେଳେ ନୋ ବଲ୍ ଏବଂ ୧୮ ରନ୍ ବେଳେ ୱିକେଟରକ୍ଷକ କ୍ରିସ୍ ସ୍କଟ୍‌ କ୍ୟାଚ୍‌ ଛାଡ଼ିବାରୁ ଲାରା କୀର୍ତ୍ତିମାନ ଦିଗରେ ଅଗ୍ରସର ହୋଇପାରିଥିଲେ।

ଲାରା ଏହି ମାଇଲଖୁଣ୍ଟ୍ ଛୁଇଁବାକୁ ୪୨୭ ବଲ୍ ଖେଳିଥିଲେ ଏବଂ ୪୭୪ ମିନିଟ୍ ଧରି ବ୍ୟାଟିଂ କରିଥିଲେ। ଶେଷ ଦିନର ମଧ୍ୟାହ୍ନ ଭୋଜନ ପୂର୍ବରୁ ସେ ୧୭୪ ରନ୍ ଯୋଡ଼ିଥିଲେ। ଜନ୍ ମୋରିସ୍‌ଙ୍କୁ ଏକ କଭର୍‌ ଡ୍ରାଇଭ ଖେଳି ୫୦୦ ରନ୍ ପୂର୍ଣ୍ଣ କରିଥିଲେ। ଏହି ପାଳି ମଧ୍ୟରେ ୬୨ ଚୌକା, ୧୦ ଛକା ସାମିଲ ଥିଲା। ସେହି ଋତୁରେ ଲାରା ୮୯.୮୨ ହାରରେ ୨୦୦୬ ରନ୍ ସଂଗ୍ରହ କରିଥିଲେ। ପ୍ରଥମ ବ୍ୟାଟସମ୍ୟାନ୍‌ ଭାବେ ୮ ପ୍ରଥମ ଶ୍ରେଣୀ ପାଳିରେ ୭ ଶତକ ହାସଲ କରିଥିଲେ। ଆଧୁନିକ କ୍ରିକେଟ୍‌ର ଅନ୍ୟତମ ଉତ୍କୃଷ୍ଟ ବ୍ୟାଟସମ୍ୟାନ୍‌ ବିବେଚିତ ଲାରା ନିଜ ଟେଷ୍ଟ୍ ଜୀବନରେ ୧୩୧ ମ୍ୟାଚ୍‌ରୁ ୩୪ ଶତକ, ୪୮ ଅର୍ଧଶତକ ସହିତ ୧୧,୯୫୩ ରନ୍ କରିଥିଲେ। ବ୍ୟକ୍ତିଗତ ସର୍ବୋଚ୍ଚ ୪୦୦* ରନ୍ ମଧ୍ୟ ଏବେ ବି ଶୀର୍ଷରେ ରହିଛି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୨୬୧ ମ୍ୟାଚ୍‌ ଖେଳି ସେ ୨୨,୧୫୬ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର