ପନ୍ତଙ୍କୁ ଧୋନିଙ୍କ ଉତ୍ତରାଧିକାରୀ ବାଛିଲେ ଲାରା

ଲାରାଙ୍କୁ ନେହରା ଓ ବାଙ୍ଗରଙ୍କ ସମର୍ଥନ

ଦୁବାଇ: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ କିଏ? ଅର୍ଥାତ୍ ଧୋନି ଅବସର ନେବା ପରେ ଦୀର୍ଘ ମିଆଦୀ ସୂତ୍ର‌ରେ କେଉଁ ଖେଳାଳି ତାଙ୍କ ସ୍ଥାନ ନେବେ? ଏଭଳି ଚର୍ଚିତ ଓ ମହତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇ ଦିଲ୍ଲୀର ଯୁବ ତାରକା ଋଷବ ପନ୍ତଙ୍କ ମୁଣ୍ଡରେ ସୁନା କଳସ ଢାଳିଛନ୍ତି ୱେଷ୍ଟଇଣ୍ଡିଜ୍‌ର କିଂବଦନ୍ତି କ୍ରିକେଟର ବ୍ରାଏନ ଲାରା। ଧୋନିଙ୍କ ଉତ୍ତରାଧିକାରୀ ଦୌଡ଼ରେ ଥିବା ତିନି ଯୁବ ତାରକା କେଏଲ୍ ରାହୁଲ, ପନ୍ତ ଓ ସଞ୍ଜୁ ସାମସନଙ୍କ ମଧ୍ୟରୁ ପନ୍ତଙ୍କୁ ବାଛିଛନ୍ତି ସେ। ପନ୍ତ ପୂର୍ବାପେକ୍ଷା ଅଧିକ ଦାୟିତ୍ବ ସଂପନ୍ନ ହୋଇଯାଇଛନ୍ତି। ସେ ହିଁ ଧୋନିଙ୍କ ସ୍ଥାନ ନେବାର ଅସଲ ଦାବିଦାର ବୋଲି ଲାରା ବୁଧବାର ଦେଇଥିବା ଏକ ସାକ୍ଷାତକାର ଅବସରରେ କହିଛନ୍ତି। ସେହିଭଳି ଚଳିତ ବର୍ଷ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଯେଭଳି ବ୍ୟାଟିଂ କରୁଛନ୍ତି, ତାହା ତାଙ୍କ ପରିପକ୍ବତାକୁ ଦର୍ଶାଉଛି ବୋଲି ମତ ଦେଇଛନ୍ତି। ପନ୍ତ ଚଳିତ ବର୍ଷର ଆଇପିଏଲ୍‌ରେ ୫ ମ୍ୟାଚ୍ ଖେଳି ୪୨.୭୫ ହାରରେ ୧୭୧ ରନ୍ କରିଛନ୍ତି। ରାହୁଲ ଓ ସାମସନ୍ ମଧ୍ୟ ଯଥାକ୍ରମେ ୩୦୨ ଓ ୧୭୧ ରନ୍ କରିଛନ୍ତି। ଏହା ସତ୍ତ୍ବେ ଏହି ତିନି ଜଣଙ୍କ ମଧ୍ୟରୁ ପନ୍ତଙ୍କୁ ବାଛିବା ପଛର କାରଣ ଦର୍ଶାଇବାକୁ ଯାଇ ଲାରା କହିଥିଲେ ‘‘ବର୍ଷକ ତଳେ ଯଦି ମୋତେ ଏହି ପ୍ରଶ୍ନ ପଚାରା ଯାଇଥା’ନ୍ତା, ତାହାଲେ ମୁଁ ସମ୍ଭବତଃ ପନ୍ତଙ୍କ ସପକ୍ଷରେ ମତ ଦେଇନଥା’ନ୍ତି। ଏବେ କିନ୍ତୁ ସେ ନିଜ ବ୍ୟାଟିଂକୁ ନେଇ ବେଶ୍ ଦାୟିତ୍ବବାନ ହୋଇଗଲେଣି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଲା ବେଳେ ‌ଅଧିକରୁ ଅଧିକ ଦାୟିତ୍ବ ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପାଳି ଗଢ଼ି ବଡ଼ ସ୍କୋର କରିବାକୁ ଚେଷ୍ଟା କରୁଛନ୍ତି। ଯଦି ସେ ଏହି ଧାରା ଜାରି ରଖନ୍ତି, ତାହାଲେ ମୁଁ କହିବି ଧୋନିଙ୍କ ସ୍ଥାନ ନେବା ଲାଗି ସେ ଏକନମ୍ବର ଦାବିଦାର। ସୂଚନାଯୋଗ୍ୟ ଯେ ବିଶ୍ବକପ୍ ସେମିଫାଇନାଲ୍ ପରେ ଧୋନି ଯେତେବେଳେ ସ୍ବଘୋଷିତ ବନବାସରେ ଚାଲି ଯାଇଥିଲେ, ସେତେବେଳେ ପନ୍ତ ଭାରତର ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ଥିଲେ। ହେଲେ ରାହୁଲ କାମଚଳା ୱିକେଟ୍ ରକ୍ଷକ ଭାବେ ସୀମିତ ଓଭର କ୍ରିକେଟରେ ଭଲ କରିବା ପରେ ନିଜ ସ୍ଥାନ ହରାଇ ବସିଥିଲେ।

ରାହୁଲ ବ୍ୟାଟିଂ ଉପରେ ଧ୍ୟାନ ଦିଅନ୍ତୁ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେଏଲ୍ ରାହୁଲଙ୍କୁ ଲାରା ଏହି ଅବସରରେ କେତେକ ମହତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଭାରତୀୟ ଦଳରେ ସ୍ଥାନ ପକ୍କା କରିବା ଲାଗି ୱିକେଟ୍ ରକ୍ଷଣକୁ ନେଇ ଚିନ୍ତିତ ହେବା ପରିବର୍ତ୍ତେ ନିଜ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବାକୁ ରାହୁଲଙ୍କୁ ସେ ଆହ୍ବାନ କରିଛନ୍ତି। ରାହୁଲଙ୍କୁ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ୍ ଭାବେ ବର୍ଣ୍ଣନା କରିଛନ୍ତି ଲାରା। ସେହିଭଳି ସ୍କୋର ବୋର୍ଡରେ ରନ୍ ବର୍ଷା କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ହେବା ଉଚିତ ବୋଲି କହିଛନ୍ତି। ‘‘ଭାରତୀୟ ଦଳ କଥା ପଡ଼ିଲେ ରାହୁଲ ତାଙ୍କ ୱିକେଟ୍ ରକ୍ଷଣ ଦକ୍ଷତା ନେଇ ବିଶେଷ ଚିନ୍ତିତ ହେବା ଉଚିତ ନୁହେଁ ବୋଲି ମୁଁ କହିବି। ସେ ଜଣେ ମହାନ ବ୍ୟାଟ୍ସମ୍ୟାନ୍, ଏଣୁ ରନ୍ ବର୍ଷା ଉପରେ ହିଁ ତାଙ୍କ ଧ୍ୟାନରହୁ’’ ବୋଲି ଲାରା ଖୋଲାଖୋଲି ଭାବେ ମତ ରଖିଥିଲେ। ବିଶେଷକରି ଭାରତୀୟ ଦଳରେ ରାହୁଲଙ୍କୁ ୱିକେଟ୍‌ରକ୍ଷଣ ଦାୟିତ୍ବ ଦେବା ଆଦୌ ଉଚିତ ନୁହେଁ ବୋଲି ଲାରା କହିଥିଲେ।

ଭଲ ବୋଲିଂ ବିପକ୍ଷରେ ସାମସନଙ୍କ କୌଶଳ ଦୁର୍ବଳ
ଚଳିତ ଆଇପିଏଲ୍‌ରେ ଦୁଇଟି ଚିତ୍ତାକର୍ଷକ ପାଳି ଖେଳି ସାରିଥିବା କେରଳୀ ତାରକା ସଞ୍ଜୁ ସାମସନଙ୍କୁ ନେଇ ମଧ୍ୟ ଲାରା କିଛି ସାରମର୍ମକ କଥା କହିଛନ୍ତି। ‘‘ସଞ୍ଜୁ ସାମସନ ଏଥର ରାଜସ୍ଥାନ ପାଇଁ ୱିକେଟ୍ ରକ୍ଷଣ କରୁନାହାନ୍ତି, ହେଲେ ମୁଁ ଜାଣିଛି ସେ ଜଣେ ଭଲ ୱିକେଟ୍ ରକ୍ଷକ। ତାଙ୍କର ଏହା ମୁଖ୍ୟ କାମ। ସାମସନ୍ ବି ଜଣେ ଭଲ ଖେଳାଳି। ସାରଜା ଷ୍ଟାଡିୟମରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ହେଲେ ଆବୁଧାବି ଓ ଦୁବାଇ ପିଚ୍‌କୁ ବିଚାରକୁ ନେଲେ, ତାଙ୍କ ବୈଷୟିକ କୌଶଳ ଭଲ ବୋଲିଂ ବିପକ୍ଷରେ ଟିକିଏ ଦୁର୍ବଳ ବୋଲି ମୁଁ କହିପାରିବି। ଏହି ଦିଗରେ ତାଙ୍କୁ ଢେର କାମ କରିବାକୁ ପଡ଼ିବ’’ ବୋଲି ଲାରା କହିଥିଲେ। ପନ୍ତଙ୍କ ଦକ୍ଷତା ଉପରେ କିନ୍ତୁ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଗୋଟିଏ ଟେଷ୍ଟ୍ ପାଳିରେ ୪୦୦* ରନ୍ କରିଥିବା ଲାରା ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ।

ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ପସନ୍ଦ ୱିକେଟ୍ ରକ୍ଷକ ଭାବେ ଦିଲ୍ଲୀ ଯୁବ ତାରକା ଋଷବ ପନ୍ତଙ୍କୁ ୱେଷ୍ଟଇଣ୍ଡିଜ୍‌ର କିଂବଦନ୍ତି ଖେଳାଳି ବ୍ରାଏନ ଲାରା ବାଛିଥିଲା ବେଳେ ତାଙ୍କୁ ଦୃଢ଼ ସମର୍ଥନ କରିଛନ୍ତି ସଞ୍ଜୟ ବାଙ୍ଗର ଓ ଆଶିଷ ନେହରା। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ ବାଙ୍ଗର ଓ ପୂର୍ବତନ ଦ୍ରୁତ ବୋଲର ନେହରା ଆଗାମୀ ସମୟରେ ପନ୍ତଙ୍କୁ ସମର୍ଥନ ଦେବା ଜାରି ରଖିବାକୁ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ଆହ୍ବାନ କରିଛନ୍ତି। ପନ୍ତଙ୍କ ଉପସ୍ଥିତି ଭାରତୀୟ ଦଳରେ ବାମ-ଡାହାଣ ସନ୍ତୁଳନ ରକ୍ଷାରେ ଅତିରିକ୍ତ ସହଯୋଗ ଦେବ ବୋଲି ଉଭୟ ନେହରା ଓ ବାଙ୍ଗର ମତ ଦେଇଥିଲେ। କ୍ରିକେଟ୍ କନେକଟେଡ୍ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବାଙ୍ଗର କହିଥିଲେ ଯେ ୱିକେଟ୍ ରକ୍ଷଣ କଥା ପଡ଼ିଲେ ପନ୍ତ ଆଗରେ ରହିବେ। ଚଳିତ ବର୍ଷର ଆଇପିଏଲ୍‌ରେ ସେ ଯେଭଳି ଭାବେ ଆରମ୍ଭ କରିଛନ୍ତି, ଭାରତୀୟ ଦଳର ମଧ୍ୟକ୍ରମରେ ତାଙ୍କ ଭଳି ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ରହିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ମୁଁ ଭାବୁଛି। ଏହା ଦଳର ସନ୍ତୁଳନ ରକ୍ଷା କରିବାରେ ଯଥେଷ୍ଟ ସହାୟ ହେବ। ନେହରା କହିଥିଲେ ‘‘ଆପଣ କେଉଁ ଫର୍ମାଟ୍‌ କଥା କହୁଛନ୍ତି, ତା’ ଉପରେ ସବୁକିଛି ନିର୍ଭର କରେ। ଯଦି ଟେଷ୍ଟ୍ କ୍ରିକେଟ୍ କଥା କୁହାଯାଏ ଏବଂ ଆପଣ ଶ୍ରେଷ୍ଠ ୱିକେଟ୍ ରକ୍ଷକ ନେବାକୁ ଚାହୁଁଛନ୍ତି, ତାହାଲେ ଆପଣଙ୍କୁ ଅଧିନାୟକ ଓ ପ୍ରଶିକ୍ଷକଙ୍କ ଭାବନାକୁ ବିଚାରକୁ ନେବାକୁ ହେବ। ଏହି କ୍ଷେତ୍ରରେ ମୁଁ ବାଙ୍ଗରଙ୍କୁ ପୂର୍ଣ୍ଣ ସମର୍ଥନ କରୁଛି। ମୁଁ ଭାବୁଛି ସେମାନେ ପନ୍ତଙ୍କୁ ନେଇ ଆଗକୁ ବଢ଼ିବା ଉଚିତ। ପନ୍ତଙ୍କୁ ସମର୍ଥନ ମିଳୁ। ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବା ସବୁ ଖେଳାଳିଙ୍କୁ କେବେ ନା କେବେ ସମର୍ଥନର ଦାରକାର ପଡ଼ିଥାଏ’’ ବୋଲି ନେହରା କହିଥିଲେ।

ସମ୍ବନ୍ଧିତ ଖବର