ଲାରା, ସଚିନ, ୱାଟସନ୍‌, ଦିଲସାନ୍‌, ଜଣ୍ଟି, ଟେଲର୍‌, ବେଲ୍‌, ହୋସେନ୍‌ ଅଧିନାୟକ

ଭୁବନେଶ୍ବର: ଅବସରପ୍ରାପ୍ତ କ୍ରିକେଟର୍‌ଙ୍କୁ ନେଇ ଆୟୋଜିତ ରୋଡ୍‌ ସେଫଟି ୱାର୍ଲଡ ସିରିଜ୍ (ଆର୍‌ଏସ୍‌ଡବ୍ଲୁଏସ୍)ର ଦ୍ବିତୀୟ ସଂସ୍କରଣ ପାଇଁ ଏବେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ସୋମବାର ଏହାର ଖେଳସୂଚୀ ଓ ଖେଳାଳି ତାଲିକା ପ୍ରକାଶ ପାଇଛି। ‌ସେପ୍ଟେମ୍ବର ୧୦ ତାରିଖରୁ କାନପୁରରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ରେ ସଚିନ ତେନ୍ଦୁଲକରଙ୍କ ଇଣ୍ଡିଆ ଲିଜେଣ୍ଡ୍‌ସ ସହିତ ‌ଖେଳିବ ଜଣ୍ଟି‌ ରୋଡ୍ସଙ୍କ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ। ଗତ ସଂସ୍କରଣରେ ସଚିନଙ୍କ ଦଳ ବିଜେତା ହୋଇଥିଲା। କାନପୁର ଚରଣରେ ୭ ମ୍ୟାଚ୍‌ ଖେଳାଯିବା ପରେ ଇନ୍ଦୋରରେ ୫, ଡେରାଡୁନ୍‌ରେ ୬ ମ୍ୟାଚ୍‌ ଖେଳାଯିବ।

ରାଏପୁରରେ ଅନ୍ତିମ ଦୁଇ ଲିଗ୍ ମ୍ୟାଚ୍‌ ସହିତ ଦୁଇ ସେମିଫାଇନାଲ୍ ଓ ଫାଇନାଲ୍ ଖେଳାଯିବ। ଅକ୍ଟୋବର ପହିଲାରେ ଫାଇନାଲ୍ ମ୍ୟାଚ୍‌ ଦିନ ଧାର୍ଯ୍ୟ ହୋଇଛି। ‌ବ୍ରାଏନ୍ ଲାରା ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡସର ନେତୃ୍ତ୍ବ ନେବାକୁ ଯାଉଥିବା ବେଳେ ତିଲକରତ୍ନେ ଦିଲସାନ୍ (ଶ୍ରୀଲଙ୍କା), ରସ୍ ଟେଲର୍ (ନ୍ୟୁଜିଲାଣ୍ଡ୍), ଇଆନ୍ ବେଲ୍ (ଇଂଲଣ୍ଡ), ସାହାଦାତ ହୋସେନ୍ (ବାଂଲାଦେଶ), ସେନ୍ ୱାଟସନ୍ (ଅଷ୍ଟ୍ରେଲିଆ) ନିଜ ନିଜ ଦେଶ ଲିଜେଣ୍ଡ୍ସ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ବିଜେତା ଭାରତୀୟ ଦଳରେ ରହିଛନ୍ତି ଯୁବରାଜ ସିଂହ, ଇର୍ଫାନ୍ ପଠାନ, ୟୁସୁଫ ପଠାନ୍‌, ମନପ୍ରୀତ୍ ଗୋନି, ନମନ ଓଝା, ରାହୁଲ ଶର୍ମା, ବିନୟ କୁମାର, ମୁନାଫ ପଟେଲ୍‌, ହରଭଜନ ସିଂହ, ପ୍ରଜ୍ଞାନ ଓଝା, ଏସ୍ ବଦ୍ରିନାଥ, ଷ୍ଟୁଆର୍ଟ ବିନ୍ନି, ରାଜେଶ ପାୱାର ଓ ଅଭିମନ୍ୟୁ ମିଥୁନ। ବ୍ରେଟ୍ ଲି, ସ୍କଟ ଷ୍ଟାଇରିସ୍‌, ଚାମିଣ୍ଡା ଭାସ୍‌, ସନଥ ଜୟସୁରିଆ, ଡ୍ବାନ ସ୍ମିଥ ପ୍ରମୁଖ ମଧ୍ୟ ନିଜ ଦେଶ ପାଇଁ ଖେଳିବେ।

ସମ୍ବନ୍ଧିତ ଖବର