ସିଡ୍‌ନି: ଭାରତର କିଂବଦନ୍ତି କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କର ୫୦ ତମ ଜନ୍ମଦିନ ପାଳୁଥିଲା ବେଳେ ନିଜ ଦେଶଠୁ ଦୂର ଅଷ୍ଟ୍ରେଲିଆର ସିଡ୍‌ନି କ୍ରିକେଟ୍‌ ଷ୍ଟାଡିୟମ୍‌ (ଏସ୍‌ସିଜି) ତାଙ୍କୁ ଅମର କରିଦେଇଛି। ସଚିନଙ୍କ ପସନ୍ଦିତା ପଡ଼ିଆ ଭିତରେ ଅନ୍ୟତମ ସିଡ୍‌ନିରେ ପ୍ରଥମ ଥର ପାଇଁ ଅଣ ଅଷ୍ଟ୍ରେଲିୟ କ୍ରିକେଟର୍‌ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି। ପଡ଼ିଆ ଭିତରକୁ ଯିବା ପାଇଁ ଥିବା ଗେଟ୍‌କୁ ସଚିନଙ୍କ ସହ ୱେଷ୍ଟଇଣ୍ଡିଜ୍‌ କିଂବଦନ୍ତି ବ୍ରାଏନ୍‌ ଲାରାଙ୍କ ନାମରେ ନାମିତ କରାଯାଇଛି। ଏହି ଗେଟ୍‌ ଡ୍ରେସିଂରୁମ୍‌ ପାଖକୁ ଥିବା ମେମ୍ବର୍ସ ପାଭିଲିଅନ୍‌ ଓ ବ୍ରାଡମ୍ୟାନ୍‌ ମେସେଞ୍ଜର ଷ୍ଟାଣ୍ଟ ମଧ୍ୟବର୍ତ୍ତୀ ସ୍ଥାନରେ ରହିଛି। ପାକିସ୍ତାନ କ୍ରିକେଟ୍‌ ଦଳ ଆସନ୍ତା ବର୍ଷ ପ୍ରଥମ ଦଳ ଭାବେ ଏହି ଗେଟ୍‌ ଦେଇ ପଡ଼ିଆକୁ ପ୍ରବେଶ କରିବା ସମ୍ଭାବନା ରହିଛି। ତେବେ ଭାରତୀୟ ଦଳକୁ ଏଥିପାଇଁ ଆହୁରି ବର୍ଷେ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି କୁହାଯାଇଛି।

Advertisment

ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ଏହି ପଡ଼ିଆ ଭିତରକୁ ଡନ୍‌ ବ୍ରାଡମ୍ୟାନ୍‌ ଗେଟ୍‌ ଦେଇ ପଡ଼ିଆକୁ ପ୍ରବେଶ କରିଆସୁଥିଲେ। ଏହାବାଦ୍‌ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆର୍ଥର ମୋରିସ୍‌ ଓ ଆଲାନ୍‌ ଡେଭିଡ୍‌ସନ୍‌ଙ୍କ ନାମରେ ପୂର୍ବରୁ ଏସ୍‌ସିଜିରେ ଗେଟ୍‌ ରହିଛି। ତେବେ ଲାରା-ତେନ୍ଦୁଲକର ଗେଟ୍‌କୁ ୨୦୧୯-୨୦ ଋତୁରୁ ‌ଅନାବରଣ କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଥିଲେ। ଏହି ବର୍ଷ ଉଭୟ କିଂବଦନ୍ତି କ୍ରିକେଟର୍‌ ଅଷ୍ଟ୍ରେଲିଆରେ ଉପସ୍ଥିତ ଥିଲେ। କିନ୍ତୁ ସଚିନଙ୍କ ମାଇଲ୍‌ଖୁଣ୍ଟ ଜନ୍ମଦିନ ଆସୁଥିବାରୁ ଏହି ଯୋଜନାକୁ ଚଳିତ ବର୍ଷକୁ ଘୁଞ୍ଚାଇ ଦିଆଯାଇଥିଲା।

ଭାରତ ମଧ୍ୟରେ ୱାଙ୍ଖଡେ ଷ୍ଟାଡିୟମ୍‌ରେ ସଚିନଙ୍କ ନାମରେ ଏକ ଗ୍ୟାଲେରି ନାମିତ ହୋଇଥିଲା ବେଳେ ପ୍ରଥମ ଥର ପାଇଁ ବିଦେଶରେ ମଧ୍ୟ ତାଙ୍କ ନାମରେ ସ୍ମାରକୀ କରାଯାଇଛି। ସିଡ୍‌ନିରେ ସଚିନ ୫ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା ବେଳେ ୧୫୭.୦୦ ହାରରେ ୭୮୫ ରନ୍‌କରିଥିଲେ। ସେ ମାରିଥିବା ୩ ଶତକ ମଧ୍ୟରୁ ଥରେ ୨୪୧ ରନ୍‌ କରି ଅପରାଜିତ ଥିଲେ। ସେହିପରି ଲାରା ଏଠାରେ ୪ ମ୍ୟାଚ୍‌ ଖେଳିଥିଲା ବେଳେ ୫୪.୮୪ ହାରରେ ୩୮୪ ରନ୍‌ କରିଛନ୍ତି। ତାଙ୍କର ପ୍ରଥମ ଟେଷ୍ଟ ଶତକ ଏହି ପଡ଼ିଆରେ ମାରିଥିଲା ବେଳେ ୨୭୭ ରନ୍‌ କରି ଆଉଟ୍‌ ହୋଇଥିଲେ। ସିଡ୍‌ନି ପକ୍ଷରୁ ଉଭୟ କ୍ରିକେଟର୍‌ଙ୍କ ନାମରେ ଗେଟ୍‌ କରାଯିବା ପରେ ସଚିନ ଓ ଲାରା ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।