ଶେଷ ବଲ୍‌ ଛକାରେ ଭାରତ ବିଜେତା

କଲମ୍ବୋରେ କାର୍ତିକ କମାଲ୍‌, ବାଂଲାଦେଶ ୪ ଓ୍ଵିକେଟ୍‌ରେ ହାରିଲା

କଲମ୍ବୋ: ଅବିଶ୍ୱସନୀୟ, ଅବର୍ଣ୍ଣନୀୟ ଏବଂ ଅସାଧାରଣ। ରବିବାର ରାତିରେ ଭାରତୀୟ ଓ୍ଵିକେଟ୍‌ ରକ୍ଷକ ଦୀନେଶ କାର୍ତିକ (୨୯* ରନ୍‌, ୮ ବଲ୍‌, ୨ ଚୌକା, ୩ ଛକା)ଙ୍କ ବ୍ୟାଟିଂ ଥିଲା ଏମିତି। ସଙ୍କଟଜନକ ସ୍ଥିତିରେ ତାଙ୍କ ଶେଷ ବଲ୍‌ ଛକାରେ ହିଁ ଭାରତ ନିଦାହାସ ଟ୍ରଫି ଜିତିନେଲା। ଅନ୍ତିମ ବଲ୍‌ ସୁଦ୍ଧା ମ୍ୟାଚ୍‌ ବାଂଲାଦେଶ କବ୍‌ଜାରେ ଥିଲା ବେଳେ କାର୍ତିକଙ୍କ ସାହସିକ ବ୍ୟାଟିଂ ଭାରତକୁ ଜବରଦସ୍ତ ବିଜୟ ଦେଲା। ନିର୍ଣ୍ଣାୟକ ମୋଡ଼ରେ ଯୁବ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଚମକହୀନ ବ୍ୟାଟିଂ ଭାରତୀୟ ପ୍ରଶଂସକଙ୍କୁ ଚକିତ କଲା। ମ୍ୟାଚ୍‌ ହାତରୁ ଖସି ଯାଉଥିଲା ବେଳେ କାର୍ତିକଙ୍କ କମାଲ ହିଁ ଭାରତକୁ ଟ୍ରଫି ତୋଳି ଧରିବାର ସୁଯୋଗ ଦେଲା। ୧୬୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତକୁ ଶେଷ ବଲ୍‌ରୁ ୫ ରନ୍‌ ଦରକାର ଥିଲା। ହେଲେ କାର୍ତିକ ଛକା ମାରି କେବଳ ବାଂଲଦେଶ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ଆଣି ନଥିଲେ ଏହି ଦଳ ବିପକ୍ଷରେ ଭାରତର ଅପରାଜେୟ ଟେ୍ଵଣ୍ଟି-୨୦ ଧାରାକୁ ମଧ୍ୟ ଅତୁଟ ରଖିଥିଲେ। ବାମହାତୀ ସୁରେଶ ରାଇନା (୦) ଓ ଶିଖର ଧାଓ୍ଵନ (୧୦)ଙ୍କ ବିଫଳତା ପରେ ଅଧିନାୟକ ରୋହିତ ଶର୍ମା (୫୬ ରନ୍‌, ୪୨ ବଲ୍‌, ୪ ଚୌକା, ୩ ଛକା)ଙ୍କ ଅର୍ଧଶତକ ପାଇଁ ଭାରତ ସହଜ ବିଜୟ ପାଇବ ବୋଲି ଆଶା ଥିଲା। ହେଲେ ବାଂଲାଦେଶ ୦ବୋଲର ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ନେଇ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲା। ଲୋକେଶ ରାହୁଲ (୨୪) ଓ ମନୀଷ ପାଣ୍ଡେ (୨୮) ଠିକଣା ସମୟରେ ନିଜ ନିଜ ଓ୍ଵିକେଟ୍‌ ଫିଙ୍ଗି ଦେବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ହେଲେ ଶେଷରେ କାର୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଭାରତ ୬ ଓ୍ଵିକେଟ୍‌ ବିନିମୟରେ ୧୬୮ ରନ୍‌ କରି ଟ୍ରଫି ଜିତିବାର ସୁଖଦ ଅନୁଭୂତି ପାଇଥିଲା। ବାଂଲାଦେଶ ବିପକ୍ଷରେ ମଧ୍ୟ ଭାରତ ଲଗାତାର ଅଷ୍ଟମ ବିଜୟ ହାସଲ କରିଥିଲା। ଏହି ବିଜୟର ନାୟକ କାର୍ତିକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେପଟେ ସ୍ପିନର ଓ୍ଵାସିଂଟନ ସୁନ୍ଦର ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ଘଟଣା ବହୁଳ ଶେଷ ୩ ଓଭର
ଭାରତ ପାଳିର ଶେଷ ୩ ଓଭର ବେଶ୍‌ ଘଟଣା ବହୁଳ ଥିଲା। ମୁସ୍ତାଫିଜୁର ରେହମାନଙ୍କ ଅଷ୍ଟାଦଶ ଓଭରର ପ୍ରଥମ ୪ ବଲ୍‌ରେ ଅନଭିଜ୍ଞ ବିଜୟ ଶଙ୍କର କୌଣସି ରନ୍‌ କରି ପାରି ନଥିଲେ। ପଞ୍ଚମ ବଲ୍‌ରେ ହିଁ ସେ ଗୋଟିଏ ରନ୍‌ କରିିଥିଲେ। ରନ୍‌ ହାର ବଢ଼ି ଚାଲିଥିବାରୁ ଭଲ ଖେଳୁଥିବା ମନୀଷ ପାଣ୍ଡେ ଶେଷରେ ବଡ଼ ସଟ୍‌ ଖେଳିବା ଲୋଭରେ ନିଜ ଓ୍ଵିକେଟ୍‌ ହରାଇଥିଲେ। ଭାରତ ଏହି ଓଭରରୁ ମାତ୍ର ୧ ରନ୍‌ ପାଇ ଗୋଟିଏ ଓ୍ଵିକେଟ୍‌ ହରାଇଥିଲା। ତେବେ କାର୍ତ୍ତିକ ତା’ ପରେ କ୍ରିଜକୁ ଆସି ଧମାକାଦାର ବ୍ୟାଟିଂ କରିଥିଲେ। ରୁବେଲ ହୁସେନଙ୍କ ଊନ୍ନବିଂଶ ଓଭରରେ ଦୁଇଟି ଛକା ଏବଂ ଦୁଇଟି ଚୌକା ସହ ୨୨ ରନ୍‌ ସଂଗ୍ରହ କରି ସେ ଭାରତକୁ ପୁନର୍ବାର ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଫଳରେ ବିଜୟ ପାଇଁ ଭାରତକୁ ଶେଷ ଓଭରରୁ ୧୨ ରନ୍‌ର ଦରକାର ଥିଲା। ହେଲେ ଦୁର୍ଭାଗ୍ୟଜନକ ଭାବେ ବିଜୟ ପୁଣି ଭାରତକୁ ବିପଦ ମଧ୍ୟକୁୁ ଠେଲି ଦେଇଥିଲେ। ସୌମ୍ୟ ସରକାରଙ୍କ ଶେଷ ଓଭରର ପ୍ରଥମ ବଲ୍‌ ଓ୍ଵାଇଡ୍‌ ହେବା ପରେ ପ୍ରଥମ ବୈଧ ବଲ୍‌ରେ ମଧ୍ୟ କୌଣସି ରନ୍‌ କରି ପାରି ନଥିଲେ। ଶେଷରେ ଦ୍ୱିତୀୟ ବଲ୍‌ରେ ଏକ ରନ୍‌ ନେଇ ନନ୍‌ଷ୍ଟ୍ରାଇକର ପଟକୁ ଯାଇଥିଲେ। ପରବର୍ତୀ ବଲ୍‌ରେ କାର୍ତିକ ୧ ରନ୍‌ ନେଇ ପୁଣି ଥରେ ତାଙ୍କୁ ଷ୍ଟ୍ରାଇକ୍‌ ଦେଇଥିଲେ। ଚତୁର୍ଥ ବଲ୍‌କୁ ଚୌକା ମାରି ସେ ଅବଶ୍ୟ ଭାରତକୁ ଆଶା ଦେଇଥିଲେ। ହେଲେ ପଞ୍ଚମ ବଲ୍‌ରେ କ୍ୟାଚ୍‌ ଦେଇ ପାଭିଲିୟନ ଫେରି ଯାଇଥିଲେ। ଫଳରେ ଶେଷ ବଲ୍‌ରେ ବିଜୟ ପାଇଁ ଭାରତ ଆଉ ୫ ରନ୍‌ର ଦରକାର କରୁଥିଲା। ତେବେ ପୁଣି ଥରେ ଷ୍ଟ୍ରାଇକର ପଟକୁ ଯାଇଥିବା ଦୀନେଶ କାର୍ତିକ ଶେଷ ବଲ୍‌କୁ ଅଫ୍‌ ସାଉଡ୍‌ରେ ଓ କ୍ଷେତ୍ରରକ୍ଷକଙ୍କ ମୁଣ୍ଡ ଉପରେ ସୀମାରେଖା ବାହାରକୁ ପଠାଇ ଭାରତକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ। ଏହା ସମ୍ଭବତଃ ତାଙ୍କ ଖେଳ ଜୀବନର ସବୁଠାରୁ ରୋମାଞ୍ଚକର ତଥା ସ୍ମରଣୀୟ ପାଳି ଥିଲା। ଉଲ୍ଲସିତ ଭାରତୀୟ ଖେଳାଳିମାନେ ପଡ଼ିଆ ଭିତରକୁ ଦୌଡ଼ି ତାଙ୍କୁ କୁଣ୍ଢେଇ ଧରିବା ସହ ପୂରା ଷ୍ଟାଡିୟମ୍‌ ତିରଙ୍ଗା ମୟ ହୋଇ ଯାଇଥିଲା।

ସବିରଙ୍କ ଅର୍ଧଶତକ ବେକାର
ପ୍ରତିଯୋଗିତାର ଗତ ୬ରୁ ୫ ମ୍ୟାଚ୍‌ରେ ପଛରେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଥିଲେ। ସେଥିପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା ରବିବାର ଟସ୍‌ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତୀୟ ସ୍ପିନରମାନେ ପାଓ୍ଵାର ପ୍ଲେ’ର ୬ ଓଭର ଭିତରେ ବାଂଲାଦେଶର ପ୍ରାରମ୍ଭିକ ଯୋଡ଼ି ତମିମ ଇକବାଲ (୧୫) ଓ ଲିଟନ ଦାସ (୧୧)ଙ୍କ ସହ ସୌମ୍ୟ ସରକାର (୧)ଙ୍କୁ ଆଉଟ୍‌ କରି ତାଙ୍କ ନିଷ୍ପତ୍ତିର ପୂରା ସମ୍ମାନ ରଖିଥିଲେ। ସେହିଭଳି ବିପଜ୍ଜନକ ମୁସଫିକର ରହିମ (୯) ମଧ୍ୟ ବେଶୀ ସମୟ କ୍ରିଜ୍‌ରେ ରହି ପାରି ନଥିଲେ। ତଥାପି ସବିର ରେହମାନ (୭୭ ରନ୍‌, ୫୦ ବଲ୍‌, ୭ ଚୌକା, ୪ ଛକା)ଙ୍କ ଦ୍ରୁତ ଅର୍ଧଶତକ ବଳରେ ବାଂଲାଦେଶ ନିର୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୬୬ ରନ୍‌ର ଆହ୍ଵାନପୂର୍ଣ୍ଣ ସ୍କୋର କରି ନେଇଥିଲା। ଊନ୍ନବିଂଶ ଓଭରରେ ଜୟଦେବ ଉନାଦକଟ ମାତ୍ର ୩ ରନ୍‌ ଦେଇ ୨ ଓ୍ଵିକେଟ୍‌ ନେବା ସତ୍ତ୍ୱେ ବାଂଲାଦେଶ ଆଜି ସାର୍ଦୁଲ ଠାକୁରଙ୍କ ଶେଷ ଓଭରରୁ ୧୮ ରନ୍‌ ନେଇ ଦେଢ଼ ଶହ ଟପି ଯାଇଥିଲା। ଶେଷ ଆଡ଼କୁ ମେହଦି ହାସନ ମିରାଜ୍‌ ହିଁ ବାଂଲା ଆକ୍ରମଣର ନେତୃତ୍ୱ ନେଇଥିଲେ। ବାଂଲାଦେଶ ନିୟମିତ ଓ୍ଵିକେଟ୍‌ ହରାଇ ଦେଢ଼ଶହ ତଳେ ଅଟକି ଯିବାର ଆଶଙ୍କା ଦେଖା ଦେଇଥିଲା ବେଳେ ମାତ୍ର ୭ ବଲ୍‌ରୁ ୨ ଚୌକା ଏବଂ ଗୋଟିଏ ଛକା ବଳରେ ୧୯* ରନ୍‌ କରି ସେ ଭାରତ ଆଗରେ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରି ଦେଇଥିଲେ। ଉନାଦକଟଙ୍କ ଇନ ସୁଇଂରେ ବୋଲ୍ଡ ହେବା ପୂର୍ବରୁ ରେହମାନ ୩୭ ବଲ୍‌ରୁ ୫ ଚୌକା ଏବଂ ୨ ଛକା ବଳରେ ଅର୍ଧଶତକ ପୂରଣ କରି ନେଇଥିଲେ। ଟେ୍ଵଣ୍ଟି-୨୦ରେ ଏହା ତାଙ୍କର ଚତୁର୍ଥ ଅର୍ଧଶତକ ଥିଲା। ଆଶାଜନକ ଭାବେ ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ (୪-୦-୧୮-୩) ଭାରତର ସଫଳତମ ବୋଲର ଥିଲେ।

ସମ୍ବନ୍ଧିତ ଖବର