ନୂଆଦିଲ୍ଲୀ: ବିଶ୍ବରେ ଏବେ ଟ୍ବେଣ୍ଟି-୨୦ କ୍ରିକେଟ୍ର ବହୁଳ ଆୟୋଜନ ହେବାରେ ଲାଗିଛି। ଭାରତ ପାଖରେ ସବୁଠୁ ଧନୀ ଓ ଲୋକପ୍ରିୟ କ୍ରିକେଟ୍ ଲିଗ୍ ଆଇପିଏଲ୍ ରହିଛି। ପ୍ରତ୍ୟେକ ବର୍ଷ କିଛି ନୂଆ ଖେଳାଳି ଆସୁଥିଲା ବେଳେ ନୂଆ ତାରକା ସୃଷ୍ଟି ହେଉଛନ୍ତି। ଏତେସବୁ ପ୍ରଚେଷ୍ଟା ସତ୍ତ୍ବେ ଭାରତୀୟ କ୍ରିକେଟ୍ ଦଳ ୨୦୦୭ ଉଦ୍ଘାଟନୀ ସଂସ୍କରଣକୁ ଛାଡ଼ିଦେଲେ, ଏହାପରଠୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ହାସଲ କରିପାରି ନାହିଁ। ୨୦୦୭ ସଂସ୍କରଣ ପରେ ଭାରତ ୨୦୧୪ରେ ଦ୍ବିତୀୟ ଥର ପାଇଁ ଫାଇନାଲ୍ରେ ପହଞ୍ଚିଥିଲା। କିନ୍ତୁ ଶ୍ରୀଲଙ୍କାଠାରୁ ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଭାରତର ଏହି ଟ୍ରଫି ମରୁଡ଼ିକୁ ଏଡ଼ାଇବା ପାଇଁ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ଏଥର ଆମେରିକା ଓ ୱେଷ୍ଟଇଣ୍ଡିଜ୍ରେ ଖେଳାଯିବାକୁ ଥିବା ବିଶ୍ବକପ୍ରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି।
କେବଳ ଟ୍ବେଣ୍ଟି-୨୦ ନୁହେଁ, ୨୦୧୧ରେ ଦିନିକିଆ ବିଶ୍ବକପ୍ ଓ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିଜେତା ହେବା ପରଠୁ ଦ୍ବିତୀୟ ଥର ଆଇସିସିର କୌଣସି ଟ୍ରଫି ଧରିପାରିନାହିଁ। ଗତବର୍ଷ ଦିନିକିଆ ବିଶ୍ବକପ୍ରେ ଭାରତ ଫାଇନାଲ୍ରେ ପହଞ୍ଚିଥିଲେ ମଧ୍ୟ ଅଷ୍ଟ୍ରେଲିଆଠୁ ପରାଜିତ ହୋଇଥିଲା। ଦୁଇ ଦୁଇଥର ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍କୁ ଭାରତ ଯାଇଥିଲେ ମଧ୍ୟ ଯଥାକ୍ରମେ ନ୍ୟୁଜିଲାଣ୍ଡଠୁ ଓ ଅଷ୍ଟ୍ରେଲିଆଠୁ ଦଳ ପରାସ୍ତ ହୋଇଥିଲା। ଏବେ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ସମ୍ଭବତଃ ଶେଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାକୁ ଯାଉଥିବାରୁ ଭାରତକୁ ବିଜେତା କରାଇବା ପାଇଁ ଆପ୍ରାଣ ଉଦ୍ୟମ କରିବେ। ରୋହିତ ସମସ୍ତ ବିଶ୍ବକପ୍ ସଂସ୍କରଣରେ ଖେଳିଥିଲା ବେଳେ କୋହଲି ଷଷ୍ଠ ଥର ପାଇଁ ଟ୍ରଫି ଜିତିବାକୁ ଚେଷ୍ଟା କରିବେ। ଟ୍ବେଣ୍ଟି-୨୦ ବିଶ୍ବକପ୍ରେ କୋହଲି ଖେଳିଥିବା ୨୭ ମ୍ୟାଚ୍ରୁ ୧୧୪୧ ରନ୍ ସଂଗ୍ରହ କରିଥିଲା ବେଳେ ରୋହିତ ୩୯ ମ୍ୟାଚ୍ରୁ ୯୬୩ ରନ୍ କରିଛନ୍ତି। ୨୦୨୨ ବିଶ୍ବକପ୍ ସେମିଫାଇନାଲ୍ରେ ଭାରତ ପରାଜିତ ହେବା ପରଠୁ ରୋହିତ ଓ କୋହଲି ଦେଶ ପାଇଁ ଗୋଟିଏ ହେଲେ ଟ୍ବେଣ୍ଟି-୨୦ ଖେଳି ନାହାନ୍ତି।
ଆଇପିଏଲ୍ରେ କୋହଲି ଆର୍ସିବି ପାଇଁ ପ୍ରାରମ୍ଭିକ ବ୍ୟାଟର୍ ଭାବେ ଖେଳିଥିଲେ ଓ ନାରଙ୍ଗୀ ଟୋପି ମଧ୍ୟ ହାସଲ କରିଛନ୍ତି। ତେଣୁ ବିଶ୍ବକପ୍ରେ ଯଶସ୍ବୀ ଜୟସ୍ବାଲ୍ଙ୍କ ସ୍ଥାନରେ ରୋହିତଙ୍କ ସହ ଯଦି କୋହଲି ବ୍ୟାଟିଂ ଆରମ୍ଭ କରିବାକୁ ଆସନ୍ତି, ତାହେଲେ ମଧ୍ୟକ୍ରମରେ ବାମହାତୀ ବ୍ୟାଟର୍ ଅଲ୍ରାଉଣ୍ଡର୍ ଶିବମ୍ ଦୁବେଙ୍କ ପାଇଁ ପଥ ପରିଷ୍କାର ହୋଇଯିବ। ଅନ୍ୟପକ୍ଷରେ ଯଶପ୍ରୀତ୍ ବୁମ୍ରାଙ୍କ ନେତୃତ୍ବାଧୀନ ସ୍ପିନ୍ ବିଭାଗରେ ଅକ୍ଷର ପଟେଲ୍, ରବୀନ୍ଦ୍ର ଜାଡ଼େଜା, ୟୁଝବେନ୍ଦ୍ର ଚହଲ ଓ କୁଲଦୀପ ୟାଦବ ଏବଂ ଦ୍ରୁତ ବୋଲିଂରେ ମହମ୍ମଦ ସିରାଜ ପ୍ରତିପକ୍ଷ ବ୍ୟାଟର୍ଙ୍କୁ ଧରାଶାୟୀ କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ଜୁନ୍ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବେ। ୯ ତାରିଖରେ ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଓ ୧୨ ତାରିଖରେ ଆମେରିକା ଓ ୧୫ ତାରିଖରେ କାନାଡା ବିପକ୍ଷରେ ଭାରତ ଲିଗ୍ ପର୍ଯ୍ୟାୟ ଖେଳିବ।
ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ସାରା ବିଶ୍ବର ନଜର ରହିଛି ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ। ଜୁନ୍ ୯ ତାରିଖରେ ଏହି ମ୍ୟାଚ୍ ନ୍ୟୁୟର୍କରେ ଖେଳାଯିବ। ଏପରିକି ଏହି ମ୍ୟାଚ୍ ବିଶ୍ବକପ୍ର ସବୁଠୁ ଚର୍ଚ୍ଚିତ ମ୍ୟାଚ୍ ହେବାକୁ ଯାଉଛି। କିନ୍ତୁ ଟିକେଟ ଦରକୁ ନେଇ ଏବେ ନୂଆ ବିବାଦ ମୁଣ୍ଡ ଟେକିଲାଣି। ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଡାଏମଣ୍ଡ କ୍ଲବ୍ ସେକ୍ସନ୍ର ଗୋଟିଏ ସିଟ୍ର ମୂଲ୍ୟ ୨୦ ହଜାର ଡଲାର (ପ୍ରାୟ ୧୬ ଲକ୍ଷ ୬୫ ହଜାର ଟଙ୍କା) ରହିଛି। ଯେଉଁଥିପାଇଁ ଆଇପିଏଲ୍ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ଖେଳର ପ୍ରଚାର ଅପେକ୍ଷା ଲାଭକୁ ଅଧିକ ଗୁରୁତ୍ବ ଦେଉଥିବାରୁ ଆଇସିସିକୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଶ୍ବକପ୍ ଆମେରିକାକୁ ସଂପ୍ରସାରିତ ହେବା ଦ୍ବାରା ସେଠାରେ ପ୍ରଶଂସକଙ୍କୁ ଯୋଡ଼ି ରଖିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏତେ ମୂଲ୍ୟର ଟିକେଟ୍ ବିକ୍ରି କରିବା ଅର୍ଥ ଏହା କ୍ରିକେଟ୍ ପାଇଁ ନୁହେଁ ବୋଲି ମୋଦୀ କହିଛନ୍ତି। କିନ୍ତୁ ଆଇସିସି ସୂଚନା ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଟିକେଟ ମୂଲ୍ୟ ୩୦୦ ଡଲାର (ପ୍ରାୟ ୨୫ହଜାର ଟଙ୍କା)ରୁ ୧୦ହଜାର ଡଲାର (ପ୍ରାୟ ୮ଲକ୍ଷ ୩୨ହଜାର ଟଙ୍କା) ମଧ୍ୟରେ ରହିଛି। ସର୍ବନିମ୍ନ ଟିକେଟ୍ଗୁଡ଼ିକ ବିକ୍ରି ହୋଇଯାଇଥିଲା ବେଳେ ଦାମୀ ଟିକେଟ୍ରୁ କିଛି ବିକ୍ରି ପାଇଁ ଉପଲବ୍ଧ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/t20-world-cup.jpg)