ହାଇଦ୍ରାବାଦ: ଅଷ୍ଟ୍ରେଲିଆରେ ଐତିହାସିକ ଶୃଙ୍ଖଳା (ଦିନିକିଆ, ଟେଷ୍ଟ) ବିଜୟ ପରେ ଘରୋଇ ପରିବେଶରେ ଭାରତୀୟ କ୍ରିକେଟ୍ ଦଳ ଲଗାତାର ଦୁଇଟି ପରାଜୟ ବରଣ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଅପ୍ରତ୍ୟାଶିତ ଭାବେ ୦-୨ରେ ହାରିଯାଇଛି। ଟ୍ବେଣ୍ଟି-୨୦ରେ କରିଥିବା ଭୁଲକୁ ସୁଧାରିବା ଲାଗି ଅବଶ୍ୟ ଭାରତ ପାଖରେ ଏବେ ଏକ ଭଲ ସୁଯୋଗ ପହଞ୍ଚିଛି। ଭାରତ-ଅଷ୍ଟ୍ରେଲିଆ ପାଞ୍ଚ ଟିକିଆ ଦିନିକିଆ ଶୃଙ୍ଖଳା ଶନିବାରଠାରୁ ଆରମ୍ଭ ହେଉଛି। ପ୍ରଥମ ମୁକାବିଲା ହାଇଦ୍ରାବାଦର ଉପଲ ଷ୍ଟାଡିୟମରେ ଖେଳାଯିବ। ବିଶ୍ବକପ୍ ପୂର୍ବରୁ ଶେଷ ଶୃଙ୍ଖଳା ହୋଇଥିବାରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏହାର ମହତ୍ବ ବଢ଼ିଯାଇଛି। ସେଥିପାଇଁ ବିଶ୍ବକପ୍ ପୂର୍ବରୁ ଦଳୀୟ ସନ୍ତୁଳନ ସଜାଡ଼ିବା ଲାଗି ଭାରତ ପାଇଁ ଏହା ଶେଷ ସୁଯୋଗ ହୋଇଛି। ଏହା ପରେ ଅବଶ୍ୟ ଅଧିକାଂଶ ଭାରତୀୟ ଖେଳାଳି ଆଇପିଏଲ୍ରେ ଦେଖାଯିବେ। ତେବେ ଏହି ଶୃଙ୍ଖଳା ପରେ ଆଉ ଅନ୍ତର୍ଜାତୀୟ ମ୍ୟାଚ୍ ଅଭିଜ୍ଞତା କରିବାର ସୁଯୋଗ ପାଇବେ ନାହିଁ। ଏହି ଶୃଙ୍ଖଳା ମଧ୍ୟ ଲୋକେଶ ରାହୁଲ, ଋଷଭ ପନ୍ତ୍ ଓ ବିଜୟ ଶଙ୍କରଙ୍କ ଭଳି ଖେଳାଳିଙ୍କ ପାଇଁ ନିଜ ନିଜର ବିଶ୍ବକପ୍ ଦାବିଦାରି ଉପସ୍ଥାପନା କରିବା ଲାଗି ଶେଷ ସୁଯୋଗ ହେବ। ଅଷ୍ଟ୍ରେଲିଆ କିନ୍ତୁ ଭାରତ ବିପକ୍ଷ ଶୃଙ୍ଖଳା ପରେ ୟୁଏଇରେ ପାକିସ୍ତାନ ବିପକ୍ଷରେ ଆଉ ଏକ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଟ୍ବେଣ୍ଟି-୨୦ରେ ଭାରତକୁ ଭାରତ ମାଟିରେ ହରାଇଥିବାରୁ କଙ୍ଗାରୁ ଖେଳାଳିଙ୍କ ମନୋବଳ ମଧ୍ୟ ଢେର ଉଚ୍ଚରେ ଥିବ। ଅଷ୍ଟ୍ରେଲିଆର ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟର ମୁଖ୍ୟ ନାୟକ ଗ୍ଲେନ୍ ମ୍ୟାକ୍ସୱେଲ୍ ଦିନିକିଆ ଶୃଙ୍ଖଳାରେ ମଧ୍ୟ ନିଶ୍ଚିତ ଭାବେ ଭାରତୀୟ ବୋଲରଙ୍କ ମୁଣ୍ଡବ୍ୟଥାର କାରଣ ହେବେ।
ବଦଳିବ ଦଳ
ଦିନିକିଆ ଶୃଙ୍ଖଳାରେ ଭାରତ ନୂଆ ଯୋଜନା ଏବଂ ନୂତନ ଉତ୍ସାହ ନେଇ ପଡ଼ିଆକୁ ଓହ୍ଲାଇବ। ସେହିଭଳି ଭାରତୀୟ ଚୂଡ଼ାନ୍ତ ଦଳରେ ମଧ୍ୟ କେତେକ ପରିବର୍ତନ ହେବ। ଦୁଇ କଚଟି ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଦଳରେ ରହିବେ। ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ବିଜୟ ଶଙ୍କର ଅଲରାଉଣ୍ଡର ସ୍ଥାନ ପୂରଣ କରିବେ। ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭଲ ଖେଳିଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କୁ ବିଶ୍ବକପ୍ ପୂର୍ବରୁ ଆଉ ଏକ ସୁଯୋଗ ଦେବାକୁ ଦଳୀୟ ଅଧିକାରୀମାନେ ଚିନ୍ତାକଲେ ଅମ୍ବାତି ରାୟୁଡୁଙ୍କୁ ଶନିବାର ବେଞ୍ଚରେ ବସିବାକୁ ହେବ। ସେପଟେ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପିଟର ହ୍ୟାଣ୍ଡ୍ସକମ୍ବ ୱିକେଟ୍ ରକ୍ଷଣ ଦାୟିତ୍ବ ତୁଲାଇଥିଲେ ମଧ୍ୟ ଦିନିକିଆରେ ଆଲେକ୍ସ କ୍ୟାରି ତାଙ୍କ ସ୍ଥାନ ନେବେ ବୋଲି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ କହିଛନ୍ତି।
ସମ୍ଭାବ୍ୟ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ/ଅମ୍ବାତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ବିଜୟ ଶଙ୍କର, କୁଲଦୀପ ଯାଦବ, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ, ଯଶ୍ପ୍ରୀତ ବୁମରା।
ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ୍ (ଅଧିନାୟକ), ଉସ୍ମାନ ଖୱାଜା, ପିଟର ହ୍ୟାଣ୍ଡ୍ସକମ୍ବ, ମାର୍କସ ଷ୍ଟୋଇନିସ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ଆଲେକ୍ସ କ୍ୟାରି, ଆଷ୍ଟନ୍ ଟର୍ନର, ଆଲେକ୍ସ ହାଲେସ୍, ଆଦାମ ଜାମ୍ପା, ପ୍ୟାଟ୍ କମିନ୍ସ, ଜାସନ ବେହେରନଡ୍ରଫ୍, ଝେ ରିଚାର୍ଡସନ୍।
ବ୍ୟାଟିଂ ପିଚ୍
ହାଇଦ୍ରାବାଦର ଉପଲଠାରେ ଥିବା ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ପିଚ୍ ପାରମ୍ପରିକ ଭାବେ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ। ଏଠାରେ ପ୍ରଥମ ପାଳିରେ ହାରାହାରି ୨୮୬ ରନ୍ ହୋଇଥାଏ। ଶନିବାର ପାଗ ମୁଖ୍ୟତଃ ଶୁଖିଲା ରହିବ। ୩୦ ଡିଗ୍ରି ତାପମାତ୍ରା ସହ ବର୍ଷା ହେବାର ସମ୍ଭାବନା ପ୍ରାୟ ନାହିଁ। ଅଷ୍ଟ୍ରେଲିଆ ଏଠାରେ ୨୦୦୭ ଓ ୨୦୦୯ରେ ଦୁଇଟି ଦିନିକିଆ ଖେଳି ଦୁଇଟି ଯାକରେ ବିଜୟୀ ହୋଇଛି।
ରୋହିତଙ୍କ ପାଇଁ ମାଇଲଖୁଣ୍ଟ ସୁଯୋଗ
ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ଭାରତୀୟ କ୍ରିକେଟ୍ ଦଳର ଦୁଇ ତାରକା ରବୀନ୍ଦ୍ର ଜାଦେଜା ଏବଂ ରୋହିତ ଶର୍ମାଙ୍କ ପାଇଁ ମାଇଲଖୁଣ୍ଟ ଛୁଇଁବାର ସୁଯୋଗ ରହିବ। ରୋହିତ ସଂପ୍ରତି ଦିନିକିଆର ୧୯୫ ପାଳିରୁ ୪୭.୬୦ ହାରରେ ୭୮୦୮ ରନ୍ କରିଛନ୍ତି। ଆଉ ୧୯୨ ରନ୍ କଲେ ସେ ଦିନିକିଆରେ ୮,୦୦୦ ରନ୍ ପୂରଣ କରିବେ। ଯାହା କଷ୍ଟକର ମନେ ହେଉଥିଲେ ମଧ୍ୟ ଅସମ୍ଭବ ନୁହେଁ। ସେପଟେ ଦିନିକିଆ ଶୃଙ୍ଖଳା ପାଇଁ ସ୍ବତନ୍ତ୍ର ଡାକରା ପାଇଥିବା ରବୀନ୍ଦ୍ର ଜାଦେଜା ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଲେ ଦିନିକିଆରେ ୨,୦୦୦ ରନ୍ ସହ ୧୦୦ ୱିକେଟ୍ ପୂରଣ କରିପାରିବେ। ସଂପ୍ରତି ସେ ଏହାଠାରୁ ମାତ୍ର ୧୦ ରନ୍ ଦୂରରେ ଅଛନ୍ତି। ଏଭଳି କରିବାରେ ସେ କପିଳ ଦେବ, ରବି ଶାସ୍ତ୍ରୀ, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଯୁବରାଜ ସିଂହଙ୍କ ପରେ ଷଷ୍ଠ ଭାରତୀୟ ହେବେ।
ମୋହାଲି, ଦିଲ୍ଲୀ ଦିନିକିଆ ସ୍ଥାନାନ୍ତର ହେବାର ଯୋଜନା ନାହିଁ: ବିସିସିଆଇ
ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୫ ଟିକିଆ ଶୃଙ୍ଖଳାର ଶେଷ ଦୁଇ ଦିନିକିଆ ସ୍ଥାନାନ୍ତର ହେବାର କୌଣସି ଯୋଜନା ନାହିଁ ବୋଲି ଶୁକ୍ରବାର ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା ହାଇଦ୍ରାବାଦଠାରେ କହିଛନ୍ତି। ଏହି ଦୁଇ ଦିନିକିଆ ମ୍ୟାଚ୍ ଯଥାକ୍ରମେ ମାର୍ଚ ୧୦ ଓ ୧୩ ତାରିଖରେ ମୋହାଲି ଓ ଦିଲ୍ଲୀରେ ଖେଳାଯିବାକୁ ସୂଚୀ ପ୍ରସ୍ତୁତ ହୋଇଥିଲା। ହେଲେ ସଂପ୍ରତି ଭାରତ-ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ନଜରରେ ରଖି ଏହି ଦୁଇ ଦିନିକିଆ ସ୍ଥାନାନ୍ତରିତ ହେବ ବୋଲି ସାଧାରଣରେ ଚର୍ଚା ଚାଲିଥିଲା। ତେବେ ଏହି ଚର୍ଚାରେ ଖାନ୍ନା ଶୁକ୍ରବାର ପୂର୍ଣ୍ଣଛେଦ ଟାଣିଛନ୍ତି। ଏଭଳି ସ୍ଥାନାନ୍ତର ଯୋଜନା ଏବେ ନାହିଁ। ଆଗକୁ ହେଲେ ଆମେ ସେଥିପ୍ରତି ଦୃଷ୍ଟି ଦେବୁ। ସୌରାଷ୍ଟ୍ର ମଧ୍ୟ ମ୍ୟାଚ୍ ଆୟୋଜନ ନେଇ ପ୍ରସ୍ତୁତ ରହିଛି ବୋଲି ଖାନ୍ନା କହିଛନ୍ତି। ଶନିବାର ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯିବ।