ଶେଷ କିଛି ଓଭର ଗଳାରେ କଣ୍ଟା ଅଟକିଗଲା ଭଳି ଲାଗିଥିଲା: ଶାସ୍ତ୍ରୀ

ଆଡିଲେଡ୍ ଟେଷ୍ଟ୍‌ର ସୋମବାର ଖେଳ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। କେତେ ବ‌େଳେ କ’ଣ ହୋଇଯିବ ତାହା ଜଣାପଡ଼ୁ ନଥିଲା। ଭାରତ ଖେଳାଳିଙ୍କ ସହ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଭୟ ଓ ଆଶଙ୍କାରେ ଥିଲେ। ଏଭଳିକି ଶେଷ କିଛି ଓଭର ସେ ନିଜ ଆସନରେ ସ୍ଥିର ହୋଇ ବସି ପାରି ନଥିଲେ। ନାଥନ ଲିୟନ ଏବଂ ଜୋସ୍‌ ହାଜେଲଉଡ୍ ଶେଷ ୱିକେଟରେ ୩୨ ରନ୍ ଯୋଡ଼ିବା ପରେ ତାଙ୍କ ହୃଦ୍‌ସ୍ପନ୍ଦନ ଢେର ବଢ଼ି ଯାଇଥିଲା। ମ୍ୟାଚ୍ ପରବର୍ତୀ ସାକ୍ଷାତକାରରେ ନିଜେ ଶାସ୍ତ୍ରୀ ଏହା କହିଥିଲେ। ସେ କହିଥିଲେ, ଶେଷ କିଛି ଓଭର ମୁଁ ନିଜ ଉପରୁ ଏକ ପ୍ରକାର ନିୟନ୍ତ୍ରଣ ହରାଇଥିଲି। ଇଂଲଣ୍ଡରେ ଆମେ ପ୍ରଥମ ଟେଷ୍ଟ୍‌କୁ ୩୧ ରନ୍‌ରେ ହାରି ଯାଇଥିଲୁ। ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ୍‌ ୬୦-୭୦ ରନ୍‌ରେ ପରାସ୍ତ ହୋଇଥିଲୁ। ଏଣୁ ଏଥର ଅଷ୍ଟ୍ରେଲିଆରେ ପ୍ରଥମ ମ୍ୟାଚ୍ ଜିତିଥିବାରୁ ବହୁତ ଭଲ ଲାଗୁଛି। ଆପଣ ଯେତେବେଳେ ଭଲ ଆରମ୍ଭ କରନ୍ତି, ସେତେବେଳେ ଆତ୍ମବିଶ୍ବାସ ଢେର ବଢ଼ି ଯାଇଥାଏ। ପ୍ରଥମ ପାଳିରେ କରିଥିବା ଭୁଲକୁ ପର୍ଥରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌ ଅବସରରେ ନ ଦୋହରାଇବାକୁ ସେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆହ୍ବାନ କରିଥିଲେ। ଅନ୍ୟପକ୍ଷରେ ବୋଲରଙ୍କୁ ପ୍ରଶଂସା କରିଥିଲେ। ପର୍ଥ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇବ। ତଥାପି ନେଟ୍ ଅଭ୍ୟାସ ଅପେକ୍ଷା ଏବେ ଖେଳାଳିଙ୍କୁ ବିଶ୍ରାମ ଦରକାର ରହିଛି ବୋଲି ଶାସ୍ତ୍ରୀ ମତ ରଖିଥିଲେ।

ସମ୍ବନ୍ଧିତ ଖବର