ଓଡ଼ିଶା ଗ୍ରୁପ୍‌ ବିଜେତା:ଶେଷ ଲିଗ୍‌ରେ ଶକ୍ତିଶାଳୀ ଟିଏଫ୍‌ଏ ସହ ଗୋଲଶୂନ୍ୟ ଅମୀମାଂସିତ

ଭୁବନେଶ୍ୱର: ଯୁବ ଆଇ-ଲିଗ୍‌ ଫୁଟ୍‌ବଲ୍‌ (୧୫ ବର୍ଷରୁ କମ୍‌) ପ୍ରତିଯୋଗିତାର ପଦାର୍ପଣରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ଗ୍ରୁପ୍‌ ବିଜେତା ହୋଇ ନୂଆ ଅଧ୍ୟାୟ ସଂଯୋଗ କରିଛି। ରବିବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ଦଳ ଶକ୍ତିଶାଳୀ ଟାଟା ଫୁଟ୍‌ବଲ୍‌ ଏକାଡେମୀ (ଟିଏଫ୍‌ଏ) ସହିତ ଗୋଲଶୂନ୍ୟ ଅମୀମାଂସିତ କରିବା ଫଳରେ ଗ୍ରୁପ୍‌ ‘ସି’ରେ ୪ ମ୍ୟାଚ୍‌ରୁ ୩ ବିଜୟ ସହିତ ୧୦ ପଏଣ୍ଟ୍‌ ପାଇ ଶୀର୍ଷ ସ୍ଥାନରେ ରହିଥିଲା। ପୁନେରେ ଚାଲିଥିବା ଅବଶିଷ୍ଟ ଭାରତ ଜୋନ୍‌ର ଗ୍ରୁପ୍‌ ‘ସି’ରେ ନିଜର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୯-୦ରେ ଫତେ ହାଇଦ୍ରାବାଦ ଏଏଫ୍‌ସିକୁ, ଦ୍ୱିତୀୟ ମ୍ୟାଚ୍‌ରେ ଅନନ୍ତପୁର କ୍ରୀଡ଼ା ଏକାଡେମୀକୁ ୨-୦ରେ ଏବଂ ଶୁକ୍ରବାର ତୃତୀୟ ମ୍ୟାଚ୍‌ରେ ଶକ୍ତିଶାଳୀ ଡିଏସ୍‌କେ ଶିବାଜିଆନସ ଏଫ୍‌ସିକୁ ୧-୦ ଗୋଲ୍‌ରେ ପରାସ୍ତ କରି ହ୍ୟାଟ୍ରିକ୍‌ କରିଥିଲା। ସମୀର କେରକେଟା ପ୍ରତିଯୋଗିତାରେ ୪ ଗୋଲ୍‌ ଦେଇ ଓଡ଼ିଶାର ଅଗ୍ରଣୀ ସ୍କୋରର୍‌ ରହିଛନ୍ତି।
ସୂଚନାଯୋଗ୍ୟ, ବର୍ଷ ପ୍ରାରମ୍ଭରେ ଫୁଟ୍‌ବଲ୍‌ ଉପରେ ‘ସମ୍ବାଦ’ରେ ପ୍ରକାଶିତ ଲଗାତାର ଗଠନମୂଳକ ଖବର ପ୍ରକାଶ ପାଇଥିଲା। ବିଶେଷ କରି ‘୩୩ ବର୍ଷରେ କ୍ରୀଡ଼ା ଛାତ୍ରାବାସ ଫଳଶୂନ୍ୟ’ ଖବର ପରେ ଫୁଟ୍‌ବଲ୍‌କୁ ରାଜ୍ୟ କ୍ରୀଡ଼ା ବିଭାଗ ଅଗ୍ରାଧିକାର ଦେବା ଆରମ୍ଭ କରିଥିଲା। ଏନ୍‌ଆଇଏସ୍‌ ପ୍ରଶିକ୍ଷକଙ୍କୁ ଲାଇସେନ୍‌ସ ପ୍ରଶିକ୍ଷଣ ବ୍ୟବସ୍ଥା ସହିତ ଆଇ-ଲିଗ୍‌ରେ ଖେଳିବା ଲାଗି ନିଷ୍ପତ୍ତି ହୋଇଥିଲା। ଏବେ ବର୍ଷ ଶେଷ ନ ହେଉଣୁ ଓଡ଼ିଶାକୁ ଏହାର ସୁଫଳ ମିଳିବା ଆରମ୍ଭ ହୋଇଛି। ବଡ଼ ମଇଦାନରେ ଖେଳିବା ସୁଯୋଗ ସହିତ ପେସାଦାର ଖେଳାଳି ହେବାର ପ୍ଲାଟଫର୍ମ ମିଳିଛି ଓଡ଼ିଶା ଖେଳାଳିଙ୍କୁ।
ଓଡ଼ିଶା ଦଳ: ଗୋଲରକ୍ଷକ: ଅମି୍ରତ ଲାକ୍ରା, ସୁବ୍ରତ ପ୍ରଧାନ, ଉମେଶ ସିଂହ। ରକ୍ଷଣ ଭାଗ: ଗୋପାଳ ହେମ୍ବ୍ରମ୍‌, ସଂଜିତ କହଁର, ସାଗର ମାଝୀ, ବବ୍‌ଲୁ କହଁର, ଲାଲୁ ହେମ୍ବ୍ରମ୍‌, ଜ୍ୟୋତିର୍ମୟ ଗଡ଼ତିଆ। ମଧ୍ୟଭାଗ: ରଘୁ ମାରାଣ୍ଡି, ଲକ୍ଷ୍ମଣ ମାର୍ଣ୍ଡି, ବୀରସିଂହ ହେମ୍ବ୍ରମ୍‌, ଜଗଦୀଶ ଓରାମ, ନବୀନ ମାଝୀ, ଦୁର୍ଗା ମାରାଣ୍ଡି। ଅଗ୍ରଭାଗ: ପୁରୁଷୋତ୍ତମ କେରକେଟା, ବୃନ୍ଦାବନ ମୁଣ୍ଡା, ଫଗୁ ମାଝୀ, ସମୀର କେରକେଟା, ରଂଜନ ମାଝୀ। ପ୍ରଶିକ୍ଷକ: ପରାସର ବାଗ, ପ୍ରବଂଧକ: ଯଶପାଲ୍‌ ଉର୍ମା, ଫିଜିଓ: ଡାକ୍ତର ମୁକ୍ତି ପ୍ରସାଦ ଦାଶ।

ସମ୍ବନ୍ଧିତ ଖବର