ଭୁବନେଶ୍ୱର: ଉତ୍କଣ୍ଠାପୂର୍ଣ୍ଣ ବିଜୟରୁ ଆଇଏସ୍‌ଏଲ୍‌ ଉପବିଜେତା ବେଙ୍ଗାଲୁରୁ ଏଫସି ତା’ର ସୁପର କପ୍‌ ଅଭିଯାନ ଆାରମ୍ଭ କରିଛି। ରବିବାର ଆହତ ସମୟ ଗୋଲ୍‌ ହିଁ ଏହି ଦଳକୁ ବିଜୟ ଉପହାର ଦେଇଛି। ଅନ୍ୟ ପକ୍ଷରେ ପୂରା ମ୍ୟାଚ୍‌ରେ ଲଢ଼ୁଆ ପ୍ରଦର୍ଶନ କରିଥିବା ଆଇଲିଗ୍‌ ଦଳ ଗୋକୁଳମ୍‌ ଏଫ୍‌ସି ମାତ୍ର କିଛି କ୍ଷଣ ପାଇଁ ମ୍ୟାଚ୍‌ ଉପରୁ ନଜର ହଟାଇ ପରାଜିତ ହୋଇଛି। ମ୍ୟାଚ୍‌ ୧-୧ରେ ସମାନ ସ୍ତରରେ ଥିଲା ବେଳେ ଆହତ ସମୟ ଗୋଲ୍‌ ବଳରେ ବେଙ୍ଗାଲୁରୁ ୨-୧ର ଭାଗ୍ୟଶାଳୀ ବିଜୟ ହାସଲ କରିଛି। ତା’ ସହ ବେଙ୍ଗାଲୁରୁ ମଧ୍ୟ ନକ୍‌ଆଉଟ୍‌ ଭିତ୍ତିରେ ଖେଳା ଯାଉଥିବା ସୁପର କପ୍‌ର କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଛି। ରବିବାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଉଦାନ୍ତ ସିଂହଙ୍କ ଶେଷ କ୍ଷଣ ଗୋଲ୍‌ ହିଁ ଲଢ଼ୁଆ ଖେଳ ଖେଳିଥିବା ଗୋକୁଳମ୍‌ ପରାଜୟର କାରଣ ହୋଇଥିଲା। ୬୯ ମିନିଟ୍‌ ପର୍ଯ୍ୟନ୍ତ ଆଗୁଆ ରହିଥିବା ଗୋକୁଳମ୍‌ ଶେଷ ହ୍ଵିସିଲ ବାଜିବାର କିଛି କ୍ଷଣ ପୂର୍ବରୁ ଉଦାନ୍ତଙ୍କୁ ଅଟକାଇ ନ ପାରି ଦୁଃଖଦ ବିଦାୟ ନେଇଥିଲା। ସେପଟେ କଳିଙ୍ଗ ଷ୍ଟାଡିୟମରେ ବେଙ୍ଗାଲୁରୁ ତାର ବିଜୟ ଧାରାକୁ ଅତୁଟ ରଖିଥିଲା। ଗତ ଫେବ୍ରୁଆରି ୨୫ ତାରିଖରେ ଏଠାରେ ଖେଳିିଥିବା ପ୍ରଥମ ମ୍ୟାଚ୍‌ରେ ବେଙ୍ଗାଲୁରୁ ୨-୧ ଗୋଲ୍‌ରେ ଜାମସେଦପୁର ଏଫସିକୁ ପରାସ୍ତ କରିଥିଲା।

Advertisment

ଆଇଏସ୍‌ଏଲ୍‌ର ଉପବିଜେତା ବେଙ୍ଗାଲୁରୁ ଏଫ୍‌ସି ଏବଂ ସୁପରକପ୍‌ର ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ପର୍ଯ୍ୟାୟକୁ ଯାଇଥିବା ଗୋକୁଳମ୍‌ ଏଫ୍‌ସି ମଧ୍ୟରେ ଖେଳା ଯାଇଥିବା ରବିବାର ସଂଧ୍ୟାର ପ୍ରଥମ ମୁକାବିଲାରେ ଗୋକୁଳମ୍‌ ଏଫ୍‌ସି ଅପ୍ରତ୍ୟାଶିତ ଭାବେ ପ୍ରଥମାର୍ଧ ସାରା ଆଧିପତ୍ୟ ବିସ୍ତାର କରିଥିଲା। ସୁନୀଲ ଛେତ୍ରୀଙ୍କ ଭଳି ତାରକା ଖେଳାଳିଙ୍କ ନେତୃତ୍ୱରେ ଖେଳୁଥିବା ବେଙ୍ଗାଲୁରୁ ଏଫ୍‌ସିକୁ ଏହି ଆଇଲିଗ୍‌ ଦଳ ନିଜ ଗତି ଏବଂ ବୈଷୟିକ କଳା କୌଶଳରେ ଚକିତ କରି ଦେଇଥିଲା। ଛେତ୍ରୀ ବ୍ୟକ୍ତିଗତ ଭାବେ ଜବରଦସ୍ତ ଖେଳ ଖେଳିଥିଲେ। ହେଲେ ଅନ୍ୟ ଖେଳାଳିମାନେ ତାଙ୍କୁ ଉପଯୋଗୀ ସମର୍ଥନ ଦେଇ ନଥିଲେ। ଯାହାର ଲାଭ ଗୋକୁଳମ୍‌ ୩୩ତମ ମିନିଟ୍‌ରେ ଉଠାଇଥିଲା। ସାଥୀ ଖେଳାଳିଙ୍କ ସହ ଉନ୍ନତ ତାଳମେଳ ରକ୍ଷା କରି ଏହି ଦଳର ଉଗାଣ୍ଡାରୁ ଆସିଥିବା ଖେଳାଳି ବେଙ୍ଗାଲୁରୁ ଗୋଲ୍‌ ରକ୍ଷକ ଗୁରପ୍ରୀତ ସିଂହ ସାନ୍ଧୁକୁ ଚତୁରତାର ସହ ଚକ୍‌ମା ଦେଇଥିଲେ। ଏଥି ସହିତ ଦର୍ଶକ ଦିନର ପ୍ରଥମ ଗୋଲ୍‌ ଦେଖିଥିଲେ। ତାଙ୍କ ଗୋଲ୍‌ ବଳରେ ହିଁ ଗୋକୁଳମ୍‌ ଆଗୁଆ ହୋଇ ଯାଇଥିଲା। ପ୍ରଥମାର୍ଧର ବଳକା ୧୨ ମିନିଟ୍‌ରେ ବେଙ୍ଗାଲୁରୁ ଦୁଇଟି ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଏହାକୁ ଗୋଲ୍‌ରେ ରୂପାନ୍ତର କରି ପାରି ନଥିଲା। ଫଳରେ ପ୍ରଥମାର୍ଧ ୧-୦ରେ ଗୋକୁଳମ୍‌ ସପକ୍ଷରେ ରହିଥିଲା। ଦ୍ୱିତୀୟାର୍ଧରେ ବେଙ୍ଗାଲୁରୁ ନିଜ ରଣନୀତି ବଦଳାଇ ଆକ୍ରମଣକୁ ଅସ୍ତ୍ର କରିଥିଲା। ଯାହାର ଫଳ ୬୧ ମିନିଟ୍‌ରେ ପାଇଥିଲା। ହେଲେ ଅଧିନାୟକ ଛେତ୍ରୀ ଫ୍ରିକିକ୍‌କୁ ବେକାର ଯିବାକୁ ଦେଇ ଏକ ଭଲ ସୁଯୋଗ ହାତଛଡ଼ା କରିଥିଲେ। ତାଙ୍କ ସଟ୍‌ ଦୁର୍ଭାଗ୍ୟଜନକ ଭାବେ ଗୋଲ୍‌ ପୋଷ୍ଟ ଉପରେ ଚାଲିଯାଇଥିଲା। ହେଲେ ୯ ମିନିଟ୍‌ ପରେ ଅର୍ଥାତ୍‌ ୭୦ ମିନିଟ୍‌ରେ ଉଦନ୍ତ ସିଂହ ଏବଂ ନିକୋଲାସ ଫେଡର ଯୋଡ଼ି ସ୍ଥିତି ସମାନ ସ୍ତରକୁ ନେଇ ଆସିଥିଲେ। ଉଦନ୍ତଙ୍କ ପାସ୍‌କୁ ମିକୁ ଭାବେ ପରିଚିତ ନିକୋଲାସ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ବେଙ୍ଗାଲୁରୁ ପାଇଁ ମ୍ୟାଚ୍‌ ଏବଂ ପ୍ରତିଯୋଗିତାର ପ୍ରଥମ ଗୋଲ୍‌ କରି ନେଇଥିଲେ। ବଳକା ୨୦ ମିନିଟରେ ମଧ୍ୟ ବେଙ୍ଗାଲୁରୁ ଆକ୍ରମଣ କରିବା ଜାରି ରଖିଥିଲା। ହେଲେ ଗୋକୁଳମ ଗୋଲ୍‌ ରକ୍ଷକ ନିଖିଲ ବର୍ନାଡ ଚମତ୍କାର ଖେଳି ବେଙ୍ଗାଲୁରୁର ସବୁ ପ୍ରୟାସକୁ ପ୍ରତିହତ କରିଥିଲେ। ତେବେ ଇଞ୍ଜୁରି ଟାଇମରେ ଉଦାନ୍ତ ସିଂହଙ୍କ ସଟ୍‌କୁ ରୋକି ପାରି ନଥିଲେ। ଫଳରେ ବାଙ୍ଗାଲୋର ଶେଷ କିଛି ମିନିଟରେ ହିଁ ମ୍ୟାଚ୍‌ ନିଜ ନାଁରେ କରି ନେଇଥିଲା।

ମିନର୍ଭାର ମୁକାବିଲା ପାଇଁ ଜାମ୍‌ସେଦପୁର ପ୍ରସ୍ତୁତ
ଭୁବନେଶ୍ୱର,): ରବିବାରର ରୋମାଞ୍ଚକର ଯୁଗଳ ଲଢ଼େଇ ପରେ ସୋମବାର ସୁପର କପ୍‌ ଫୁଟବଲ୍‌ ପ୍ରତିଯୋଗିତାର ଗୋଟିଏ ମ୍ୟାଚ୍‌ ଖେଳାଯିବ। ରାତି ୮ଟାରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ରେ ଆଇଲିଗ୍‌ ବିଜେତା ମିନର୍ଭା ପଞ୍ଜାବ ଦଳକୁ ଆଇଏସ୍‌ଏଲ୍‌ର ପଞ୍ଚମ ସ୍ଥାନରେ ରହିଥିବା ଜାମସେଦପୁର ଏଫ୍‌ସି ଭେଟିବ। ଗତ ଫେବ୍ରୁଆରି ମାସରେ ଭୁବନେଶ୍ୱରରେ ଖେଳା ଯାଇଥିବା ଆଇଏସ୍‌ଏଲ୍‌ ମୁକାବିଲାରେ ଜାମ୍‌ସେଦପୁର କଳିଙ୍ଗ ଷ୍ଟାଡିୟମକୁ ଘରୋଇ ପଡ଼ିଆ କରିଥିଲା। ହେଲେ ଦୁର୍ଭାଗ୍ୟଜନକ ସେହି ମ୍ୟାଚ୍‌କୁ ହାରି ଯାଇଥିଲା। ଅନ୍ୟପକ୍ଷରେ ବେଙ୍ଗାଲୁରୁ ବିଜୟୀ ହୋଇ ସେମିଫାଇନାଲକୁ ଯାଇଥିଲା। ଜାମ୍‌ସେଦପୁର ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହି ଏଥିରୁ ବଞ୍ଚିତ ହୋଇଥିଲା। ଏଣୁ ସୋମବାର ଜାମସେଦପୁର ତାର ଦ୍ୱିତୀୟ ଘର କଳିଙ୍ଗ ଷ୍ଟାଡିୟମରେ ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିବ। ଅନ୍ୟ ପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଖେଳୁଥିବା ମିନର୍ଭା ବିଜୟରୁ ସୁପରକପ୍‌ ଅଭିଯାନ ଆରମ୍ଭ କରିବା ଆଶାରେ ଥିବ। ଜାମ୍‌ସେଦପୁର ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଭ୍‌ ପୋଲେଲ ଆସନ୍ତାକାଲିର ମ୍ୟାଚ୍‌କୁ ତାଙ୍କ ଦଳ ଗୁରୁତର ସହ ନେଉଥିବା କହିଛନ୍ତି। ମିନର୍ଭା ଏକ ଶକ୍ତିଶାଳୀ ଦଳ। ଏହି ଦଳର ଖେଳାଳିଙ୍କୁ ଆମେ ବହୁତ ସମ୍ମାନ କରୁ। ସୋମବାର ମ୍ୟାଚ୍‌ ଆମ ପାଇଁ ଆଦୌ ସହଜ ହେବନି ବୋଲି ଭାବୁଛୁ। ତଥାପି ଆମେ ମ୍ୟାଚ୍‌ ଜିତିବାକୁ ପ୍ରାଣପଣେ ଚେଷ୍ଟା କରିବୁ ବୋଲି ସେ ରବିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ମିନର୍ଭାର ମୁଖ୍ୟ ପ୍ରଶିକ୍ଷକ ଖୋଗେନ୍‌ ସିଂହ କହିଛନ୍ତି, ଯେକୌଣସି ପ୍ରତିଯୋଗିତାର ପ୍ରଥମ ମୁକାବିଲା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଫୁଟ୍‌ବଲ ମ୍ୟାଚର ଫଳାଫଳର ପୁର୍ବାନୁମାନ କରିବା ଅତି କଷ୍ଟକର। ତଥାପି ଆମେ ଜିତିବୁ ବୋଲି ମୁଁ ଭାବୁଛି।