ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସାମି ଏନର୍ଜି ଡ୍ରିଙ୍କସ ପିଉଥିବା ଘଟଣା । ଫଟୋ, ଭିଡିଓ ଭାଇରାଲ ହେବା ପରେ ବିବାଦରେ ଥିବା ସାମିଙ୍କୁ ମିଳିବାରେ ଲାଗିଛି ସମର୍ଥନ । ବରେଲୀର ମୌଲାନା ସାହାବୁଦ୍ଦିନ ରାଜିଭଙ୍କ ବୟାନ ପରେ ସାମିଙ୍କ ସପକ୍ଷରେ ବାହାରିଛନ୍ତି ୟୁପିର ବିଭିନ୍ନ ମୁଲସିମ ସଙ୍ଗଠନ ଏବଂ ବିଜେପି ନେତା । ବିଜେପି ନେତା ମୋହାସିନ୍ ରଜା କହିଛନ୍ତି, ଏ ମାମଲା ସାମି ଓ ଆଲ୍ଲାଙ୍କ ଭିତରେ । ଆଲ୍ଲା ଜାଣିଛନ୍ତି ସାମି କଣ ଏବେ କରୁଛନ୍ତି, କେଉଁ ଧର୍ମ ପାଳନ କରୁଛନ୍ତି । ଗସ୍ତ କିମ୍ବା କୌଣସି ଯାତ୍ରା ସମୟରେ ରୋଜା ନରଖିବାର ବିକଳ୍ପ ଅଛି ତେଣୁ ବରେଲୀ ମୌଲାନ ଅଜ୍ଞାନୀ ଅଟନ୍ତି । ସାମି ନୁହେଁ ବରଂ ସିଏ ଦେଶକୁ କ୍ଷମା ମାଗନ୍ତୁ ।
ସେହିପରି ଦେଶର ବିଭିନ୍ନ ପ୍ରାନ୍ତର ମୌଲାନା ସାମିଙ୍କ ରାଷ୍ଟ୍ରଧର୍ମ ପାଳନକୁ ଗୁରୁତ୍ବ ଦେଇ ତାଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ଏବଂ ସେ ଚାହିଁରେ ପରେ ରୋଜା ରଖିପାରିବେ ବୋଲି କହିଛନ୍ତି । ତେବେ ସାମିଙ୍କ ଭାଇ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଖେଳ ସମୟରେ ନିଜକୁ ଫିଟ୍ ରଖିବା ଜଣେ ଖେଳାଳି ପାଇଁ ବଡ କଥା । ଖେଳ ବେଳେ ବହୁତ ପରିଶ୍ରମ କରିବାକୁ ପଡେ ତେଣୁ ସେହି ସମୟରେ ରୋଜା ରଖିବା ସମ୍ଭବପର ନୁହେଁ ମାତ୍ର ସେ ପରେ ରଖିପାରିବେ । ପାକିସ୍ତାନୀ କ୍ରିକେଟରମାନେ ମଧ୍ୟ ଖେଳ ସମୟରେ ରୋଜା ରଖନ୍ତିନି । ଅଯଥାରେ ଏ ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରିବା ନିନ୍ଦନୀୟ ବୋଲି ସାମିଙ୍କ ଭାଇ ମୁମତାଜ କହିଛନ୍ତି ।